ଓବିସି ମଞ୍ଚ ଓଡ଼ିଶା ଯୁବ ଶାଖା ପକ୍ଷରୁ ବିନ୍ଦେଶ୍ୱରୀ ପ୍ରସାଦ ମଣ୍ଡଳଙ୍କ ୧୦୮ତମ ଜୟନ୍ତୀ ପାଳନ 

ଓଡ଼ିଆ ବାର୍ତ୍ତା/ ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଭୋଜପୁର ସ୍ଥିତ ଯାଦବ ଭବନଠାରେ ଓବିସି ବର୍ଗର ତ୍ରାଣକର୍ତ୍ତା, ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ମଣ୍ଡଳ କମିଶନ ଅଧ୍ୟକ୍ଷ ସ୍ୱର୍ଗତ ବିନ୍ଦେଶ୍ୱରୀ ପ୍ରସାଦ ମଣ୍ଡଳଙ୍କ ୧୦୮ ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ରାଜ୍ୟ ଓବିସି ମଞ୍ଚ ଯୁବ ଶାଖା, ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ବୁଦ୍ଧିଜୀବୀ, ଯୁବକ ଓ ସାମାଜିକ କର୍ମୀ ଯୋଗଦାନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଓବିସି ମଞ୍ଚ ଓଡ଼ିଶାର ସଭାପତି ଶଙ୍କର ପାତ୍ର ଯୋଗଦାନ କରି ମଣ୍ଡଳ ସାହେବଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, “ବି.ପି. ମଣ୍ଡଳ କେବଳ ଜଣେ ବ୍ୟକ୍ତି ନୁହଁନ୍ତି, ସେ ଏକ ବିଚାରଧାରା। ସେ ୩୭୪୩ ପଛୁଆ ଜାତିକୁ ଚିହ୍ନଟ କରି ୫୨% ଓବିସିଙ୍କୁ ପରିଚୟ ଦେଇଥିଲେ। ଆଜି ଯଦି ଆମେ କଲେଜରେ ପଢୁଛୁ, ଚାକିରି କରୁଛୁ, ତାହା ମଣ୍ଡଳଙ୍କ ଅବଦାନ। କିନ୍ତୁ ଏହି ଲଢେଇ ଅଧା ରହିଛି। ୨୦୨୭ ଜନଗଣନାରେ ଜାତି ଗଣନା ନ ହେଲେ ଆମେ ପୁଣି ପଛକୁ ଚାଲିଯିବା।” ରାଜ୍ଯ ଯୁବ ସଂଯୋଜକ କପିଳେନ୍ଦ୍ର ଭୋଇଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଓବିସି ମଞ୍ଚର କୋଷାଧ୍ୟକ୍ଷ ପ୍ରଦେଶୀ ବିଶ୍ୱାଲ, ଜିଲ୍ଲା ସଂଯୋଜକ ଭରତ ରାଉତ, ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତୀ, ବରିଷ୍ଠ ଯାଦବ ନେତା ଲମ୍ବୋଦର ନିଆଲ, ରାମ ଲାଲ ହଂସ, ମେହେର ସମାଜରୁ ହିରାଧର ମେହେର, ପ୍ରିୟ ରଞ୍ଜନ ମେହେର, ପଣ୍ଡରା ମାଳି ସମାଜରୁ ଗୋଦାବରୀଶ ନାଏକ, ସୁବର୍ଣ୍ଣଗ୍ରହୀ ଶୁଣ୍ଢି ସମାଜରୁ ଦସମୁ ବେହେରା, କୁମ୍ଭକାର ସମାଜରୁ ରାଧେ ରଣା, କୋଶଳେଶ୍ୱର ମାଳି ସମାଜରୁ ଯୁଧିଷ୍ଟିର ପଟେଲ, ପାଇକ ସମାଜରୁ ମିହିର ନାୟକ, ଝରିଆ ଯାଦବ ସମାଜରୁ ଭୁବନେଶ୍ୱର ରାଉତ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ପଶ୍ଚିମ ଓଡ଼ିଶା ଓବିସି ମଞ୍ଚର ସଂଯୋଜକ ସରୋଜ କୁମାର ମେଶ୍ୱା ତଥା ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମଣ୍ଡଳ କମିଶନ ଲାଗୁ ହେବା ପରେ ଓବିସି ସମାଜରେ ଆସିଥିବା ପରିବର୍ତ୍ତନ ଓ ଏବେ ବି ରହିଥିବା ବୈଷମ୍ୟ ବିଷୟରେ ଆଲୋଚନା କରିଥିଲେ। ଏହି ସଭାରେ ସର୍ବସମ୍ମତି କ୍ରମେ ୩ ଦଫା ପ୍ରସ୍ତାବ ପାରିତ ହୋଇଛି: ୧. ଜନଗଣନା-୨୦୨୭ ରେ ଓବିସିର ଜାତି-ଭିତ୍ତିକ ଗଣନା ପାଇଁ ମାନକୀକୃତ କୋଡ୍ ବ୍ୟବସ୍ଥା ଲାଗୁ କରାଯାଉ। ୨. ଓଡ଼ିଶାରେ ଓବିସିଙ୍କ ଜନସଂଖ୍ୟା ଅନୁପାତରେ ସଂରକ୍ଷଣ ଓ ବଜେଟ୍ ବ୍ୟବସ୍ଥା କରାଯାଉ। ୩. ପ୍ରତି ଜିଲ୍ଲାରେ ମହାପୁରୁଷ ଜ୍ୟୋତିବା ଫୁଲେ, ସାହୁଜୀ ମହାରାଜ ଓ ବି.ପି. ମଣ୍ଡଳଙ୍କ ନାମରେ ଛାତ୍ରାବାସ ପ୍ରତିଷ୍ଠା କରାଯାଉ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.