ମାନବିକତା ଦେଖାଇଲେ ଘଣ୍ଟମାଳ ସରପଞ୍ଚ

ଦୁର୍ଘଟଣାରେ ଆହତ ଯୁବକଙ୍କୁ ନିଜ ଗାଡିରେ ନେଲେ ଡାକ୍ତରଖାନା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ର ତୁଳାପଡା ପୁରୁଣା ଚେକ ଗେଟ ନିକଟସ୍ଥ ବୁଲାଣିରେ ରବିବାର ସଂଧ୍ୟା ୫ ଘଣ୍ଟା ସମୟରେ କ୍ଷୀପ୍ର ଗତିରେ ବାଇକ ଚଲାଇ ତୁଳାପଡା ପଟେ କୌଣସୀ କାମ ନେଇ ଯାଉଥିବା ସର୍ଗିଗୁଡାର ଯୁବକ ଦୀପକ ମାଝୀ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ବାଇକଟି କ୍ଷୀପ୍ର ଗତିରେ ଥିବାରୁ ବୁଲାଣିରେ ଭାରସାମ୍ୟ ହରାଇ ପ୍ରଥମେ ଗାଡି ଗୋଟିଏ ନିମ୍ବ ଗଛରେ ପିଟିହେବା ସହ ରାସ୍ତା କଡରେ ରହିଥିବା ସିମେଣ୍ଟ ଖୁଣ୍ଟ ରେ ପିଟି ହୋଇଥିଲା। ଫଳରେ ବାଇକ ଚାଳକ ଯୁବକ ଦୀପକଙ୍କ ଡାହାଣ ଗୋଡ ଓ ମୁଣ୍ଡ ପଛ ପାଖରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ଦୁର୍ଘଟଣା ହୋଇଥିବା ଖବର ପାଇ ତୁଳାପଡା ର ସମାଜସେବୀ ଯୁବକ ଯତୀନ ନାଏକ ସ୍ଥାନୀୟ ଯୁବକ ମାନଙ୍କୁ ନେଇ ଘଟଣା ସ୍ଥଳରେ ଦୁର୍ଘଟଣାରେ ଗୁରୁତର ଯୁବକ ଦୀପକ କୁ ଉଦ୍ଧାର କରି ପାଣି ପିଆଇବା ସହ ତାଙ୍କ ପରିବାରକୁ ଖବର କରିଥିଲେ। ତାଙ୍କୁ ଡାକ୍ତରଖାନା ନେବାପାଇଁ ଆମ୍ବୁଲାନ୍ସ ଡାକିଥିଲେ। ହେଲେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ କରିବାରୁ ସେହି ରାସ୍ତା ଦେଇ ଫେରୁଥିବା ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା ଯୁବକ ଜଣକଙ୍କ ମର୍ମନ୍ତୁଦ ପରିସ୍ଥିତି ଦେଖି ତାଙ୍କୁ ନିଜ କାର ରେ ଡାକ୍ତରଖାନା ନେଇଥିଲେ। ସର୍ଗିଗୁଡାର ସମାଜସେବୀ ଜହରଲାଲ ବିଶ୍ୱାଳ ମଧ୍ୟ ଆହତ ଦୀପକଙ୍କୁ ଡାକ୍ତରଖାନା ନେବାରେ ସହଯୋଗ କରିଥିବା ଜଣାପଡିଛି। ଇତି ମଧ୍ୟରେ ଦୀପକଙ୍କ ବାପା ନରେନ୍ଦ୍ର ମାଝୀ, ମା ଓ ଭଉଣୀ ଡାକ୍ତରଖାନା ପହଞ୍ଚି ଥିଲେ। ନର୍ଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଆହତ ଦୀପକ ଗୁରୁତର ଥିବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ନର୍ଲା ଡାକ୍ତର ଆମ୍ବୁଲାନ୍ସ ଯୋଗେ ପ୍ରେରଣ କରିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.