କୋରାପୁଟ ପ୍ରବେଶପଥରେ ‘ନମସ୍ତେ’ର ନୂଆ ଆକର୍ଷଣ

ପର୍ଯ୍ୟଟକଙ୍କୁ ସ୍ୱାଗତ କରିବ ପ୍ରତିମୂର୍ତ୍ତି, ସ୍ୱାୟତ୍ତ ଶାସନ ଦିବସ ପୂର୍ବରୁ ହେଲା ଲୋକାର୍ପଣ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ ଓ ପର୍ଯ୍ୟଟନର ଅସୀମ ସମ୍ଭାବନା ପାଇଁ ପରିଚିତ କୋରାପୁଟ ସହରରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଆକର୍ଷଣ। ସ୍ୱାୟତ୍ତ ଶାସନ ଦିବସର ଗୋଟିଏ ଦିନ ପୂର୍ବରୁ କୋରାପୁଟ ସରକାରୀ ମହିଳା ମହାବିଦ୍ୟାଳୟ ନିକଟରେ ଆକର୍ଷଣୀୟ ‘ନମସ୍ତେ’ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଛି। ଏହି ପ୍ରତିମୂର୍ତ୍ତି କୋରାପୁଟକୁ ପ୍ରବେଶ କରୁଥିବା ପର୍ଯ୍ୟଟକ ଓ ଅତିଥିଙ୍କୁ ଭାରତୀୟ ପରମ୍ପରାର ‘ନମସ୍ତେ’ ଅଭିବାଦନ ମାଧ୍ୟମରେ ସ୍ୱାଗତ କରିବ। ଆନୁଷ୍ଠାନିକ ଭାବେ ଏହି ନୂଆ ପ୍ରତିମୂର୍ତ୍ତିକୁ ଲୋକାର୍ପଣ କରିଛନ୍ତି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ। ସହରର ପ୍ରବେଶପଥରେ ସ୍ଥାପିତ ଏହି ଆକର୍ଷଣୀୟ ସ୍ଥାପତ୍ୟ କୋରାପୁଟର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇବା ସହ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ଆଶା କରାଯାଉଛି। କୋରାପୁଟର ପରିଚୟ କେବଳ ପାହାଡ଼, ଝରଣା ଓ ସବୁଜ ପ୍ରକୃତି ମଧ୍ୟରେ ସୀମିତ ନୁହେଁ; ଏଠାକାର ଆଦିବାସୀ ସଂସ୍କୃତି, ପରମ୍ପରା ଓ ଆତିଥ୍ୟ ମଧ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ଏହି ପରିପ୍ରେକ୍ଷୀରେ ସହରର ପ୍ରବେଶପଥରେ ‘ନମସ୍ତେ’ ପ୍ରତିମୂର୍ତ୍ତି ସ୍ଥାପନ ଏକ ସୁନ୍ଦର ବାର୍ତ୍ତା ବହନ କରୁଛି। ଆଗାମୀ ଦିନରେ ଏହି ସ୍ଥାନ ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷଣୀୟ ଫଟୋ ପଏଣ୍ଟ ଭାବେ ମଧ୍ୟ ପରିଚିତ ହେବାର ଆଶା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.