ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦେଶ ସ୍ୱାଧୀନତାର ୮୦ ବର୍ଷ ପରେ ବି ସମାଜରୁ ଜାତିବାଦ ଯାଇନି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ସ୍ଥିତ ନିଆଳି ଗାଁରେ। ସରକାରୀ ଖେଳ ପଡିଆରେ ଅନୁସୂଚିତ ପିଲାମାନଙ୍କୁ ଖେଳିବାକୁ ମନା କରାଯାଉଥିବା ଭଳି ଏକ ହୃଦୟ ବିଦାରକ ଅଭିଯୋଗ ସାମ୍ନାକୁ ଆସିଛି। ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ଅଲ ଓଡିଶା ସିଡୁଲଡ କାଷ୍ଟ ଫେଡେରେସନର ୬ଷ୍ଠ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆଜି ନିଆଳି ଠାରେ ଜିଲ୍ଲା ସଭାପତି ବୃନ୍ଦାବନ ନାଗଙ୍କ ସଭାପତିତ୍ୱରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ଓ ସାଙ୍ଗଠନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନିଆଳି ଗାଁର ଏସସି ସମାଜ ପକ୍ଷରୁ ସଙ୍ଗଠନକୁ ଏକ ଲିଖିତ ଅଭିଯୋଗ ପତ୍ର ଦିଆଯାଇଛି। ଅଭିଯୋଗ ଅନୁଯାୟୀ, ଗାଁରେ ଥିବା ସରକାରୀ ଖେଳ ପଡିଆରେ ଦୀର୍ଘ ୮ ବର୍ଷ ହେବ ଏସସି ପିଲାମାନଙ୍କୁ ଖେଳିବା ପାଇଁ ଉଚ୍ଚ ଜାତିର କିଛି ବ୍ୟକ୍ତି ବାରଣ କରୁଛନ୍ତି। ଏହି ଘଟଣା ସମ୍ପର୍କରେ ସେମାନେ ଥାନା ଅଧିକାରୀ, ବ୍ଲକ ଉନ୍ନୟନ ଅଧିକାରୀ, ତହସିଲଦାର, ଉପଜିଲ୍ଲାପାଳ ଏବଂ ଏସଡିପିଓ କେସିଙ୍ଗାଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଆଜି ଯାଏଁ ନ୍ୟାୟ ମିଳିନାହିଁ ବୋଲି ଅଭିଯୋଗ କରିଛନ୍ତି।ସ୍ୱାଧୀନତାର ୮୦ ବର୍ଷ ପରେ ବି ଏଭଳି ହୀନ ଜାତିବାଦର କରୁଣ ଚିତ୍ର ମାନବ ସମାଜ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଏହି ଘଟଣାକୁ ସଙ୍ଗଠନର ରାଜ୍ୟ ସଭାପତି ଧନଞ୍ଜୟ ଦୀପ ଗୁରୁତ୍ୱର ସହ ନେଇଛନ୍ତି। ଏବଂ କହିଛନ୍ତି, ସମାଜର ଅସମ୍ମାନକୁ କେବେ ବରଦାସ୍ତ କରାଯିବ ନାହିଁ। ସାମ୍ବିଧାନିକ ପ୍ରକ୍ରିୟାରେ ନ୍ୟାୟ ପାଇବା ପର୍ଯ୍ୟନ୍ତ ଜୋରଦାର ଭାବେ ଲଢେଇ ଜାରି ରହିବ। ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା, ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ, ଏମ. ରାମପୁର ଉପସଭାପତି ବେଣୁଧର ସୁନା, କପିଳାସ ନାଏକ, କଳ୍ପନା କୌଶଲ୍ୟା, ସୁଶାନ୍ତ ବାତ୍ରା, ସୁଧୀର ନାଗ, ଦୁର୍ବାସା ହରପାଲ, ଥବିର ସୁନା, ଧନେଶ ସୁନା, ନୀଳାଚଳ ହିଁଆଲ, ଜମଲା ମହାନନ୍ଦ, ରବୀନ୍ଦ୍ର ହିଆଲ ସମେତ ସଙ୍ଗଠନର ଶତାଧିକ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ।






