ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବନାଞ୍ଚଳ ଅଧିକାରୀ ଶ୍ରୀ ଅନିଲ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ରାୟଗଡ଼ା ବନାଞ୍ଚଳର ସମସ୍ତ ବନ କର୍ମଚାରୀ କୋମତାଲପେଟା ସେକ୍ସନ ଅଧୀନସ୍ଥ ଡୋକୁଲୁଗୁଡା ଗ୍ରାମରେ ଚଢାଉ କରିଥିଲେ । ବେଆଇନ ଭାବେ ଗଚ୍ଛିତ ରଖାଯାଇଥିବା କାଠ ବିଷୟରେ ଖବର ପାଇ ବନ ବିଭାଗ ଏହି ଚଢାଉ କରିଥିଲା । ଏହି ଚଢାଉ ବେଳେ ଡୋକୁଲୁଗୁଡା ଗ୍ରାମର କେ. ଶ୍ରୀନିବାସ, ଗୌରୀ ଶଙ୍କର ଚିକାଟି ଓ ବିବେକ ରାଓ କାଲାଗାରାଙ୍କ ଘରେ ଚଢାଉ କରାଯାଇଥିଲା । ଚଢାଉ ବେଳେ କେ. ଶ୍ରୀନିବାସଙ୍କ ଘରୁ ୬୭ ଗୋଟି ଶାଳ ସାଇଜ, ଗୌରୀ ଶଙ୍କର ଚିକାଟିଙ୍କ ଘରୁ ୬୬ ଗୋଟି ଶାଳ ସାଇଜ ଓ ପଟା ଏବଂ ବିବେକ ରାଓ କାଲାଗାରାଙ୍କ ଘରୁ ୫୬ ଗୋଟି ଶାଳ, ପିଆଶାଳ ଓ ଶାଗୁଆନ ସାଇଜ ଜବତ କରାଯାଇଥିଲା । ସେମାନେ କୌଣସି ବିଭାଗୀୟ କାଗଜପତ୍ର ଦେଖାଇ ପାରି ନଥିଲେ ଏବଂ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ଗଛ କାଟି ଆଣିଥିବା ସ୍ୱୀକାର କରିଥିଲେ । ଏହି ଅପରାଧ ପାଇଁ କୋମତାଲପେଟା ବନପାଳ ଶ୍ରୀ ଅନନ୍ତ ହେମ ଚରଣ ବେହେରା ସେମାନଙ୍କୁ ଗିରଫ କରିବା ସହ କାଠ ଗୁଡିକୁ ଜବତ କରିଥିଲେ । ଜବତ କାଠର ଆନୁମାନିକ ବଜାର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏହି ଚଢାଉରେ ରାୟଗଡ଼ା ସେକ୍ସନର ବନପାଳ ଗୌରୀ ଶଙ୍କର ସାହୁ, ପଦ୍ମାବତୀ ପାଢୀ ଓ ରାୟଗଡ଼ା ବନାଞ୍ଚଳର ଅନ୍ୟ କର୍ମଚାରୀମାନେ ଯୋଗଦାନ କରିଥିଲେ ।





