କଳିଙ୍ଗ ଇତିହାସର ଏକ ଅନାଲୋଚିତ ଅଧ୍ୟାୟ 

ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀର ପ୍ରାରମ୍ଭରେ ଚନ୍ଦ୍ରବଂଶୀ ଉଡ୍ର (ଓଡ) ଜନଗୋଷ୍ଠୀ ସ୍ବ ଦଳପତି ଉଡ୍ରସେଣଙ୍କ ନେତୃତ୍ୱରେ ନିଜର ବିଶାଳ ଗୋ-ସଂପଦ ସାଥିରେ ନେଇ କଳିଙ୍ଗକୁ ଆଗମନ କଲେ। କଳିଙ୍ଗର ଉପକୂଳବର୍ତ୍ତୀ ଉର୍ବର ଅଞ୍ଚଳରେ ବସତି ସ୍ଥାପନ କରି ବଂଶ ବିସ୍ତାର ପରେ କ୍ରମଶଃ ସାରା ରାଜ୍ୟକୁ ବ୍ୟାପ୍ତ ହୋଇଥିଲେ। ସେହି ସମୟରେ କଳିଙ୍ଗରେ କନ୍ଧ, ଗୋଣ୍ଡ, ଶବର, ଡମ୍ବ, କାଳିନ୍ଦୀ, କରୁବାକ, ଡୁମାଲ, ମାଳି, ପାଟରା, କଲୁଥା, ତେଲି, ତନ୍ତି, କୁମ୍ଭାର, ପାଣ ଆଦି ସହ ଅନେକ ଜନଗୋଷ୍ଠୀ ସବୁ ପରସ୍ପର ଭିତରେ ଉତ୍ତମ ଭାଇଚାରା ସଂପର୍କ ଗଢ଼ି ତୋଳି ଜନପଦମାନଙ୍କ ଦ୍ବାରା ଗଣତାନ୍ତ୍ରିକ ପଦ୍ଧତିରେ ମନୋନୀତ ଶାସନକର୍ତ୍ତାଙ୍କ ଦ୍ବାରା ଶାସିତ ହେଉଥିଲେ। ଅବଶ୍ୟ ଉକ୍ତ ଶାସନକର୍ତ୍ତାଙ୍କୁ କଳିଙ୍ଗ ବାହାରେ ସମସ୍ତେ ରାଜାର ମାନ୍ୟତା ଦେଉଥିଲେ। ଉଡ୍ରମାନଙ୍କୁ କଳିଙ୍ଗର ତଦାନୀନ୍ତନ ଜନଜୀବନ ସହିତ ଖାପଖୁଆଇବାରେ ଦଳପତି ଉଡ୍ରସେଣଙ୍କର ଉଦାର ବ୍ୟକ୍ତିତ୍ବ ଓ ଦୃଢ଼ ନେତୃତ୍ବ ଅତିମାତ୍ରାରେ ପ୍ରଭାବିତ କରିଥିଲା କାରଣ ଖୁବ୍ କମ୍ ସମୟ ମଧ୍ୟରେ ଉଡ୍ରସେଣଙ୍କ ଚୁମ୍ବକୀୟ ବ୍ୟକ୍ତିତ୍ଵ କଳିଙ୍ଗର ସମସ୍ତ ଜନଗୋଷ୍ଠୀଙ୍କୁ ଆକର୍ଷିତ କରିଥିଲା। କିନ୍ତୁ ସମଗ୍ର ରାଜ୍ୟର ନେତୃତ୍ବ ନେବା ପୂର୍ବରୁ ତାଙ୍କର ଅସମୟରେ ଦେହାନ୍ତ ହୋଇଯାଇଥିଲା। ଉଡ୍ରମାନେ କୃଷି ଓ ଗୋପାଳନରେ ଖୁବ୍ ପାରଦର୍ଶିତା ଲାଭ କରିଥିଲେ ତେଣୁ ଉପକୂଳବର୍ତ୍ତୀ କଳିଙ୍ଗର ଉର୍ବର କୃଷି ତଥା ଚାରଣ ଭୂମିର ସଫଳ ଉପଯୋଗ ପୂର୍ବକ ଖୁବ୍ କମ୍ ସମୟ ମଧ୍ୟରେ ସେମାନେ ବିତ୍ତଶାଳୀ ହେବା ସାଥେ ସାଥେ ରାଜ୍ୟର ସାମାଜିକ ଜୀବନରେ ବେଶ୍ ପ୍ରଭାବଶାଳୀ ଜନଗୋଷ୍ଠୀ ଭାବେ ବିବେଚିତ ହେବାରେ ଲାଗିଲେ। କାଳକ୍ରମେ କେବଳ ଗୋପାଳନ ଉପରେ ନିର୍ଭର କରୁଥିବା ଓଡ-ଗୋଷ୍ଠୀ, କୃଷି କାର୍ଯ୍ୟ କରୁଥିବା ଓଡ-ଗୋଷ୍ଠୀ ଠାରୁ ପୃଥକ ହୋଇ ଗୋ-ଓଡ ବା ଗୌଡ଼ ଭାବେ ବିବେଚିତ ହେଲେ। କିନ୍ତୁ ପ୍ରାକ୍ କଳିଙ୍ଗଯୁଦ୍ଧ ପର୍ଯ୍ୟନ୍ତ ଉଭୟ ଗୋଷ୍ଠୀଙ୍କୁ ଗୋଟିଏ ଜନଗୋଷ୍ଠୀ ବା ଜନପଦର ମାନ୍ୟତା ଦିଆଯାଉଥିଲା। କାରଣ ଇତିହାସ ମତରେ ଖ୍ରୀ.ପୂ. ତୃତୀୟ ଶତାବ୍ଦୀ (ଖ୍ରୀ.ପୂ. ୨୬୧) କଳିଙ୍ଗଯୁଦ୍ଧରେ କଳିଙ୍ଗସେନାନୀର ସେନାନାୟକ ଥିଲେ ଏକକ ଉଡ୍ରଜନପଦର ଦୁର୍ଦ୍ଦର୍ଷ ବୀର ପୂରୁଷ ଭୀମା ରାଉତ ଓ ଉପ-ସେନାନାୟିକା ଥିଲେ କରୁବାକ ଜନପଦର ବୀରା ରମଣୀ କାରୁବାକୀ, ଯାହାଙ୍କର ଅଦ୍ଭୁତପୂର୍ବ ରଣକୌଶଳ ମଗଧ ସେନାନୀ ତଥା ରଣପିପାସୁ ସମ୍ରାଟ ଅଶୋକଙ୍କୁ ମଧ୍ୟ ଆଚମ୍ବିତ କରିଦେଇଥିଲା।

କଳିଙ୍ଗ ଯୁଦ୍ଧର ଭୟବହତା କଳିଙ୍ଗର ସାମାଜିକ ଓ ଆଧ୍ୟାତ୍ମିକ ଜୀବନ ଉପରେ ଖୁବ୍ ପ୍ରତିକୂଳ ପ୍ରଭାବ ପକାଇଲା। ଅନେକ ଯୋଗ୍ୟ ବ୍ୟକ୍ତିଙ୍କର ମୃତ୍ୟୁ ଓ ପଙ୍ଗୁ ହୋଇଯିବା ଦ୍ଵାରା ସମାଜ ତାର ପୂର୍ବ ଚଳଚଞ୍ଚଳତା ହରାଇ ସ୍ଥାଣୁ ପ୍ରାୟ ହୋଇଗଲା। କଳିଙ୍ଗର ବୀରାକନ୍ୟା କାରୁବାକୀଙ୍କ ସମେତ ଅନେକ କୁଶଳୀ ଯୋଦ୍ଧା ବନ୍ଦୀ ହୋଇ ପାଟଳୀପୁତ୍ର ଗଲେ। ହୃଦୟ ପରିବର୍ତ୍ତନ ହେବାର ଦାବି କରୁଥିବା ଅଶୋକ ସେମାନଙ୍କୁ ମୁକ୍ତ କରିବା କଥା କାହିଁ କେଉଁ ଶିଳାଲିପିରେ ତ ଉଲ୍ଲେଖ କଲେ ନାହିଁ। ଅଶୋକଙ୍କ ଚରିତ୍ରର କ୍ରୂରତା ଓ ଅମାନୁଷିକତାର ନଗ୍ନ ପରିଚୟ ହେଲା ଯୁଦ୍ଧରେ ପଙ୍ଗୁ ହୋଇଥିବା ଓ ବିଜୟୀ ହୋଇ ସୁସ୍ଥଥିବା ମଗଧର ଯୋଦ୍ଧାମାନଙ୍କୁ ପାଟଳିପୁତ୍ର ପ୍ରତ୍ୟାବର୍ତ୍ତନର ଅନୁମତି ନଦେବା। ମଗଧର ସେଇ ବୀର ଯୋଦ୍ଧାମାନଙ୍କର ବଂଶଧରମାନେ ଆଜି ସମଗ୍ର ପଶ୍ଚିମ ଓଡିଶାରେ ‘ମଗଧା ଯାଦବ’ ରୂପେ ପରିଚିତ। କଳିଙ୍ଗ ଯୁଦ୍ଧର ପରବର୍ତ୍ତୀ ଦେଢ଼ଶହ ବର୍ଷ ଥିଲା କଳିଙ୍ଗ ପାଇଁ ଏକ ଅନ୍ଧକାରମୟ ସମୟ। ତାର ପୁନଃ ଅବସାନ ଘଟିଲା କଳିଙ୍ଗ ଭାଗ୍ୟ ଆକାଶରେ ଅହିର (ଚେଦି) ରାଜବଂଶର ଉତ୍ଥାନ ପରେ।

ଇତିହାସ ପ୍ରସିଦ୍ଧ ଯଦୁବଂଶୀ କଳିଙ୍ଗ ସମ୍ରାଟ ମହାମେଘବାହନ ଅହିର ଖାରବେଳ ଖ୍ରୀ.ପୂ. ୬୦ ମସିହା କାର୍ତ୍ତିକ ପୂର୍ଣ୍ଣିମା ତିଥିରେ କଳିଙ୍ଗର ତତ୍କାଳୀନ ରାଜଧାନୀ ଶିଶୁପାଳଗଡ଼ ଠାରେ ଜନ୍ମଗ୍ରହଣ କରିଥିଲେ ଓ ସେହି କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ହିଁ ଦେହତ୍ୟାଗ କରିଥିଲେ। ଖାରବେଳଙ୍କ ପିତାମହ ଅହିର ହରି ବସୁ ଥିଲେ କଳିଙ୍ଗର ଅହିର (ଚେଦି) ରାଜବଂଶର ପ୍ରଥମ ସମ୍ରାଟ। ପୌରାଣିକ କଥାବସ୍ତୁ ଅନୁସାରେ ଯଦୁ ବଂଶ ଅନ୍ତର୍ଗତ ଏହି ଚେଦୀ ରାଜବଂଶର ଜଣେ ପ୍ରତାପୀ ରାଜା ଥିଲେ ଶିଶୁପାଳ, ଯିଏ ଶ୍ରୀକୃଷ୍ଣଙ୍କ ପିଉଷୀ ପୁଅ ଭାଇ ଥିଲେ । ଚେଦି ରାଜା ମିହିର ସେଣ ବସୁଙ୍କ କନିଷ୍ଠ ଭ୍ରାତା ଅହିର ସେଣ ବସୁ ଦକ୍ଷିଣ କୋଶଳର ରାଜା ଅଜାମିଳ ସୁଙ୍ଗଙ୍କ କନ୍ୟା ତିତିଳିଙ୍କୁ ବିବାହ କରିଥିଲେ। ଜ୍ୟେଷ୍ଠଭ୍ରାତାଙ୍କ ସହିତ ମନାନ୍ତର ହେତୁ ଅହିର ସେଣ ଆସି ନିଜ ଶ୍ବଶୁରାଳୟ ଦକ୍ଷିଣ କୋଶଳର ରାଜଧାନୀ ରାଜପୁରଠାରେ ଅବସ୍ଥାନ କରୁଥିଲେ। ରାଜା ଅଜାମିଳ ସଦାସର୍ବଦା ଜାମାତାଙ୍କୁ ପ୍ରବର୍ତ୍ତାଉଥିଲେ ତାଙ୍କର ଦୁର୍ଘର୍ଷ ସେନା ବାହିନୀ ନେଇ ଚେଦି ଆକ୍ରମଣ କରିବାକୁ ଓ ମିହିର ସେଣଙ୍କୁ ପରାସ୍ତ କରି ଚେଦି ସିଂହାସନ ଅଧିକାର କରିବା ପାଇଁ। କିନ୍ତୁ ଅହିର ସେଣ ସାମାନ୍ୟ ସିଂହାସନ ପାଇଁ ଜ୍ୟେଷ୍ଠଭ୍ରାତାଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିବାକୁ ରାଜି ହେଉନଥିଲେ। ଅହିର ସେଣ ଶେଷରେ ନିଜର ଏକ ସ୍ଵାଧୀନ କ୍ଷୁଦ୍ର ରାଜ୍ୟ ପ୍ରତିଷ୍ଠା କରିବାର ଅଭିପ୍ରାୟ ନେଇ ଦକ୍ଷିଣ କୋଶଳ ଓ କଳିଙ୍ଗର ମଧ୍ୟବର୍ତ୍ତୀ ଅଞ୍ଚଳ, ଯାହାକି କଳିଙ୍ଗର ଅରାଜକତା ଯୋଗୁଁ ଅପାଙକ୍ତେୟ ହୋଇ ପଡି  ରହିଥିଲା, ତାକୁ ନେଇ ନିଜର କ୍ଷୁଦ୍ର ରାଜ୍ୟ ପ୍ରତିଷ୍ଠା କଲେ। ଏହା ଥିଲା ମହାନଦୀର ଉପନଦୀ ତେଲନଦୀ ତଟବର୍ତୀ ବିସ୍ତୃତ ଅଞ୍ଚଳ ଏବଂ ଏ ରାଜ୍ୟର ନାଁ ସେ ରଖଲେ ସ୍ଵର୍ଣ୍ଣପୁର। ତୈତିଳ ଜନପଦ, ଯାହାକି କଳିଙ୍ଗ ଯୁଦ୍ଧ ସମୟରେ ପ୍ରସିଦ୍ଧ ଥିଲା ତାକୁ ହିଁ ନିଜ ସ୍ତ୍ରୀଙ୍କ ନାମାନୁସାରେ ତିତିଲିଗଡ (ଆଧୁନିକ ଟିଟିଲାଗଡ) ନାମରେ ନାମିତି କରି ରାଜ୍ୟର ରାଜଧାନୀ ସେଠାରେ ସ୍ଥାପନା କଲେ। ଖ୍ରୀଷ୍ଟପୂର୍ବ ୨୬୧ରେ ପୃଥିବୀ ପ୍ରସିଦ୍ଧ କଳିଙ୍ଗ ଯୁଦ୍ଧ ହୋଇଥିଲା । ଏହା କଳିଙ୍ଗର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ସ୍ଥିତିକୁ ଦୋହଲାଇ ଦେଇଥିଲା। ସମ୍ରାଟ ଅଶୋକ କଳିଙ୍ଗର ବୀର କନ୍ୟା କାରୁବାକୀ ଓ କଳିଙ୍ଗର ସୈନ୍ୟମାନଙ୍କୁ ବନ୍ଦି କରି ପାଟଳିପୁତ୍ର ନେଇ ଯାଇଥିଲେ।  