ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ କାଣ୍ଡଗୁଡ଼ା ଗ୍ରାମରେ ଘରୋଇ କଳହରୁ ଜଣେ ମହିଳା ବିଷଖାଇ ଆତ୍ମହତ୍ୟା କରିଥିବା ବେଳେ ସ୍ତ୍ରୀକୁ ଅତ୍ୟଧିକ ଅତ୍ୟାଚାର ଅଭିଯୋଗ ନେଇ ସ୍ୱାମୀ ଗିରଫ ହୋଇ କୋର୍ଟ ଚାଲାଣ। ମୃତ ମହିଳା ଜଣକ ରାମଦେଇ ମାଝୀ (୨୬) ଏବଂ ସ୍ୱାମୀ ସନ୍ତୋଷ ମାଝୀ (୨୮) । ପୋଲିସର ସୂଚନାନୁଯାୟୀ କାଣ୍ଡଗୁଡ଼ା ଗ୍ରାମର ସ୍ୱାମୀ ସନ୍ତୋଷ ମାଝୀ ଏବଂ ରାମଦେଇ ମାଝୀ ଉଭୟେ ଆଠ ନଅ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ ଏବଂ ତାଙ୍କର ଗୋଟିଏ ସନ୍ତାନ ଅଛି। ଗତ ୨୨ ତାରିଖ ଦିନ ଉଭୟେ ସ୍ୱାମୀ ସ୍ତ୍ରୀ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା ଏବଂ ସ୍ତ୍ରୀ ରାମଦେଇ ବିଷ ଖାଇଦେଇଥିଲା। ବିଷ ଖାଇବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ପରେ ଅବସ୍ଥା ଗୁରୁତର ହେବାରୁ ସେଠାରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ ଏବଂ ସେଠାରୁ ବୁର୍ଲା ନେଇଥିଲେ ଚିକିତ୍ସା ପାଇଁ। ବୁର୍ଲାଠାରେ ଚିକିତ୍ସାପରେ ମଧ୍ୟ କୌଣସି ଉନ୍ନତି ହୋଇନଥିବା ବେଳେ ଘରକୁ ଫେରାଇ ଆଣିଥିଲେ ଏବଂ ବୁଧବାର ଦିନ ନିଜ ଘରେ ମୃତ୍ୟୁବରଣ କରିଥିଲେ। ପରିବାର ଲୋକେ ମୃତ୍ୟୁ ଖବର ପାଇବା ପରେ ରାମଦେଇର ଭାଇ ରାଜୁ ମାଝୀ ବିଜେପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ବିଜେପୁର ପୋଲିସ ଅଭିଯୋଗ ପାଇବା ପରେ ଥାନାଧିକାରୀ ତୁଳସୀରାମ ଶବର ପୋଲିସ ବଳ ସହିତ ଯାଇ ମୃତଦେହ ଜବତ କରି ଲାଞ୍ଜିଗଡ ବ୍ୟବଛେଦ ପାଇଁ ପଠାଇଥିଲେ। ବୁଧବାର ରାତି ହୋଇଯିବାରୁ ଶବ ବ୍ୟବଛେଦ ହୋଇପାରିଲା ନାହିଁ I ଗୁରୁବାର ସକାଳେ ପୋଲିସ ମୃତ ରାମଦେଇର ସ୍ୱାମୀ ସନ୍ତୋଷ ମାଝୀକୁ ଘରୁ ଥାନାକୁ ଆଣି ପଚରା ଉଚୁରା କରିଥିଲେ। ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ସ୍ୱାମୀ ସନ୍ତୋଷକୁ ସ୍ତ୍ରୀକୁ ଅତ୍ୟଧିକ ଅତ୍ୟାଚାର ଅଭିଯୋଗରେ ଗିରଫ କରି ବିଜେପୁର ଥାନା କେଶ ନଂ ୩୦/୨୬ ରେ ଧାରା ୧୦୮ ବିଏନଏସ ରେ ଏକ ମାମଲା ରୁଜୁ କରି ଗୁରୁବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଶ୍ରୀ ଶବର ପ୍ରକାଶ କରିଛନ୍ତି ।





