ବିଦ୍ୟାଳୟ ପରିଚାଳନା କମିଟି ଚୟନକୁ ଉପେକ୍ଷା!

ଅଭିଭାବକ ମହଲରେ ଅସନ୍ତୋଷ, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ସନ୍ଦେହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗୁଣାତ୍ମକ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ ଆସୁଛନ୍ତି ରାଜ୍ୟ ସରକାର। ଏହାକୁ ସଫଳ କରାଇବାରେ ବିଦ୍ୟାଳୟ ପରିଚାଳନା କମିଟି (ଏସଏମସି)ର ଯଥେଷ୍ଟ ଗୁରୁତ୍ଵ ରହିଛି। ତେବେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ସ୍ଥିତ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିଚାଳନା କମିଟି ଚୟନକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏଥିରେ ମଦନପୁର ରାମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ପବିତ୍ର ଗଡତିଆ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟସେନ ନିଆଲଙ୍କ ସଂପୃକ୍ତି ରହିଛି ନାଁ ଅନ୍ୟ କିଛି କାରଣ ଅଛି ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ ସରକାରଙ୍କ ନିୟମାନୁଯାୟୀ ବିଦ୍ୟାଳୟର ୧୧୬ ଜଣ ଅଭିଭାବକ ଓ ସିଆରସିସି ରାଜୀବ କୁମାରଙ୍କ ଉପସ୍ଥିତିରେ ଗତ ଜୁଲାଇ ୧୪ ତାରିଖ ଦିନ ବିଦ୍ୟାଳୟ ପରିଚାଳନା କମିଟି ଚୟନ କରାଯାଇଥିଲା। ତାକୁ ଅନୁମୋଦନ କରିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ପବିତ୍ର ଗଡ଼ତିଆଙ୍କୁ ଦିଆଯାଇଥିଲା। ହେଲେ ସେ ପୁଣି ଥରେ କମିଟି ଚୟନ କରିବା ପାଇଁ କୁଆଡେ କହିଥିଲେ। ପରେ ପୁଣି ଜୁଲାଇ ୨୧, ୨୭ ତାରିଖରେ ଏଭଳି ଅନେକ ଥର ବୈଠକ ବସି କମିଟି ଚୟନ କରାଯାଇଥିଲା। ଶେଷ ବୈଠକରେ ମଧ୍ୟ ପ୍ରଥମ ବୈଠକରେ ଚୟନ କରାଯାଇଥିବା କମିଟିକୁ ଅଭିଭାବକମାନେ ସମର୍ଥନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବାରମ୍ବାର ଅନୁମୋଦନ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଜଣାଇଲେ ସୁଦ୍ଧା ସେ ଅନୁମୋଦନ କଲେ ନାହିଁ। ପରେ ବାଧ୍ୟ ହୋଇ ଅଭିଭାବକମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏ ସମ୍ପର୍କରେ ଗତ ୧୦ ତାରିଖ ଦିନ ଅବଗତ କରାଇଥିଲେ। ଜିଲ୍ଲା ଶିକ୍ଷା ଅଧିକରୀ ମଦନପୁର ରାମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଗଡ଼ତିଆଙ୍କୁ ଅନୁମୋଦନ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ହେଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ କାହିଁକି ଅନୁମୋଦନ କରୁନାହାନ୍ତି ତାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ତେଣୁ ଚୟନ କରାଯାଇଥିବା ବିଦ୍ୟାଳୟ ପରିଚାଳକ କମିଟିକୁ ଅନୁମୋଦନ କରିବାକୁ ଦାବୀ ହେଉଛି। ଯଦି ଅନୁମୋଦନ କରାନଯାଏ ତା ହେଲେ ଆଗାମୀ ଦିନରେ ଅଭିଭାବକମାନେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.