୧୧୧ତମ ବାଘାଯତୀନ ଶହୀଦ ଦିବସ ପାଇଁ ପ୍ରସ୍ତୁତି ବୈଠକ

ଦୁଇ ଦିନିଆ କାର୍ଯ୍ୟକ୍ରମକୁ ଗରିମାମୟ କରିବା ଉପରେ ହେଲା ଆଲୋଚନା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ମହାନ ବିପ୍ଳବୀ ବାଘାଯତୀନଙ୍କ ୧୧୧ତମ ଶହୀଦ ଦିବସ ପାଳନ ପାଇଁ ପ୍ରସ୍ତୁତି ନେଇ ଶନିବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରମୋଦ କୁମାର ମଲ୍ଲିକ, ଡେପୁଟି ଜିଲ୍ଲାପାଳ ପ୍ରବୋଧ କୁମାର ମଲ୍ଲିକ, ବାଲେଶ୍ୱର ପୌରପାଳିକାର ନିର୍ବାହୀ ଅଧିକାରୀ ସିରିଆଲ ପଟେଲ, ରେମୁଣା ବିଡିଓ ସାର୍ଥକ ସୌରଭଙ୍କ ସମେତ ବାଘାଯତୀନ ଉନ୍ନୟନ କମିଟି ଓ ବାଘାଯତୀନ ବିକାଶ ପରିଷଦର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଆଗାମୀ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ବାଲେଶ୍ୱର ସହରର ବାରବାଟୀ ଏବଂ ରେମୁଣା ବ୍ଲକ ଅନ୍ତର୍ଗତ ଚଷାଖଣ୍ଡସ୍ଥିତ ବାଘାଯତୀନ ଶହୀଦ ପୀଠରେ ଦୁଇଦିନିଆ ଶହୀଦ ଦିବସ ପାଳନ କରାଯିବ। ଏହି ଅବସରରେ ଶହୀଦ ବାଘାଯତୀନଙ୍କ ବୀରତ୍ୱ, ଦେଶପ୍ରେମ ଓ ଅମର ବଳିଦାନକୁ ସ୍ମରଣ କରାଯିବ। କାର୍ଯ୍ୟକ୍ରମକୁ ଶୃଙ୍ଖଳିତ, ସୁଚାରୁ ଓ ଗରିମାମୟ ଭାବେ ଆୟୋଜନ କରିବା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଉଭୟ ଆୟୋଜକ କମିଟି ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟକ୍ରମର ସମସ୍ତ ପ୍ରସ୍ତୁତି ସମ୍ପନ୍ନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ବାଘାଯତୀନ ଉନ୍ନୟନ କମିଟିର କାର୍ଯ୍ୟକାରୀ ସଭାପତି ସୁଜିତ କୁମାର ଦେବ, ସାଧାରଣ ସମ୍ପାଦକ ହରେନ୍ ରଣା, ବାଘାଯତୀନ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଗୋପୀନାଥ ସେନାପତି ଏବଂ ସାଧାରଣ ସମ୍ପାଦକ ସର୍ବେଶ୍ୱର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆୟୋଜନ ସମ୍ପର୍କିତ ବିଭିନ୍ନ ପ୍ରସ୍ତାବ ଓ ପ୍ରସ୍ତୁତି ଉପରେ ମତ ରଖିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.