ଫୁଟବଲ୍ ଟୁର୍ନାମେଣ୍ଟ ନା ଟଙ୍କା ଉପାର୍ଜନର ମାଧ୍ୟମ?

୭, ୧୦ ଓ ୧୫ ମିନିଟ୍‌ରେ ସରୁଛି ମ୍ୟାଚ୍‌! ମୋଟା ଏଣ୍ଟ୍ରି ଫି, ଖେଳାଳିଙ୍କୁ ମୌଳିକ ସୁବିଧା ନାହିଁ—ନଜର ଦେବ କିଏ?

ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): କୋରାପୁଟ ଜିଲ୍ଲାର ଗ୍ରାମାଞ୍ଚଳରେ ଫୁଟବଲ୍ ଖେଳର ପ୍ରସାର ଓ ଯୁବ ପ୍ରତିଭାଙ୍କୁ ସୁଯୋଗ ଦେବା ପାଇଁ ପ୍ରତିବର୍ଷ ଅନେକ ଟୁର୍ନାମେଣ୍ଟ ଆୟୋଜିତ ହେଉଛି। ଏହା ନିଶ୍ଚିତ ଭାବେ ଖେଳ ପାଇଁ ଏକ ସକାରାତ୍ମକ ପଦକ୍ଷେପ। କିନ୍ତୁ କେତେକ ଟୁର୍ନାମେଣ୍ଟର ନିୟମ, ମ୍ୟାଚ୍‌ ସମୟ, ଏଣ୍ଟ୍ରି ଫି ଏବଂ ଖେଳାଳିଙ୍କୁ ମିଳୁଥିବା ସୁବିଧାକୁ ନେଇ ଏବେ ଖେଳପ୍ରେମୀଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ସାଧାରଣ ଫୁଟବଲ୍ ନିୟମ ଅନୁଯାୟୀ ପୂର୍ଣ୍ଣ ୧୧ ଜଣିଆ ମ୍ୟାଚ୍‌ର ନିର୍ଦ୍ଧାରିତ ସମୟ ୯୦ ମିନିଟ୍। ତେବେ ସ୍ଥାନୀୟ ଟୁର୍ନାମେଣ୍ଟରେ ଭିନ୍ନ ଫର୍ମାଟ୍‌ ଅନୁଯାୟୀ କମ୍ ସମୟର ମ୍ୟାଚ୍‌ ଆୟୋଜନ କରାଯାଇପାରେ। ଏହାସତ୍ତ୍ୱେ କେତେକ ଗ୍ରାମାଞ୍ଚଳ ଟୁର୍ନାମେଣ୍ଟରେ ୭ ମିନିଟ୍‌, ୧୦ ମିନିଟ୍‌ କିମ୍ବା ୧୫ ମିନିଟ୍‌ ଭଳି ଅତ୍ୟନ୍ତ କମ୍ ସମୟରେ ମ୍ୟାଚ୍‌ ଶେଷ କରାଯାଉଥିବାକୁ ନେଇ ଖେଳପ୍ରେମୀମାନେ ପ୍ରଶ୍ନ ଉଠାଇଛନ୍ତି। ଏଭଳି ଫର୍ମାଟ୍‌ରେ ଖେଳାଳିଙ୍କ ପ୍ରକୃତ ଦକ୍ଷତା, ଫିଟନେସ୍‌ ଓ ଖେଳର କୌଶଳ ପ୍ରଦର୍ଶନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ମିଳୁଛି କି ନାହିଁ, ତାହା ନେଇ ଆଲୋଚନା ଜୋର ଧରିଛି।