ବାଲେଶ୍ଵରରେ ହଟିବ ଅନଧିକୃତ ପାର୍କିଂ ଓ ଜବରଦଖଲ : ସଡ଼କ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଜିଲ୍ଲାରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଦୁର୍ଘଟଣା ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇଛି। ଏ ନେଇ ସୋମବାର ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ହେମନ୍ତ କୁମାର ସିଂହ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଆରଟିଓ ଶ୍ୟାମଳେନ୍ଦୁ ରାଉତ, ଡିଏସ୍‌ପି (ଟ୍ରାଫିକ୍) ପ୍ରଜ୍ଞା ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରବୋଧ କୁମାର ମଲିକଙ୍କ ସମେତ ଆର୍‌ ଆଣ୍ଡ୍‌ ବି ବିଭାଗ ଓ ଏନ୍‌ଏଚ୍‌ଏଆଇର ଯନ୍ତ୍ରୀ, ଜାତୀୟ ରାଜପଥ ପାଟ୍ରୋଲିଂ ଟିମ୍‌ର ସଦସ୍ୟ, ବସ୍‌ ଆସୋସିଏସନ୍‌ର ପ୍ରତିନିଧି ଏବଂ ସାମାଜିକ କର୍ମୀମାନେ ଯୋଗ ଦେଇଥିଲେ। ବୈଠକରେ ଜିଲ୍ଲାର ବିଭିନ୍ନ ସଡ଼କ ଓ ଜାତୀୟ ରାଜପଥର ସୁରକ୍ଷା ସମ୍ପର୍କିତ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଜାତୀୟ ରାଜପଥ କଡ଼ରେ ଅନଧିକୃତ ପାର୍କିଂ ହଟାଇବା ଏବଂ ଜବରଦଖଲ ରୋକିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

ଜାତୀୟ ରାଜପଥରେ ଗୋରୁ ଓ ଅନ୍ୟାନ୍ୟ ପଶୁଙ୍କ ଯୋଗୁଁ ଘଟୁଥିବା ଦୁର୍ଘଟଣା ରୋକିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ଏଥିପାଇଁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ (ସିଡିଭିଓ)ଙ୍କୁ ଜାତୀୟ ରାଜପଥ ପାଟ୍ରୋଲିଂ ଟିମ୍‌ଗୁଡ଼ିକୁ ରେଡିୟମ୍‌ ପ୍ରତିଫଳକ ଟେପ୍‌ ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସଡ଼କ ସୁରକ୍ଷା ନିୟମର କଡ଼ାକଡ଼ି ଅନୁପାଳନ ପାଇଁ ଆରଟିଓଙ୍କୁ ପ୍ରବର୍ତ୍ତନମୂଳକ କାର୍ଯ୍ୟକଳାପ ଆହୁରି ତୀବ୍ର କରିବାକୁ କୁହାଯାଇଥିଲା। ଦୁର୍ଘଟଣାପ୍ରବଣ ଚିହ୍ନଟ ବ୍ଲାକ୍‌ସ୍ପଟ୍‌ଗୁଡ଼ିକରେ ପର୍ଯ୍ୟାପ୍ତ ସଂଖ୍ୟକ ଆମ୍ବୁଲାନ୍ସ, କ୍ରେନ୍‌ ଓ ଜେସିବି ମେସିନ୍‌ ମୁତୟନ ରଖିବାକୁ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା। ଦୁର୍ଘଟଣା ଘଟିବା ମାତ୍ରେ ଯେପରି ତୁରନ୍ତ ଉଦ୍ଧାର, ଜରୁରୀକାଳୀନ ସେବା ଓ ରିଲିଫ୍‌ କାର୍ଯ୍ୟ କରାଯାଇପାରିବ, ସେଥିପାଇଁ ଆବଶ୍ୟକ ସମସ୍ତ ପ୍ରସ୍ତୁତି ଓ ସମନ୍ୱୟ ଉପରେ ବୈଠକରେ ଜୋର ଦିଆ ଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.