ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ମୟୂରଭଞ୍ଜ ଜିଲ୍ଲାର ଉଦଳା ବ୍ଲକ୍ ଅନ୍ତର୍ଗତ ବଡ଼ସିଙ୍ଗାରିଆ ଗ୍ରାମପଞ୍ଚାୟତରେ ପ୍ରଥମ ଥର ପାଇଁ ଅଭିନବ ଗ୍ରାମପଞ୍ଚାୟତ ସ୍ତରୀୟ ସମନ୍ୱୟ ମେଳା ଆୟୋଜିତ ହୋଇଯାଇଛି। ଆମ୍ବଡିହା ଦୁଗଧାସ୍ଥିତ ତାରିଣୀ ମନ୍ଦିର ପ୍ରାଙ୍ଗଣରେ ଦିବସବ୍ୟାପୀ ଆୟୋଜିତ ଏହି ମେଳାରେ ଗ୍ରାମବାସୀ, ଜନପ୍ରତିନିଧି ଓ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ଏକାଠି ହୋଇ ଗ୍ରାମୀଣ ବିକାଶର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗ୍ରାମବାସୀଙ୍କ ସକ୍ରିୟ ସହଭାଗିତାରେ ପ୍ରସ୍ତୁତ ଗ୍ରାମ୍ୟ ବିକାଶ ଯୋଜନାକୁ ସରକାରୀ ବିଭାଗର ଅଧିକାରୀଙ୍କ ନିକଟରେ ଉପସ୍ଥାପନ ଓ ହସ୍ତାନ୍ତର କରିବା। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଗ୍ରାମୀଣ ବିକାଶ ପ୍ରକ୍ରିୟାକୁ ଅଧିକ ସୁଦୃଢ଼, ଗତିଶୀଳ ଓ ସ୍ୱଚ୍ଛ କରିବା ସହ ସରକାରୀ ଯୋଜନା, ସେବା ଓ ସୁବିଧା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଏହାର ଅନ୍ୟତମ ଲକ୍ଷ୍ୟ ଥିଲା।ବଡ଼ସିଙ୍ଗାରିଆ ଗ୍ରାମପଞ୍ଚାୟତ ଅଧୀନ ୨୩ଟି ଗ୍ରାମର ପ୍ରାୟ ୪୦୦ ଜଣ ଲୋକ ମେଳାରେ ଉତ୍ସାହର ସହିତ ଯୋଗଦେଇଥିଲେ।ଗ୍ରାମପଞ୍ଚାୟତ ସମନ୍ୱୟ ସମିତି ଓ ଗ୍ରାମ ଉନ୍ନୟନ କମିଟିର ସଦସ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଆଶା କର୍ମୀ ଓ ଅଙ୍ଗନୱାଡ଼ି କର୍ମୀମାନେ ମଧ୍ୟ ଏଥିରେ ସକ୍ରିୟ ଭୂମିକା ନେଇଥିଲେ। ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢ଼େଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ମେଳାର ଉଦ୍ଘାଟନ କରିଥିଲେ। ଉଦଳା ବ୍ଲକ୍ ଅତିରିକ୍ତ ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ମହାନ୍ତି, ବଡ଼ସିଙ୍ଗାରିଆ ସରପଞ୍ଚ ସୁନାରାମ ଟୁଡୁ, ଯୁବ ବିକାଶର ସଭାପତି ଗୋବିନ୍ଦ ବଲ୍ଳଭ ଦଳାଇ, ବରିଷ୍ଠ କର୍ମକର୍ତ୍ତା ଅସିତ ଦଳାଇ, ବ୍ଲକ୍ ମହାସଂଘର ସଭାପତି ବିଷ୍ଣୁପ୍ରିୟା ପଣ୍ଡା, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ହୃଦାନନ୍ଦ ବେହେରା, ପ୍ରାଣୀଧନ ଚିକିତ୍ସକ ଡ. ପୁଷ୍ପିତା ପାତ୍ର, ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତି ଓ ସନ୍ତୋଷ ବାଛିନି, ଉଦଳା ବ୍ଲକ୍ ଚେୟାରମ୍ୟାନଙ୍କ ପ୍ରତିନିଧି ଶତୃଘ୍ନ ବିଶ୍ୱାଳ, ମୌନଧ୍ୱନିର ମାନବ ସମ୍ବଳ ମୁଖ୍ୟ ପ୍ରବୀର ଜେନା, ଗ୍ରାମ ବିକାଶ ସ୍ୱେଚ୍ଛାସେବୀ ସଂଗଠନର ବରିଷ୍ଠ କର୍ମକର୍ତ୍ତା ସନ୍ତୋଷ ପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଅଧିକାରୀ ଓ ଜନପ୍ରତିନିଧିମାନେ ଗ୍ରାମବାସୀଙ୍କ ସହ ଆଲୋଚନା କରି ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ବିଭାଗୀୟ ସମନ୍ୱୟର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ଗ୍ରାମବାସୀମାନେ ବଡ଼ସିଙ୍ଗାରିଆକୁ ଏକ ଆଦର୍ଶ ଗ୍ରାମପଞ୍ଚାୟତ ଭାବେ ଗଢ଼ି ତୋଳିବା ପାଇଁ ସଂକଳ୍ପ ନେଇଥିଲେ।ଦେବେନ୍ଦ୍ର ରାଉଳ ମଞ୍ଚ ପରିଚାଳନା କରିଥିବାବେଳେ ସମାବେଶର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ‘ଯୁବ ବିକାଶ’ ଓ ‘ପରିବେଶ ଫାଉଣ୍ଡେସନ’ର କର୍ମକର୍ତ୍ତାମାନେ ମେଳାର ସୁଚାରୁ ପରିଚାଳନାରେ ସହଯୋଗ କରିଥିଲେ।





