ଶ୍ରାବଣପୂର୍ଣ୍ଣିମା ଏକ ଅତ୍ୟନ୍ତ ପବିତ୍ର ଦିବସ l ଏହା ହଳାୟୁଧ, ଭଗବାନ ଶ୍ରୀବଳଦେବଙ୍କ ଜନ୍ମ ଦିନ l ଏହି ପୂର୍ଣ୍ଣିମା ଗହ୍ମାପୂର୍ଣ୍ଣିମା,ଝୁଲଣ ପୂର୍ଣ୍ଣିମା, ରାକ୍ଷୀ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ l ଅନ୍ୟ ଉତ୍ସବ ମାନଙ୍କସହ ଏହା ଯେଉଁଥିପାଇଁ ସର୍ବ ଭାରତୀୟ ଉତ୍ସବ ଭାବେ ପରିଚିତ ତାହା ହେଉଛି ଭଉଣୀ, ଭାଇଙ୍କ ମଧ୍ୟରେ ପବିତ୍ର ସମ୍ପର୍କର ବନ୍ଧନ, ରକ୍ଷା ବନ୍ଧନ l ଏହି ପବିତ୍ର ପର୍ବର ଏକ ବଳିଷ୍ଠ ସମୃଦ୍ଧ ପରମ୍ପରା ଓ ପୃଷ୍ଠଭୂମି ରହିଛି l
ଶାସ୍ତ୍ରରେ ଉଲ୍ଲେଖ ଅଛି,”ନାସ୍ତି ଗଙ୍ଗା ସମଂ ନାସ୍ତି ସ୍ୱସ୍ତା ସମା ମାନ୍ୟା”l ଅର୍ଥାତ ଭଉଣୀଠାରୁ ଅଧିକ ସମ୍ମାନନୀୟା ଓ ସ୍ନେହଶୀଳା ଆଉ କେହି ନାହିଁ l ରାକ୍ଷା ବନ୍ଧନରେ ଭଉଣୀକୁ ରକ୍ଷା କରିବାକୁ ଭାଈ ଶପଥ ନେଇଥାଏ l ଏ ସମ୍ବନ୍ଧରେ ପୌରାଣିକ ଓ ଐତିହାସିକ ତଥ୍ୟ ବହୁ ରୋଚକ ଯାହା ନିମ୍ନରେ ପ୍ରଦତ୍ତ ହେଲା l

୧. ପାଣ୍ଡଵ ଜନନୀ ମାତା କୁନ୍ତୀ ପ୍ରଭୁ ଶ୍ରୀକୃଷ୍ଣଙ୍କ ହାତରେ ରାକ୍ଷୀ ବାନ୍ଧି ନିଜ ପୁତ୍ରମାନଙ୍କୁ କୌରବ ମାନଙ୍କ ଅତ୍ୟାଚାରରୁ ରକ୍ଷା କରିବାପାଇଁ ପ୍ରାର୍ଥନା କରିଥିଲେ l ୨. ଦ୍ୱାପରଯୁଗରେ କଂସ ଶ୍ରୀକୃଷ୍ଣଙ୍କ ବିନାଶ ପାଇଁ ବହୁ ରାକ୍ଷସଙ୍କୁ ପ୍ରେରଣ କରୁଥିଲା l ଗୋପାଙ୍ଗନା ମାନେ ତାଙ୍କର ପ୍ରାଣର କାହ୍ନାଙ୍କୁ ରାକ୍ଷସ ମାନଙ୍କ କବଳରୁ ରକ୍ଷା ପାଇଁ ତାଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କର ଶୁଭ ମନାସି ଥିଲେ l ୩. ରାଜପୁତ ରମଣୀମାନେ ନିଜ ସତୀତ୍ୱ ବଜାୟ ରଖିବାପାଇଁ ମୁସଲମାନ ରାଜା ମାନଙ୍କ ହାତରେ ରାକ୍ଷୀ ବାନ୍ଧୁଥିଲେ l ମୋଗଲ ସମ୍ରାଟ ଆକବର ରାକ୍ଷାବନ୍ଧନ ଉତ୍ସବକୁ ବହୁ ସମ୍ମାନ ଦେଉଥିଲେ l

ରାକ୍ଷାବନ୍ଧନପର୍ବ ବିଷୟରେ ପୁରାଣରେ ଦୁଇଟି ବଳିଷ୍ଠ ଉପାଖ୍ୟାନ ରହିଛି l ବିଷ୍ଣୁ ପୁରାଣ ଅନୁସାରେ ସତ୍ୟ ଯୁଗରେ ଦୈତ୍ୟ ରାଜ ବଳିର ଗର୍ବଗଞ୍ଜନ ପାଇଁ ଭଗବାନ ବାମନ ଅବତାର ଗ୍ରହଣ କରିଥିଲେ l ତିନିପାଦ ଭୂମିଦାନ ଦେଇ ବଳି ଭଗବାନଙ୍କୁ ନିଜର ସର୍ବସ୍ବ ସମର୍ପଣ କରି ଅତି ଦୀନ ହୋଇ ଯାଇ ଥିଲେ l ଭଗବାନ ବଳିର ଏତାଦୃଶ ସମର୍ପଣ ଓ ବଚନ ବଦ୍ଧତାରେ ପ୍ରୀତ ହୋଇ କହିଥିଲେ ବଳି ମୁଁ ତୁମ ପାଖରେ ଋଣୀ ହୋଇଗଲି ଏଣୁ ମୁଁ ତୁମକୁ ଗୋଟିଏ ଦିବ୍ୟ ପୁର ଦେବି ଯେଉଁଠାରେ ତୁମେ ଆନନ୍ଦରେ ବାସ କରିବ l

ଏହାପରେ ଭଗବାନ ବଳି ଶିରରେ ପାଦ ରଖି ତାକୁ ପାତାଳକୁ ଚାପିଦେଲେ l ଅତଳ,ବିତଳ ସୁତଳ,ତଳାତଳ,ମହାତଳ, ରସାତଳ, ପାତାଳ ଆଦି ସପ୍ତପାତାଳ ମଧ୍ୟରୁ ଉତ୍ତମ ସୁତଳ ବଳିଙ୍କର ବାସସ୍ଥାନ ହେଲା l ବଳିଙ୍କ ଅନୁରୋଧରେ ମଙ୍ଗଳ ମୟ ଭଗବାନ ବଳି ପୁରରେ ଦ୍ୱାର ପାଳ ହେଲେ ଓ ସୁଦର୍ଶନ ସୁରକ୍ଷା ପାଇଁ ନିଯୁକ୍ତ ହେଲେ l ବଳି ବିଷ୍ଣୁଙ୍କ ଆଶୀର୍ବାଦ ପାଇ ପାତାଳରେ ପ୍ରବେଶକରି ଏହାକୁ ସ୍ଵର୍ଗରେ ପରିଣତ କଲେ l

ଯେତେବେଳେ ଭଗବାନ ବିଷ୍ଣୁ ପାତାଳ ପୁରୀରେ ବଳି ଦ୍ୱାରରେ ଦ୍ୱାରପାଳ ହୋଇ ରହିଗଲେ,ଲଷ୍ମୀ ବୈକୁଣ୍ଠରେ ବ୍ୟଥିତ ହୋଇ ନାରଦଙ୍କୁ ଶ୍ରୀବିଷ୍ଣୁଙ୍କ ଅବସ୍ଥିତି ବିଷୟରେ ପ୍ରଶ୍ନ କରି ଜାଣିଲେ ଯେ ବିଷ୍ଣୁ ବଳିପୁରରେ ଦ୍ୱାରପାଳ ହୋଇ ରହିଛନ୍ତି l ମାଆ ଲକ୍ଷ୍ମୀ ଯାଇ ବଳି ପୁରରେ ପହଁଚି ମହାରାଜ ବଳି ହାତରେ ରାକ୍ଷୀ ପିନ୍ଧାଇ ଭାଈର ସମ୍ପର୍କ ସ୍ଥାପନ କଲେ ଓ ବଳିଠାରୁ ବିଷ୍ଣୁଙ୍କୁ ଉଦ୍ଧାର କରି ବୈକୁଣ୍ଠ ଫେରାଇ ଆଣିଲେ l ଏହିଠାରୁ ହିଁ ରାକ୍ଷା ବନ୍ଧନ ପର୍ବର ଉତ୍ପତ୍ତି l ଏଣୁ ରକ୍ଷାବନ୍ଧନ ମନ୍ତ୍ରରେ ପାଠ କରାଯାଏ :-
ୟେନ ବଧୋ ବଳିରାଜା ଦାନବେନ୍ଦ୍ର ମହାବଲଃ
ତେନ ତ୍ୱାମନୁବଂଧାମୀ ରକ୍ଷେ ମାଚଳ ମାଚଳ l

