ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ଏକଲ ବିଦ୍ୟାଳୟ ଅଭିଯାନର ବଲାଙ୍ଗିର ଜିଲ୍ଲା ସଂଯୋଜକ ବିଭୀଷଣ ରଣା (୫୦)ଙ୍କ ଦେହାନ୍ତ ହୋଇଯାଇଛି | ଶ୍ରୀ ରଣାଙ୍କ ନିଜ ଗ୍ରାମ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କୁଲିଆଡୁଙ୍ଗୁରି ଗାଁ | ସେ ବଲାଙ୍ଗୀର ସହରର ସାଗର ପଡ଼ା ସ୍ଥିତ ଏକଲ ଅଭିଯାନ ଜିଲ୍ଲା କାର୍ଯ୍ୟାଳୟରେ ଅବସ୍ଥାନ କରି ଜିଲ୍ଲାର ଏକଲ ବିଦ୍ୟାଳୟ କଥା ବୁଝୁଥିଲେ | ଗତ ୨୧ ତାରିଖରୁ ସଇଁତଲା ବ୍ଲକ ଝିକିଡୁଙ୍ଗୁରିରେ ରହି ଅଞ୍ଚଳରେ ରହିଥିବା ଏକଲ ବିଦ୍ୟାଳୟ ସ୍ଥିତି ଦେଖାଶୁଣା କରୁଥିଲେ | ତେବେ ଶ୍ରୀ ରଣା ଶୁକ୍ରବାର ପୂର୍ବାହ୍ନରେ ପୋଖରୀକୁ ସ୍ନାନ ପାଇଁ ଯାଉଥିବା ବେଳେ ବାଟରେ ହଠାତ ପଡ଼ିଯାଇଥିଲେ | ସ୍ଥାନୀୟ ଲୋକେ ଶ୍ରୀ ରଣାଙ୍କୁ ଆମ୍ବୁଲାନ୍ସ ଯୋଗେ ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଖବର ପାଇ ସଇଁତଲା ଥାନା ପୋଲିସ, ଟିକ୍ରାପଡ଼ା ଫାଣ୍ଡି ପୋଲିସ, ପରିବାର ଜନ ପହଞ୍ଚିଥିଲେ | ଟିଟିଲାଗଡ଼ ଉପଖଣ୍ଡିୟ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା | ଶ୍ରୀ ରଣାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି | ଗତ ୩୦ ବର୍ଷ ହେଵ ଶ୍ରୀ ରଣା ଏକଲ ଅଭିଯାନ ସହ ଜଡ଼ିତ ରହି ବିଭିନ୍ନ ଦାୟିତ୍ୱ ଦକ୍ଷତାର ସହ ତୁଲାଇ ଆସୁଥିଲେ |





