ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅଞ୍ଚଳର ଜଣେ ନାବାଳିକା ଅପହରଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ବେନଗାଁ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଥିବା ଉକ୍ତ ୧୫ ବର୍ଷିୟା ନାବାଳିକା ଗତ ୮ ତାରିଖ ଦିନ ସ୍କୁଲକୁ ଯାଇଥିଲା କିନ୍ତୁ ସ୍କୁଲ ଛୁଟି ହେବା ପରେ ଘରକୁ ଫେରିନଥିଲା। ସନ୍ଧ୍ୟା ହୋଇଯିବା ପରେ ମଧ୍ୟ ଝିଅ ଘରକୁ ନ ଫେରିବାରୁ ପରିବାର ଲୋକେ ସାଙ୍ଗସାଥି, ସାହି ପଡିଶା ଓ ସମ୍ପର୍କୀୟଙ୍କ ଘରେ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସିଠାରେ ମଧ୍ୟ ତା’ର ପତ୍ତା ମିଳିନଥିଲା। ଶେଷରେ ଜଣାପଡିଥିଲା ଯେ ଉକ୍ତ ଝିଅ ସ୍କୁଲ ଛୁଟି ପରେ ଘରକୁ ଫେରୁଥିବା ବେଳେ ପାଜିବାହାଲି ଗାଁର ଡ୍ରିକୁ ମାଝୀଙ୍କ ପୁଅ ଅର୍ଜୁ ମାଝୀ(୨୮) ତାକୁ ନେଇ କେଉଁଆଡେ ଫେରାର ହୋଇଯାଇଛି। ଝିଅର ବାପା ଏନେଇ ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ବିଜେପୁର ଥାନାଧିକାରୀ ତୁଳସୀରାମ ଶବରଙ୍କୁ ପଚାରିବାରୁ, ସେ ପୁଅ ଓ ଝିଅ ଦୁହେଁ କେରଳ ଚାଲିଯାଇଛନ୍ତି ବୋଲି କହିଛନ୍ତି। ତେବେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ବିଜେପୁର ଥାନାରେ କେଶ ନଂ ୨୪/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ କରାଯାଉଛି ବୋଲି ଥାନାଧିକାରୀ ଶ୍ରୀ ଶବର ପ୍ରକାଶ କରିଛନ୍ତି।