‌ ଅନ୍ୟପକ୍ଷରେ, ଅନେକ ଟୁର୍ନାମେଣ୍ଟରେ ପୂର୍ବତନ ରାଜ୍ୟସ୍ତରୀୟ ଖେଳାଳି ଓ ଅଭିଜ୍ଞ ବ୍ୟକ୍ତିମାନେ ଅତିଥି ଭାବେ ଯୋଗଦେଉଛନ୍ତି। ଏଭଳି ଅଭିଜ୍ଞ ଖେଳାଳିଙ୍କ ଉପସ୍ଥିତି ନିଶ୍ଚିତ ଭାବେ ନୂଆ ପିଢ଼ିକୁ ପ୍ରେରଣା ଦେଇପାରେ। ତେବେ ଖେଳର ମାନ, ନିୟମ ଓ ଶୃଙ୍ଖଳା ସମ୍ପର୍କରେ ଆୟୋଜକ ଓ ଖେଳାଳିଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଉଛି କି ନାହିଁ—ଏହା ମଧ୍ୟ ଖେଳପ୍ରେମୀଙ୍କ ପ୍ରଶ୍ନ। ସେହିପରି ଏଣ୍ଟ୍ରି ଫିକୁ ନେଇ ମଧ୍ୟ ଅଭିଯୋଗ ରହିଛି। କେତେକ ଟୁର୍ନାମେଣ୍ଟରେ ଦଳଗୁଡ଼ିକଠାରୁ ମୋଟା ଅଙ୍କର ଏଣ୍ଟ୍ରି ଫି ନିଆଯାଉଥିବା କୁହାଯାଉଛି। ହେଲେ ଏହା ବଦଳରେ ଖେଳାଳିଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ, ଖାଦ୍ୟ ଓ ଆବଶ୍ୟକ ମୌଳିକ ସୁବିଧା ମିଳୁନଥିବା ନେଇ ମଧ୍ୟ ଅଭିଯୋଗ ଆସୁଛି। ଏଣ୍ଟ୍ରି ଫି ଆଦାୟ ଓ ଏହାର ବ୍ୟବହାର ସମ୍ପର୍କରେ ସ୍ୱଚ୍ଛତା ରହିବା ଦରକାର ବୋଲି ଖେଳପ୍ରେମୀମାନେ ମତ ଦେଇଛନ୍ତି। ଆୟୋଜକମାନେ ନିଜସ୍ୱ ବାଇଲ୍‌ ବା ନିୟମାବଳୀ ପ୍ରସ୍ତୁତ କରି ଟୁର୍ନାମେଣ୍ଟ ଚଳାଉଛନ୍ତି। ତେବେ ଏହି ନିୟମାବଳୀ ଖେଳର ମାନଦଣ୍ଡ, ନ୍ୟାୟସଙ୍ଗତ ଖେଳ ଓ ଖେଳାଳିଙ୍କ ସ୍ୱାର୍ଥ ସହ ସମନ୍ୱିତ କି ନାହିଁ, ତାହା ଉପରେ ସମ୍ପୃକ୍ତ ଖେଳ ପ୍ରଶାସନର ନଜର ରହିବା ଆବଶ୍ୟକ। ଫୁଟବଲ୍ ଟୁର୍ନାମେଣ୍ଟ ଯୁବପିଢ଼ିକୁ ଖେଳ ପ୍ରତି ଆକୃଷ୍ଟ କରିବାର ଏକ ବଡ଼ ମାଧ୍ୟମ। ତେଣୁ ଏହା କେବଳ ଆର୍ଥିକ ଲାଭର ମାଧ୍ୟମ ନହୋଇ ଖେଳାଳିଙ୍କ ସ୍ୱାର୍ଥ, ଖେଳର ମାନ ଓ ଶୃଙ୍ଖଳାକୁ ଗୁରୁତ୍ୱ ଦେଇ ଆୟୋଜିତ ହେବା ଆବଶ୍ୟକ। ଏବେ ପ୍ରଶ୍ନ—ଗ୍ରାମାଞ୍ଚଳରେ ହେଉଥିବା ଏହି ଟୁର୍ନାମେଣ୍ଟଗୁଡ଼ିକର ନିୟମ ଓ ପରିଚାଳନା ଉପରେ ନଜର ରଖିବ କିଏ? ଖେଳ ପ୍ରଶାସନ ଏନେଇ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିବ କି? ନା ଅଭିଯୋଗ ଉଠିବା ପର୍ଯ୍ୟନ୍ତ ସବୁକିଛି ଏମିତି ଚାଲିବ?

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.