କୋରାପୁଟ: ସେଣ୍ଟ୍ରାଲ ୟୁନିଭରସିଟି ଅଫ୍ ଓଡ଼ିଶାର ୧୮ତମ ବାର୍ଷିକ ଉତ୍ସବ ପାଳିତ, ଛାତ୍ରଙ୍କ ସମସ୍ୟାର ସମାଧାନ କେବେ?

ବାରମ୍ବାର ଆନ୍ଦୋଳନ, ଫାଟକରେ ତାଲା; ଆଶ୍ୱାସନ ପରେ ବାସ୍ତବ ସମାଧାନ ନେଇ ପ୍ରଶ୍ନ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): କୋରାପୁଟ ସ୍ଥିତ ସେଣ୍ଟ୍ରାଲ ୟୁନିଭରସିଟି ଅଫ୍ ଓଡ଼ିଶାର ୧୮ତମ ବାର୍ଷିକ ଉତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଶିକ୍ଷା, ଗବେଷଣା ଓ ଭବିଷ୍ୟତ ଲକ୍ଷ୍ୟକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା। ତେବେ ଉତ୍ସବର ଚମକ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପୁରୁଣା ସମସ୍ୟା ଓ ଅଭିଯୋଗର ସମାଧାନ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି। ବାର୍ଷିକ ଉତ୍ସବରେ କୁଳପତି ପ୍ରଫେସର ଅଜିତ କୁମାର ଶାସଣା ସଭାପତିତ୍ୱ କରିଥିବା ବେଳେ ନିସର (NISER)ର ନିର୍ଦ୍ଦେଶକ ପ୍ରଫେସର ହିରେନ୍ଦ୍ରନାଥ ଘୋଷ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପଦ୍ମଶ୍ରୀ ଗୋବର୍ଦ୍ଧନ ପାଣିକା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏଥିସହ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁରର କୁଳପତି ପ୍ରଫେସର ହୃଷୀକେଶ ସେନାପତି, କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ, ସିୟୁଓର ଭାରପ୍ରାପ୍ତ କୁଳସଚିବ ଡଃ ସଞ୍ଜୟ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ନିର୍ଝରିଣୀ ତ୍ରିପାଠୀ ରାଷ୍ଟ୍ରପତିଙ୍କ ବାର୍ତ୍ତା ଏବଂ ପ୍ରଦୋଷ କୁମାର ରଥ ରାଜ୍ୟପାଳଙ୍କ ବାର୍ତ୍ତା ପାଠ କରିଥିଲେ। ତେବେ ଏହି ଭବ୍ୟ ଆୟୋଜନ ମଧ୍ୟରେ ଛାତ୍ରଛାତ୍ରୀଙ୍କ ସମସ୍ୟା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ୨୦୨୬ ଫେବୃଆରୀରେ ଛାତ୍ରଛାତ୍ରୀମାନେ ୯-ଦଫା ଦାବି ନେଇ ସୁନାବେଡ଼ା କ୍ୟାମ୍ପସର ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ଏଥିରେ ଅଧ୍ୟାପକ ଓ କର୍ମଚାରୀମାନେ ଫାଟକ ବାହାରେ ଅଟକିଥିଲେ। ଛାତ୍ରମାନଙ୍କ ଅଭିଯୋଗ ମଧ୍ୟରେ କେତେକ ବିଭାଗର ଫଳ ପ୍ରକାଶରେ ବିଳମ୍ବ, ହଷ୍ଟେଲରେ ପାଣି ଓ Wi-Fi ସମସ୍ୟା, ସ୍ମାର୍ଟ ବୋର୍ଡ ଅଭାବ ଏବଂ ଛାତ୍ରବୃତ୍ତି ନମିଳିବା ଭଳି ପ୍ରସଙ୍ଗ ରହିଥିଲା। ଏହା ପରେ ଏପ୍ରିଲରେ ପୁଣି ଛାତ୍ରଛାତ୍ରୀମାନେ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। ଏଥର SC/ST ଛାତ୍ରଛାତ୍ରୀଙ୍କ ନେତୃତ୍ୱରେ ଫି’ ଛାଡ଼ ବ୍ୟବସ୍ଥାରେ ସଂରକ୍ଷଣ ଲାଗୁ, ଆମ୍ବେଦକର ସେଣ୍ଟର ଅଫ୍ ଏକ୍ସେଲେନ୍ସ କାର୍ଯ୍ୟକ୍ଷମ କରିବା, SC/ST ସେଲ୍‌ର ପୁନର୍ଗଠନ ଏବଂ ଛାତ୍ରଛାତ୍ରୀଙ୍କୁ ସମାନ ସୁବିଧା ଦେବା ଭଳି ଦାବି ଉଠିଥିଲା। ହଷ୍ଟେଲରେ ଜିମ୍, ଅଡିଟୋରିୟମ୍ ଓ ଲାଇବ୍ରେରୀ ସମୟରେ ସମାନତା ନେଇ ମଧ୍ୟ ଦାବି ହୋଇଥିଲା। ଛାତ୍ର ଅସନ୍ତୋଷର ଏହି ଧାରା ନୂଆ ନୁହେଁ। ୨୦୧୮ରେ ମଧ୍ୟ ୬୦-ଦଫା ଦାବି ନେଇ ଛାତ୍ରମାନେ ଆନ୍ଦୋଳନ କରିଥିଲେ। ସେତେବେଳେ ବିଶ୍ୱବିଦ୍ୟାଳୟକୁ ସାଇନ୍-ଡାଏ ବନ୍ଦ କରାଯାଇଥିବା ରିପୋର୍ଟ ରହିଛି। ବର୍ଷ ପରେ ବର୍ଷ ଛାତ୍ରଙ୍କ ସମସ୍ୟା ନେଇ ଆନ୍ଦୋଳନ ହେଉଥିବାରୁ ସମସ୍ୟାର ସ୍ଥାୟୀ ସମାଧାନ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ଏବେ ୧୮ତମ ବାର୍ଷିକ ଉତ୍ସବ ପାଳିତ ହୋଇଥିବା ବେଳେ ପୂର୍ବରୁ ଛାତ୍ରଛାତ୍ରୀ ଉଠାଇଥିବା ଦାବିଗୁଡ଼ିକରୁ କେତୋଟି ସମାଧାନ ହୋଇଛି ଓ କେତୋଟି ଏବେ ବି ଅପୂରଣ ରହିଛି? ଏହାର ସ୍ପଷ୍ଟ ଉତ୍ତର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆଶା କରୁଛନ୍ତି। ବାର୍ଷିକ ଉତ୍ସବର ଚମକ ସହ ଛାତ୍ରଙ୍କ ସମସ୍ୟାର ସମାଧାନ—ଏହି ଦୁଇଟି ହିଁ ବିଶ୍ୱବିଦ୍ୟାଳୟର ସଫଳତାର ପ୍ରକୃତ ମାପକାଠି ନୁହେଁ କି?

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.