ବିପଦରେ ବନ୍ଧପାରି-ଲାଞ୍ଜିଗଡ଼ ରାସ୍ତା: ବର୍ଷାରେ ଧୋଇଗଲା ରାସ୍ତାର ପାର୍ଶ୍ୱ, ସୃଷ୍ଟି ହେଲା ବିରାଟକାୟ ଗର୍ତ୍ତ, ତୁରନ୍ତ ମରାମତି ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲଗାଣ ବର୍ଷା ପରେ ବନ୍ଧପାରିରୁ ଲାଞ୍ଜିଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଅବସ୍ଥା ଏବେ ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି। ରାସ୍ତାର ଗୋଟିଏ ପାର୍ଶ୍ୱ ଧସିଯାଇ ବିରାଟକାୟ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଯେକୌଣସି ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ସୃଷ୍ଟି ହୋଇଛି।ସୂଚନାଯୋଗ୍ୟ ଯେ ଗତ କିଛି ଦିନ ତଳେ ଲଗାଣ ବର୍ଷାରେ ରାସ୍ତା ତଳେ ଥିବା ମାଟି ଧୋଇଯାଇଥିବାରୁ କଲଭର୍ଟ ନିକଟରେ ବଡ଼ ଅଂଶ ଗାତ ସୃଷ୍ଟି ହୋଇପଡ଼ିଛି। ବାହାରୁ ଦେଖିଲେ ରାସ୍ତା ସାଧାରଣ ଲାଗୁଥିଲେ ମଧ୍ୟ ଭିତର ଅଂଶ ଫାଙ୍କା ହୋଇଯାଇଥିବାରୁ ଯେକୌଣସି ସମୟରେ ରାସ୍ତାର ଅବଶିଷ୍ଟ ଅଂଶ ଭୁଶୁଡ଼ି ପଡ଼ିପାରେ। ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ବାଇକ୍, କାର୍, ସ୍କୁଲ ଯାନ, ଆମ୍ବୁଲାନ୍ସ ଓ ଅତ୍ୟାବଶ୍ୟକ ସାମଗ୍ରୀ ବୋଝେଇ ଗାଡ଼ି ଚଳାଚଳ କରୁଛି। ବିଶେଷକରି ରାତି ସମୟରେ କିମ୍ବା ବର୍ଷା ହେଉଥିବାବେଳେ ଏହି ଗର୍ତ୍ତ ଦେଖିବା କଷ୍ଟକର ହେଉଥିବାରୁ ଦୁର୍ଘଟଣାର ଆଶଙ୍କା ଆହୁରି ବଢ଼ିଯାଇଛି।ଘଟଣା ପରେ ସ୍ଥାନୀୟ ଲୋକମାନେ ନିଜସ୍ୱ ଉଦ୍ୟମରେ ରାସ୍ତା ପାର୍ଶ୍ୱରେ ବାଡ଼ ବାନ୍ଧି ଯାତ୍ରୀଙ୍କୁ ସତର୍କ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏହା କେବଳ ଅସ୍ଥାୟୀ ବ୍ୟବସ୍ଥା। ସ୍ଥାୟୀ ମରାମତି କାମ ଶୀଘ୍ର ଆରମ୍ଭ ନ ହେଲେ ବଡ଼ ବିପଦ ଘଟିପାରେ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ଲାଞ୍ଜିଗଡ଼ ବ୍ଲକର ଅନେକ ଗାଁ ପାଇଁ ଏହି ରାସ୍ତା ହେଉଛି ଜୀବନରେଖା। ଏହି ରାସ୍ତା ଅଚଳ ହୋଇଗଲେ ରୋଗୀ ପରିବହନ, ଛାତ୍ରଛାତ୍ରୀଙ୍କ ଯାତାୟାତ, ଚାଷୀଙ୍କ ଉତ୍ପାଦ ବଜାରକୁ ପହଞ୍ଚାଇବା ସହିତ ଦୈନ୍ଦିନ ଜୀବନ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହେବ। ତେବେ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନ, ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଘଟଣାସ୍ଥଳର ତୁରନ୍ତ ପରିଦର୍ଶନ କରି କ୍ଷତିଗ୍ରସ୍ତ ଅଂଶର ମରାମତି କରିବା ସହ ସୁରକ୍ଷା ବ୍ୟାରିକେଡ୍, ସତର୍କ ସୂଚନା ବୋର୍ଡ ଓ ରାତିରେ ଦୃଶ୍ୟମାନ ହେବା ପାଇଁ ରିଫ୍ଲେକ୍ଟର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.