ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମରେ ୫୧ଟି ଅଭିଯୋଗ ମଧ୍ୟରୁ ୪ଟିର ହେଲା ତତ୍କାଳ ସମାଧାନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ରେମୁଣା ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ରେମୁଣା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ୧୦ଟାରେ ଅନୁଷ୍ଠିତ ଏହି ଜନଶୁଣାଣିରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଲୋକେ ସେମାନଙ୍କ ସମସ୍ୟା ଓ ଅଭିଯୋଗ ଉପସ୍ଥାପନ କରିଥିଲେ। ଜନଶୁଣାଣିରେ ମୋଟ ୫୧ ଜଣ ଅଭିଯୋଗକାରୀ ସେମାନଙ୍କ ଅଭିଯୋଗପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୪୮ଟି ବ୍ୟକ୍ତିଗତ ଅଭିଯୋଗ, ୨ଟି ସାମୂହିକ ଅଭିଯୋଗ ଥିବାବେଳେ ଜଣେ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ପାଇଁ ଆବେଦନ କରିଥିଲେ। ଉପସ୍ଥାପିତ ଅଭିଯୋଗଗୁଡ଼ିକ ମଧ୍ୟରୁ ୪ଟିର ତତ୍କାଳ ସମାଧାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପରେଶ ରାଉତ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ହେମନ୍ତ କୁମାର ସିଂହ, ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ କୁମାର ରାଉତ, ବାଲେଶ୍ୱର ଉପଜିଲ୍ଲାପାଳ ଶିବ ମାଲବ୍ୟ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡା. ଦିଲ୍ଲୀପ କୁମାର ଜେନା, ରେମୁଣା ବିଡିଓ ସାର୍ଥକ ସୌରଭ ମହାପାତ୍ର ଓ ରେମୁଣା ତହସିଲଦାର ବର୍ଷା ପରିଡ଼ାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।ଜନସାଧାରଣଙ୍କ ଅଭିଯୋଗ ଓ ସମସ୍ୟାଗୁଡ଼ିକର ଶୁଣାଣି କରାଯିବା ସହ ତାହାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମ୍ପୃକ୍ତ ବିଭାଗଗୁଡ଼ିକ ଅଭିଯୋଗଗୁଡ଼ିକୁ ନିୟମାନୁସାରେ ତ୍ୱରିତ ଭାବେ ସମାଧାନ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.