ରାସ୍ତାରୋକ ପରେ ବି ପୂରଣ ହେଲାନି ଦାବି
ନିଜ ପ୍ରତିଶ୍ରୁତି ଭୁଲିଗଲା ଗ୍ରାମ୍ୟ ଉନ୍ନୟନ ବିଭାଗ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କାଗଜ କଲମରେ ବିକାଶର ଡିଣ୍ଡିମ ପିଟୁଛି ସରକାର, ହେଲେ ବାସ୍ତବରେ ରାସ୍ତା ମରଣଯନ୍ତା। ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତ ଅନ୍ତର୍ଗତ ୧୭ ଗୋଟି ଗାଁର ପାଞ୍ଚ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ଏକମାତ୍ର ଜୀବନ ରେଖା ମୁକୁନ୍ଦପୁର ଛକରୁ ମେଲଘୁଟୁ ଭାୟା କନେର ୭ କିମି ଲମ୍ବର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରାସ୍ତା ଆଜି ମୃତ୍ୟୁର ଫାନ୍ଦ ପାଲଟିଛି। ଏହି ରାସ୍ତାକୁ ନେଇ ଏବେ ଅଞ୍ଚଳରେ ଧିରେ ଧିରେ ଅସନ୍ତୋଷ ତେଜୁଛି ଓ ପୁଣି ରାସ୍ତାରୋକ ପାଇଁ ଲୋକେ ସଜବାଜ ହେଉଛନ୍ତି। ସୂଚନା ଅନୁଯାୟୀ, ୨୦୧୯-୨୦ ବର୍ଷରେ ପ୍ରାୟ କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟରେ ଏହି ରାସ୍ତା ନିର୍ମାଣ ହୋଇଥିଲା। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ ଆରମ୍ଭରୁ କାମ ଅତ୍ୟନ୍ତ ନିମ୍ନମାନର ହୋଇଥିଲା। ନିୟମ ଅନୁଯାୟୀ ଠିକାଦାର ୫ ବର୍ଷ ଯାଏଁ ଏହାର ରକ୍ଷଣାବେକ୍ଷଣ କରିବା କଥା, କିନ୍ତୁ ବର୍ଷେ ପୂରିବା ପୂର୍ବରୁ ରାସ୍ତା ସମ୍ପୂର୍ଣ୍ଣ ଉଜୁଡ଼ି ଗଲା। ଏହାପରେ ଠିକାଦାର ଆଉ ମୁହଁ ଦେଖାଇଲା ନାହିଁ। ବିଭାଗ ବି ଚୁପ୍ ରହିଲା। ଫଳରେ ଗତ ୭ ବର୍ଷ ହେଲା ଲୋକେ ଧୂଳି, କାଦୁଅ ଓ ଖାଲଖମା ଭିତରେ ନରକ ଯନ୍ତ୍ରଣା ଭୋଗୁଛନ୍ତି। ରାସ୍ତାର ବିଭିନ୍ନ ସ୍ଥାନରେ ଶହ ଶହ ବଡ ବଡ ଖାଲଖମା, ପିଚୁ ସମ୍ପୂର୍ଣ୍ଣ ଉଠି ଯାଇ ମାଟି ବାହାରିଲାଣି। ବର୍ଷା ଦିନେ ଏହା ରାସ୍ତା ନୁହେଁ ପୋଖରୀ ପାଲଟୁଛି। ଯାନବାହନ ତ ଦୂରର କଥା, ଚାଲି ଚାଲି ଯିବା ବି ମୁସ୍କିଲ। ସ୍ଥିତି ଏତେ ଭୟାବହ ଯେ ଜରୁରୀକାଳୀନ ସେବା ଆମ୍ବୁଲାନ୍ସଟିଏ ବି ଗାଁ ଭିତରକୁ ଯାଇ ପାରୁନାହିଁ। ରୋଗୀ, ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ନେବାକୁ ପଡୁଛି। ସ୍କୁଲ କଲେଜ ଛାତ୍ରଛାତ୍ରୀ ପ୍ରତିଦିନ ଦୁର୍ଘଟଣାର ଶିକାର ହେଉଛନ୍ତି। ଚାଷୀ ନିଜ ଉତ୍ପାଦିତ ଦ୍ରବ୍ୟ ବଜାରକୁ ନେଇ ପାରୁନାହାଁନ୍ତି। ବାରମ୍ବାର ଦାବି ପରେ କୌଣସି ସୁଫଳ ନ ମିଳିବାରୁ ଅଞ୍ଚଳବାସୀ ବାଧ୍ୟ ହୋଇ ପୋଖରୀବନ୍ଧ ଛକ ନିକଟ ୬ ନମ୍ବର ରାଜ୍ୟ ରାଜପଥ ଉପରେ ରାସ୍ତାରୋକ ଆନ୍ଦୋଳନ କରିଥିଲେ। ସେତେବେଳେ ପରିସ୍ଥିତିକୁ ସମ୍ଭାଳିବା ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡିଓ, କନିଷ୍ଠ ଯନ୍ତ୍ରୀ, ଲାଞ୍ଜିଗଡ଼ ବିଡିଓ, ତହସିଲଦାର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ୩ ମାସ ମଧ୍ୟରେ ନୂଆ ପକ୍କା ରାସ୍ତା ନିର୍ମାଣ ହେବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇ ରାସ୍ତାରୋକ ହଟାଇଥିଲେ। କିନ୍ତୁ ପ୍ରତିଶ୍ରୁତି ପରେ ଯାହା ହେଲା ତାହା ପ୍ରଶାସନର ପ୍ରତାରଣାକୁ ପଦାରେ ପକାଉଛି। ନୂଆ ରାସ୍ତା ତ ଦୂରର କଥା, ବିଭାଗ କେବଳ ଲୋକ ଦେଖାଣିଆ ପାଇଁ କିଛି ବଡ ଗାତରେ କ୍ରସର ଗୁଣ୍ଡ ପକାଇ କାଁ ଭାଁ ମରାମତି କଲା। ସେ ମରାମତି ବି ଗୋଟିଏ ସପ୍ତାହ ତିଷ୍ଠିଲା ନାହିଁ। ପ୍ରଥମ ବର୍ଷାରେ ସବୁ ଗୁଣ୍ଡ ଧୋଇ ହୋଇ ରାସ୍ତା ପୂର୍ବ ଅବସ୍ଥାକୁ ଫେରିଆସିଲା। ଏହାପରେ ଅଞ୍ଚଳବାସୀ କିଛି ମାସ ତଳେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଭେଟି ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜିଲ୍ଲାପାଳ ଏହାକୁ ଗମ୍ଭୀରତାର ସହ ନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ, ହେଲେ ଆଜି ଯାଏଁ ବିଭାଗର ନିଦ ଭାଙ୍ଗୁନି। ତେବେ ଏଠି ବଡ଼ ପ୍ରଶ୍ନ ଉଠୁଛି – ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବି କାହିଁକି କାମ ହେଉନି। ବିଭାଗ କାହା ସ୍ୱାର୍ଥରେ ଚୁପ୍ ଯଦି ଆଗାମୀ ଏକ ମାସ ଭିତରେ ପକ୍କା ରାସ୍ତା କାମ ଆରମ୍ଭ ନ ହୁଏ, ପୋଖରୀବନ୍ଧ ଛକରେ ପୁଣିଥରେ ରାସ୍ତାରୋକ ସହ ଜିଲ୍ଲାପାଳ ଅଫିସ ଘେରାଉ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।





