ପିଜୁଳି ଗଛରୁ ପଡ଼ି ଯୁବକଙ୍କ ଅକାଳ ମୃତ୍ୟୁ, ମସ୍ତିପୁଟରେ ଶୋକର ଛାୟା

ଓଡ଼ିଆ ବାର୍ତ୍ତା/ ସୁନ୍ଦର କୁମାର ପାଣି କୋରାପୁଟ: ପିଜୁଳି ଗଛରୁ ଖସି ପଡ଼ି ଗୁରୁତର ଆହତ ହୋଇଥିବା ମସ୍ତିପୁଟ ଅଞ୍ଚଳର ୪୦ ବର୍ଷୀୟ ରହିମ ଖୋସଲାଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ଦୁଃଖଦ ମୃତ୍ୟୁ ଘଟିଛି। ତାଙ୍କ ଅକାଳ ବିୟୋଗରେ ସମଗ୍ର ମସ୍ତିପୁଟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁସାରେ, ତିନିଦିନ ତଳେ ରହିମ ପିଜୁଳି ଗଛରୁ ତଳକୁ ପଡ଼ିଯାଇଥିଲେ। ଗଛରୁ ପଡ଼ିବା ସମୟରେ ବାଡ଼ର ଏକ କାଠ ତାଙ୍କ ପେଟରେ ପଶିଯାଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଥିଲା। ଅସ୍ତ୍ରୋପଚାର କରାଯାଇ ପେଟ ଭିତରେ ପଶିଥିବା କାଠଟିକୁ ବାହାର କରାଯାଇଥିଲା। ତେବେ ଗତ ତିନିଦିନ ଧରି ଚିକିତ୍ସାଧୀନ ଥିବା ରହିମ ଆଜି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ। ରହିମଙ୍କ ଅକାଳ ମୃତ୍ୟୁରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ପରିବାରରେ ରହିମ ଥିଲେ ଏକମାତ୍ର ରୋଜଗାରକାରୀ। ତାଙ୍କ ରୋଜଗାର ଉପରେ ନିର୍ଭର କରୁଥିଲେ ପରିବାର ସଦସ୍ୟ। ତାଙ୍କ ବିୟୋଗରେ ପତ୍ନୀ, ଦୁଇ ଛୋଟ ପୁଅ ଓ ବୃଦ୍ଧ ମାଆ ଅସହାୟ ହୋଇପଡ଼ିଛନ୍ତି। ଏହି ଘଟଣା ପରିବାରକୁ ଗଭୀର ଆର୍ଥିକ ଓ ମାନସିକ ସଙ୍କଟ ମଧ୍ୟକୁ ଠେଲିଦେଇଛି। ରହିମ କେବଳ ପରିବାରର ଭରସା ନୁହେଁ, ମସ୍ତିପୁଟ ଅଞ୍ଚଳରେ ଜଣେ ଭଲ ଫୁଟବଲ ଖେଳାଳି ଭାବେ ମଧ୍ୟ ବେଶ୍ ପରିଚିତ ଥିଲେ। ଫୁଟବଲ ପ୍ରତି ତାଙ୍କର ଗଭୀର ରୁଚି ଥିବା ସହ ସେ ଜଣେ ମିଳାପୀ, ସରଳ ଓ ଭଦ୍ର ସ୍ୱଭାବର ବ୍ୟକ୍ତି ଭାବେ ସମସ୍ତଙ୍କ ପ୍ରିୟ ଥିଲେ। ତାଙ୍କ ଅକାଳ ବିୟୋଗର ଖବର ପ୍ରଚାର ହେବା ପରେ ସାଙ୍ଗସାଥୀ, ଫୁଟବଲ ଖେଳାଳି ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.