ଦ୍ୱିତୀୟ ଉପାଖ୍ୟାନଟି ଶ୍ରୀମଦ ଭାଗବତ ଏବଂ ମହାଭାରତରେ ଦେଖାଯାଇଥାଏ l ବିଦର୍ଭରାଜଙ୍କ କନ୍ୟା ଥିଲେ ଲକ୍ଷ୍ମୀ ସ୍ୱରୂପା ରୁକ୍ମିଣୀ l ସେ ଥିଲେ ଦ୍ୱାରକାଧିଶ ଶ୍ରୀକୃଷ୍ଣଙ୍କୁ ସମ୍ପୂର୍ଣ୍ଣ ରୂପେ ସମର୍ପିତା l ସେ ଦ୍ୱାରକାଧିଶଙ୍କୁ ବିବାହ କରିବାକୁ ଚାହୁଁଥିଲା ବେଳେ କୃଷ୍ଣ ଦ୍ରୋହି ତାଙ୍କଭାଈ ରୁକ୍ମି ଚେଦିରାଜ ଶିଶୁପାଳଙ୍କ ସହ ତାଙ୍କର ବିବାହ ଦେବାକୁ ସମସ୍ତ ଆୟୋଜନ କରିଥିଲା l ଘଟଣା କ୍ରମେ ରୁକ୍ମିଣୀଙ୍କୁ ଶ୍ରୀକୃଷ୍ଣ ହରଣ କରି ନେଇ ବିବାହ କରିଥିଲେ l ଶିଶୁପାଳ ବର ବେଶରେ ଆସି ନିରାଶ ହୋଇ ଫେରିଥିଲା l ଏଥିରେ ଶିଶୁପାଳ ନିଜକୁ ବହୁତ ଅପମାନିତ ବୋଧ କରି ଥିଲା l ସେ ଶ୍ରୀକୃଷ୍ଣଙ୍କ ଉପରେ ଏହାର ପ୍ରତିଶୋଧ ନେବା ପ୍ରତିଜ୍ଞା କରି ଥିଲା l ସୁଯୋଗ ଉଣ୍ଡି ବିଭିନ୍ନ ସମୟରେ କୃଷ୍ଣଙ୍କୁ ସେ ଅପମାନିତ କରୁଥିଲା l ପ୍ରକୃତରେ ଶିଶୁପାଳ ଥିଲା ଶ୍ରୀକୃଷ୍ଣଙ୍କର ପିଉସୀପୁଅ ଭାଈ l ସେ ତାକୁ କହି ଦେଇଥିଲେ ତା’ର ଶହେ ଗୋଟି ଅପରାଧ କ୍ଷମା କରି ଦେବେ କିନ୍ତୁ ଯେଉଁ ଦିନ ଏହା ଶହେ ଅତିକ୍ରମ କରିବ ସେଦିନ ତାର ଅନ୍ତ ହେବ l