ଏପଟେ ଯୁଦ୍ଧରେ ପଙ୍ଗୁ ହୋଇଥିବା ମଗଧା ସୈନ୍ୟମାନଙ୍କୁ ମଧ୍ୟ ସେ ପାଟଳିପୁତ୍ର ଫେରାଇ ନେଇନଥିଲେ। ଯୁଦ୍ଧରେ ବିଜେତା ମଗଧା ସୈନ୍ୟମାନେ କଳିଙ୍ଗର ମିତ୍ରରାଜ୍ୟ ଆଟବିକ (ବର୍ତ୍ତମାନର ଅବିଭକ୍ତ କଳାହାଣ୍ଡି, କୋରାପୁଟ ଓ ବସ୍ତର ଅଞ୍ଚଳ)କୁ ଆସି ବସତି ସ୍ଥାପନ କଲେ। ସେମାନେ ଲୋକମୁଖରେ ମଗଧା ଯାଦବ ବା ମଗଧା ଗଉଡ ଭାବେ ପରିଚିତ ହେଲେ। ଏପରି ପ୍ରାୟ ଦେଢ଼ଶହ ବର୍ଷ ବିତିଗଲା। ମଗଧା ବୀରମାନେ ଯୁଦ୍ଧ ଭୁଲି କୃଷିକର୍ମ କରି ଜୀବିକା ନିର୍ବାହ କଲେ । ଏହି ସମୟରେ ଅହିର (ଚେଦି) ରାଜବଂଶର ଉତ୍ଥାନ ହେବାପରେ ମଗଧା ବୀରମାନେ ସେମାନଙ୍କୁ ସାହାଯ୍ୟ କଲେ। ଏକ ବୀର ଜାତିର ସହଯୋଗ ମିଳିବା ପରେ ଅହିର ସେଣଙ୍କ ପୁତ୍ର ଅହିର ହରି ବସୁଙ୍କ ସାହାସ ଦ୍ଵିଗୁଣିତ ହେଲା। ଅହିର ସେଣଙ୍କ ସ୍ଵର୍ଣ୍ଣପୁର ରାଜ୍ୟ ପ୍ରତିଷ୍ଠା ହୋଇଥିଲା ଖ୍ରୀ.ପୂ. ୧୧୫ ମସିହା ପାଖାପାଖି। ସେ ସ୍ଵର୍ଣ୍ଣପୁର ରାଜ୍ୟରେ ପ୍ରାୟ ପଚିଶ ବର୍ଷ ଶାସନ କରିଥିଲେ। କିନ୍ତୁ ତାଙ୍କ ଜ୍ୟେଷ୍ଠପୁତ୍ର ଅହିର ହରି ବସୁ ଥିଲେ ଖୁବ୍ ଉଚ୍ଚାଭିଳାଷୀ ଓ ଯୁଦ୍ଧକୌଶଳୀ ମଧ୍ୟ। ଏକ କ୍ଷୁଦ୍ର ରାଜ୍ୟର ରାଜା ହୋଇ ରହିବାକୁ ସେ ଆଦୌ ପସନ୍ଦ କରୁନଥିଲେ। କଳିଙ୍ଗରେ ଅରାଜକତା ତାଙ୍କ ଉଚ୍ଚାକାଙକ୍ଷା ପାଇଁ ଆଣିଦେଲା ସୁବର୍ଣ୍ଣ ସୁଯୋଗ ହାତପାଆନ୍ତାରେ। ଖ୍ରୀ:ପୂ : ୯୦ ମସିହାରେ ସେ ତାଙ୍କର ସେନା ବାହିନୀ ସହ ମହାନଦୀ ବକ୍ଷରେ ଆସି କଳିଙ୍ଗର ରାଜଧାନୀ ‘ତୋଷାଳି’କୁ ବିନା ଯୁଦ୍ଧରେ ଅକ୍ତିଆର କଲେ ଓ ନିଜକୁ କଳିଙ୍ଗର ସମ୍ରାଟ ବୋଲି ଘୋଷଣା କଲେ । ସେ ଅବଶ୍ୟ ପରେ ତାଙ୍କର ନୂତନ ରାଜଧାନୀ ଶିଶୁପାଳଗଡଠାରେ ନିର୍ମାଣ କରିଥିଲେ।  