ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ସରଧାପୁର ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ କାମ ଅନ୍ୱେଷଣରେ ବାହାର ରାଜ୍ୟକୁ ଦାଦନ ଯାଇଥିବା ସୂଚନା ରହିଛି। ମୃତ ଯୁବକ ତୁଳସୀରାମ ଧୁରୁ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ମୃତ ଯୁବକ ଜଣକ ଗତ ୫/୬ ମାସ ତଳେ କାମ ଅନ୍ବେଷଣରେ କର୍ଣ୍ଣାଟକ ସହରର ମାଲୁର ଅଞ୍ଚଳକୁ ଯାଇଥିଲେ। ସେଠାରେ ସେ ଡେଲିଭରୀ ବୟ ଭାବରେ କାମ କରୁଥିଲେ। ଗୁରୁବାର ଦିନ ତୁଳସୀରାମଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଦୁଃଖଦ ଖବର ପରିବାର ପାଖରେ ପହଞ୍ଚିବା ପରେ ସେମାନେ ପୁରା ଭାଙ୍ଗି ପଡିଛନ୍ତି। ଅନ୍ୟପଟେ ସେଠାକାର ପୋଲିସ ମୃତକଙ୍କ ଶବ ସମ୍ପର୍କୀୟ ମାନଙ୍କୁ ଛାଡୁ ନଥିବାରୁ ତାଙ୍କ ବାପା ମା’ ଗରିବ ଶ୍ରେଣୀର ଓ ବୟସ୍କ ହୋଇଥିବାରୁ ସେଠାକୁ ଯାଇ ଶବ ଆଣିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ତେଣୁ ମୃତ ପୁଅର ଶବ ନିଜ ଭିଟାମାଟିକୁ ଆଣିବା ପାଇଁ କୋକସରା ଥାନାରେ ଦ୍ବାରସ୍ଥ ହୋଇଥିବା ଜଣାପଡିଛି। ସେଠାରେ ଥିବା ସମ୍ପର୍କୟ ମାନଙ୍କୁ ପୁଅର ଶବ ହସ୍ତାନ୍ତର କରିବା ପାଇଁ ଗୁହାରି କରିଛନ୍ତି।