ହସ୍ତିନାରେ ଧର୍ମରାଜ ଯୁଧିଷ୍ଠିର ରାଜସୂୟ ଯଜ୍ଞ କରୁଥାନ୍ତି l ଆର୍ଯ୍ୟାବର୍ତ୍ତର ଅନ୍ୟାନ୍ୟ ରାଜାମାନଙ୍କ ସହ ଶିଶୁପାଳ ସେଠାକୁ ଆମନ୍ତ୍ରିତ ହୋଇ ଆସି ଥାଏ l ଶ୍ରୀକୃଷ୍ଣ ରାଜସୂୟ ଯଜ୍ଞରେ ଥାଆନ୍ତି ମୁଖ୍ୟ ପୁରୋଧା l ଶିଶୁପାଳ ସେଠାରେ ପହଞ୍ଚି କୃଷ୍ଣଙ୍କୁ ସମସ୍ତଙ୍କ ସମ୍ମୁଖରେ ଖୁବ ଭର୍ତ୍ସନା କଲା l ଅର୍ଜୁନ ଏବଂ ଭୀମ ଶିଶୁପାଳକୁ ମାରିବା ପାଇଁ ଉଦ୍ୟତ ହେଉଥିଲା ବେଳେ ତାଙ୍କୁ ଶ୍ରୀକୃଷ୍ଣ କ୍ଷାନ୍ତ କଲେ l ସେତେବେଳେ ଶିଶୁପାଳର ଅନ୍ତଃ ସମୟ ଆସି ଯାଇଥିଲା l ଶ୍ରୀକୃଷ୍ଣ ତାଙ୍କର ସୁଦର୍ଶନ ଚକ୍ରକୁ ଶିଶୁପାଳ ଆଡ଼େ ତୀବ୍ର ବେଗରେ ପ୍ରେରଣ କରି ତାର ଶିରଛେଦ କଲେ l ଚକ୍ର ପ୍ରେରଣ କରିଲା ବେଳେ ସୁଦର୍ଶନଙ୍କ ଦାଢ଼ ବାଜି ତାଙ୍କର ଗୋଟିଏ ଆଙ୍ଗୁଳି କଟି ଯାଇ ରକ୍ତ ଵୋହିବାକୁ ଲାଗିଲା l ସମସ୍ତେ ବ୍ୟସ୍ତ ହୋଇପଡ଼ିଲେ l ପାଞ୍ଚାଳ ନନ୍ଦିନୀ ଦ୍ରୌପଦୀ ତୁରନ୍ତ ନିଜ ଅଞ୍ଚଳରୁ ଖଣ୍ଡେ କନା ଚିରି ସଖା ଶ୍ରୀକୃଷ୍ଣଙ୍କ କ୍ଷତରେ ବାନ୍ଧି ଦେଇ ଥିଲେ l

ଶ୍ରୀକୃଷ୍ଣ ଏହି ଠାରେ ଦ୍ରୌପଦୀଙ୍କୁ କହିଥିଲେ, “କୃଷ୍ଣା ମୁଁ ତୁମ ପାଖରେ ୠଣୀ ରହିଲି l ଏ ଋଣ ମୁଁ ଯଥା ସମୟରେ ପରିଶୋଧ କରିବି “l ସେହି ଯଥା ସମୟ ଆସିଥିଲା ଦ୍ରୌପଦୀଙ୍କ ବସ୍ତ୍ରହରଣ ସମୟରେ l ସେ ଶ୍ରୀକୃଷ୍ଣଙ୍କୁ ତାଙ୍କର ଲାଜରଖିବା ପାଇଁ ଆକୁଳ ନିବେଦନ କରିଥିଲେ ଆଉ ଶ୍ରୀକୃଷ୍ଣ ଶୂନ୍ୟରୁ କୋଟିବସ୍ତ୍ର ବଢ଼ାଇ ଦେଇ ଥିଲେ l ଶ୍ରୀକୃଷ୍ଣ ଦ୍ରୌପଦୀଙ୍କ ମଧ୍ୟରେ ସମ୍ପର୍କ ଥିଲା ଭାଇ ଭଉଣୀର l ପରସ୍ପରକୁ ସେମାନେ ସଖା ଓ ସଖି ବୋଲି ଡାକୁଥିଲେ l ଶ୍ରୀକୃଷ୍ଣଙ୍କ କାଣି ଅଙ୍ଗୁଳିରେ ସେ ଦିନ ଦ୍ରୌପଦୀ କାନିରୁ ଯେଇଁ କନା ଖଣ୍ଡକ ବାନ୍ଧିଥିଲେ ତାହା ଥିଲା ଭାଈ ଭଉଣୀଙ୍କ ଅତୁଟ ବନ୍ଧନର ନିଦର୍ଶନ l
ଅର୍ଜୁନୀ ଚରଣ ବେହେରା
ମୋ – 7693091971






