ଲେଖିକା ଛବିରାଣୀ ପତି ପାଇଲେ ‘ସାରସ୍ବତ ସାଧିକା ସମ୍ମାନ’

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଜାଡ଼ିମଙ୍ଗଳା ସାହିତ୍ୟ ସଂସଦ ପକ୍ଷରୁ ରାଜ୍ୟସ୍ତରୀୟ ପବିତ୍ର ରକ୍ଷା ବନ୍ଧନ ମହୋତ୍ସବ ଓ ସମ୍ବର୍ଦ୍ଧନା ସମାରୋହ କଟକ ଚୌଧୁରୀବଜାରସ୍ଥିତ ଗୋପାଳଜୀଉ ମଠ ମଣ୍ଡପ ପ୍ରାଙ୍ଗଣରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସୁନାମଧନ୍ୟା କବୟିତ୍ରୀ, ଗାଳ୍ପିକା ଓ ଅନୁବାଦିକା ଶ୍ରୀମତୀ ଛବିରାଣୀ ପତିଙ୍କୁ ସାହିତ୍ୟ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ‘ସାରସ୍ବତ ସାଧିକା ସମ୍ମାନ’ରେ ସମ୍ମାନିତ କରାଯାଇଛି।ସୁସାହିତ୍ୟିକ ତଥା ନାଟ୍ୟକାର ଡ. ସଞ୍ଜିତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାରସ୍ବତ ସଭାକୁ ଗୋପାଳଜୀଉ ମଠର ମଠାଧୀଶ ମହନ୍ତ ସୃଜନ ଦାସ ମହାରାଜ ଉଦ୍ଘାଟନ କରିଥିଲେ। ବିଶିଷ୍ଟ ସ୍ତମ୍ଭକାର, ଗବେଷକ ତଥା ସୁସାହିତ୍ୟିକ ଡ. ବାବାଜୀ ଚରଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାହିତ୍ୟର ସାମାଜିକ ଦାୟିତ୍ୱ ଓ ସାରସ୍ବତ ସାଧନାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସମାରୋହରେ ବରେଣ୍ୟ ଅତିଥି ଭାବେ ରବୀନ୍ଦ୍ର କୁମାର ବସ୍ତିଆ, ସମାଜସେବୀ ଲଲାଟେନ୍ଦୁ ବଡୁ, ଶିକ୍ଷାବିତ୍ ଡ. କିଶୋର ଚନ୍ଦ୍ର ଦାସ, କର୍ପୋରେଟର ବନଲତା ପ୍ରଧାନ ଓ ବିଶିଷ୍ଟ କବୟିତ୍ରୀ ଲକ୍ଷ୍ମୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ପ୍ରଦୀପ କୁମାର ଦାସ ସମ୍ମାନିତ ପ୍ରତିଭାଙ୍କ ଉଦ୍ଦେଶ୍ୟରେ ମାନପତ୍ର ପାଠ କରିଥିଲେ। ସଂସଦର ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ କବୟିତ୍ରୀ ବସନ୍ତ କୁମାରୀ ନନ୍ଦ ରକ୍ଷା ବନ୍ଧନ ଉପରେ ଏକ ସୁନ୍ଦର ସଙ୍ଗୀତ ପରିବେଷଣ କରିଥିଲେ। ଉତ୍ସବରେ ରକ୍ଷା ବନ୍ଧନ ପାଳନ, ପୂଜାର୍ଚ୍ଚନା ଓ ମୁହଁମିଠା ସହ କୁନି କୁନି ପିଲାମାନଙ୍କ ଦ୍ୱାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ ଅନୁଷ୍ଠାନକୁ ଅଧିକ ଆକର୍ଷଣୀୟ କରିଥିଲା। ଶେଷରେ ରଞ୍ଜିତା ଦାସ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସମାପ୍ତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.