ହଳଦୀପଦା ବାଏପାସ୍‌ରେ ଭୟଙ୍କର ଦୁର୍ଘଟଣା : କଣ୍ଟେନର ପଛରେ ପିଟିହେଲା ଯାତ୍ରୀବାହୀ ବସ୍‌, ୧୪ ଜଣଙ୍କ ଅବସ୍ଥା ଗୁରୁତର

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ୧୬ ନମ୍ବର ଜାତୀୟ ରାଜପଥର ହଳଦୀପଦା ବାଏପାସ୍‌ ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଯାତ୍ରୀବାହୀ ବସ୍‌ ସମ୍ମୁଖରେ ଯାଉଥିବା ମାଲବାହୀ କଣ୍ଟେନରକୁ ପଛପଟୁ ଧକ୍କା ଦେବାରୁ ଅତିକମ୍‌ରେ ୧୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ବସ୍‌ଟି ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରୁ ବାଲେଶ୍ୱର ଅଭିମୁଖେ ଆସୁଥିବାବେଳେ ହଳଦୀପଦା ବାଏପାସ୍‌ ଛକ ନିକଟରେ ଚାଳକ ନିୟନ୍ତ୍ରଣ ହରାଇ କଣ୍ଟେନର ପଛରେ ପିଟି ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବସ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇ କଣ୍ଟେନର ପଛପଟେ ପଶିଯାଇଥିଲା। ଫଳରେ ବସ୍‌ ଚାଳକଙ୍କ ସମେତ ସମ୍ମୁଖ ଭାଗରେ ବସିଥିବା କେତେକ ଯାତ୍ରୀ ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକେ ଏବଂ ହଳଦୀପଦା ଫାଣ୍ଡି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗ୍ୟାସ୍‌ କଟର ସାହାଯ୍ୟରେ ବସ୍‌ର କ୍ଷତିଗ୍ରସ୍ତ ସମ୍ମୁଖ ଭାଗକୁ କାଟି ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା। ପରେ ଆମ୍ବୁଲାନ୍ସ ଯୋଗେ ୧୪ ଜଣ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ଦୁର୍ଘଟଣା ପରେ ପୋଲିସ ଉଭୟ ବସ୍‌ ଓ କଣ୍ଟେନରକୁ ଜବତ କରି ଘଟଣାର କାରଣ ସମ୍ପର୍କରେ ତଦନ୍ତ ଜାରି ରଖିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.