ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଛତ୍ରପୁର ପଞ୍ଚାୟତ ଭାଟଗୁଡ଼ା ଗ୍ରାମରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ ଭାଟଗୁଡ଼ା ଗ୍ରାମର ମନ ମାଝୀଙ୍କ ସ୍ତ୍ରୀ ମେରକୁ ମାଝୀ (୪୦)। ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।ପୁଲିସ ସୂଚନା ମୁତାବକ, ରବିବାର ରାତିରେ ମନ ମାଝୀ ଓ ତାଙ୍କ ସ୍ତ୍ରୀ ମେରକୁ ମାଝୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସୋମବାର ସକାଳୁ ଘର ଭିତରେ ମେରକୁଙ୍କ ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ମୃତ ମେରକୁଙ୍କ ଭାଇ ମାଳି ମାଝୀ ଭାଟଗୁଡ଼ାରେ ପହଞ୍ଚି ଭଉଣୀର ମୃତଦେହ ଦେଖି ଲାଞ୍ଜିଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଭଉଣୀକୁ ଭିଣୋଇ ମନ ମାଝୀ କାଠ ଫାଳିଆରେ ପିଟି ହତ୍ୟା କରିଥିବା ସେ ଅଭିଯୋଗରେ ଦର୍ଶାଇଥିଲେ। ଲିଖିତ ଅଭିଯୋଗ ପାଇବା ପରେ ଲାଞ୍ଜିଗଡ଼ ଥାନାଧିକାରୀ ଯଶବନ୍ତ ହିଆଁଲ ପୁଲିସ ବଳ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଏନେଇ ଲାଞ୍ଜିଗଡ଼ ଥାନା କେସ୍ ନଂ ୧୦୦/୨୬ ରେ ମାମଲା ରୁଜୁ କରାଯାଇ ସ୍ୱାମୀ ମନ ମାଝୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୁଲିସ। ବ୍ୟବଚ୍ଛେଦ ପରେ ଶବ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।





