ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ ଗ୍ରାମ ପଞ୍ଚାୟତର ଭୀମକେଲା ଛକରୁ ଆରମ୍ଭ କରି ରୁପ୍ରାଯାଏଁ ଲାଖଗୁଡା-ରୁପ୍ରା ରାସ୍ତା ମରଣଯନ୍ତା ସାଜିଛି। ନର୍ଲା ଚାରିଛକରୁ ରୁପ୍ରାରୋଡ ଯାଏଁ ଯାଇଥିବା ରାସ୍ତା ଉପରେ ସାନ୍ଦୁଲ ବ୍ରୀଜ ପାର ହେବାପରେ ରହିଥିବା ଭୀମକେଲା ଛକ ଆରମ୍ଭ ରୁ ହିଁ ଏହି ଆର.ଡି. ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଥିବା ଦୃଶ୍ୟମାନ ହୁଏ। ବାରମ୍ବାର ଲୋଡେଡ ହାଇୱା ଗୁଡିକର ଗମନା ଗମନ ଫଳରେ ରାସ୍ତାଟିର ଅବସ୍ଥା ଦିନକୁ ଦିନ ଆହୁରି ଶୋଚନୀୟ ହୋଇ ପଡିଥିବା ଜଣାପଡିଛି। ଏହି ରାସ୍ତା ଖଣ୍ଡିକ ନର୍ଲା ଓ ରୁପ୍ରାରୋଡ ଗ୍ରାମ ପଞ୍ଚାୟତରୁ ଭୀମକେଲା, କର୍ମେ ଗାଁ, ରୁପ୍ରା, ମୁସ୍କୁଟି, ଟକର୍ଲା, ଗିଗିନା ଓ ପଲମକୁ ସଂଯୋଗ କରୁଛି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ଓ ବ୍ୟସ୍ତ ବହୁଳ ରାସ୍ତା। ଏହି ରାସ୍ତା ପାର୍ଶ୍ୱରେ ଲାଖଗୁଡା ୟଙ୍ଗ ବ୍ଲଡ ପବ୍ଲିକ ସ୍କୁଲ ରହିଛି। ଏବଂ ଏହି ରାସ୍ତା କଡରେ ରହିଥିବା ଭୀମକେଲା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଗୁଡିକୁ ଯାଇଥାନ୍ତି। ହେଲେ ରାସ୍ତାଟିର ଶୋଚନୀୟ ଅବସ୍ଥା, ରାସ୍ତା ଉପରେ ସୃଷ୍ଟି ହୋଇଥିବା ବଡ ବଡ ଖାଲ ଖମାର ଯୋଗୁଁ ସ୍କୁଲ, କଲେଜ ଛାତ୍ରଛାତ୍ରୀ ସମେତ ଜନ ସାଧାରଣ ମଧ୍ୟ ବାରମ୍ବାର ଦୁର୍ଘଟଣାର ସମ୍ମୁଖିନ ହୋଇ ଧନ ଜୀବନ ହାନୀ ହେଉଥିବା ନଜୀର ରହିଛି। ଗତ ୧୫ ବର୍ଷ ତଳେ ରାସ୍ତା ଖଣ୍ଡିକ ତିଆରି ହୋଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀଙ୍କ ଖାମ ଖିଆଲି ମନୋଭାବ ଯୋଗୁଁ ଠିକାଦାର ଉଚ୍ଚ ଲାଭଖୋର ନୀତିରେ ନିମ୍ନ ମାନର କାମ କରି ଚାଲିଗଲା। ଫଳ ସ୍ୱରୁପ ଛ ମାସ ପୁରିନି ରାସ୍ତାର ସ୍ଥାନେ ସ୍ଥାନେ ପିଚୁ ଉଠିଯାଇ ଖାଲ ଖମାର ସୃଷ୍ଟି ହୋଇଥିଲା। ଏହାପରେ ଗତ ୧୪ ବର୍ଷ ମଧ୍ୟରେ ଏହି ରାସ୍ତାଟି ଉପରେ କୌଣସି ମରାମତି କିମ୍ବା ନିର୍ମାଣ କାମ ଆଦୌ ହୋଇ ନଥିବା ସ୍ଥାନୀୟ ବୁଦ୍ଧିଜୀବି ମାନେ ମତବ୍ୟକ୍ତ କରିଛନ୍ତି। ଗତ ଚାରି ମାସ ମଧ୍ୟରେ ଏହି ରାସ୍ତା ଉପରେ ୬ ରୁ ଉର୍ଦ୍ଧ୍ୱ ଦୁର୍ଘଟଣା ସଂଘଟିତ ହୋଇଥିବା ଓ ଏଥିରେ ବାଇକ ଆରୋହୀ ମାନେ ଗୁରୁତର ହୋଇଥିବା ମତବ୍ୟକ୍ତ କରିଛନ୍ତି ସ୍ଥାନୀୟ ଜନସାଧାରଣ। ରାସ୍ତା ଏତେ କଦର୍ଯ୍ୟ ହୋଇଛି ଯେ ମାତ୍ର ୭ କିଲୋ ମିଟର ଦୂରତା ସମ୍ପନ୍ନ ଏହି ରାସ୍ତାରେ ବାଇକରେ ଗଲେ ଘଣ୍ଟାଏ ସମୟ ଲାଗୁଥିବା କହିଛନ୍ତି ବାଇକ ଚାଳକ ମାନେ। ଶୁଣିବାକୁ ମିଳୁଛି ଏହି ରାସ୍ତାର ଟେଣ୍ଡର ସରି ୬ ମାସ ବିତି ଗଲାଣି ହେଲେ ଠିକାଦାର କାମ ଆରମ୍ଭ କରି ନଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତାରେ ଯିବା ତ ଦୁରର କଥା ସକାଳୁ ବିଭିନ୍ନ କାମ ନେଇ ଏହି ରାସ୍ତା ଦେଇ ଯିବା ପାଇଁ ଚିନ୍ତା କରିବାକୁ ମଧ୍ୟ ଭୟ ଲାଗୁଛି। ହେଲେ ଉପାୟ ନାହିଁ। ବାଧ୍ୟ ବାଧକ ହୋଇ ଲୋକେ ଏହି ରାସ୍ତାରେ ଗମନା ଗମନ କରୁଥିବା ମତବ୍ୟକ୍ତ କରିଛନ୍ତି ଅଞ୍ଚଳର ବୁଦ୍ଧିଜୀବି ମାନେ। ଏବଂ ସରକାର ଓ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି ଏହି ରାସ୍ତାକାମ କେବେ ଆରମ୍ଭ ହେବ ଏବଂ କେବେ ଆମର ଦୁଃଖ ଯିବ??