ଅହିର ହରି ବସୁଙ୍କ ପରେ ତାଙ୍କ ପୁତ୍ର ଅହିର ଚେତ୍ରରାଜ କଳିଙ୍ଗ ସିଂହାସନ ଆରୋହଣ କଲେ ଖ୍ରୀ.ପୂ.୫୪ ମସିହାରେ ଓ କଳିଙ୍ଗକୁ ପୁଣି ଏକ ଶକ୍ତିଶାଳୀ, ବିତ୍ତଶାଳୀ ରାଜ୍ୟରେ ପରିଣତ କଲେ। ସେ ପ୍ରଥମେ ଜୈନଧର୍ମରେ ଦୀକ୍ଷିତ ହୋଇ କଳିଙ୍ଗରେ ପୁନର୍ବାର ଜୈନଧର୍ମର ପ୍ରଚଳନ କଲେ। କିନ୍ତୁ ସେ ଅନ୍ୟ ଧର୍ମ ବିଶ୍ଵାସକୁ ମଧ୍ୟ ବିରୋଧ କରୁନଥିଲେ। ତାଙ୍କ ପୁତ୍ର ଇତିହାସ ପ୍ରସିଦ୍ଧ ଅହିର ଖାରବେଳଙ୍କର ଜନ୍ମ ଖ୍ରୀ:ପୂ : ୬୦ ମସିହାରେ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ହୋଇଥିଲା। ସେ ପିତାଙ୍କ ପରେ ମାତ୍ର ଚବିଶ ବର୍ଷ ବୟସରେ ଖ୍ରୀ.ପୂ. ୩୬ ମସିହାରେ କଳିଙ୍ଗର ସମ୍ରାଟ ରୂପେ ଅଭିଷିକ୍ତ ହୋଇଥିଲେ। ସେ ତାଙ୍କର ରାଜଧାନୀ ଶିଶୁପାଳଗଡର ନାମାନ୍ତରୀକରଣ କରି ରଖୁଥିଲେ କଳିଙ୍ଗନଗର। ଖାରବେଳଙ୍କ ଶାସନକାଳ କଳିଙ୍ଗ ଇତିହାସର ସୁବର୍ଣ୍ଣଯୁଗ ରୂପେ ଅଭିହିତ ହୁଏ । 

ଅଶୋକଙ୍କ କଳିଙ୍ଗ ଆକ୍ରମଣର ପ୍ରତିଶୋଧ ନେଇଥିଲେ ସମ୍ରାଟ ଖାରବେଳ। ତାଙ୍କ ବଂଶ ପରିଚୟ ସମେତ ସମସ୍ତ ବିଜୟ ଯାତ୍ରା  ହାତୀଗୁମ୍ଫା ଶିଳାଲେଖରେ ବର୍ଣ୍ଣିତ ହୋଇ ରହିଛି। ଖାରବେଳଙ୍କ ରାଜତ୍ଵର ତିନି ବର୍ଷ ପରେ ଦିନେ କଳିଙ୍ଗ ନଗରର ଦୁର୍ଗ ପ୍ରାଚୀର ମଧ୍ୟରେ ବାଜିଉଠିଲା ରଣ ଦୁନ୍ଦୁଭି,  ବୀର କାହାଳୀ, ଭେରୀ, ତୁରୀ। କଳିଙ୍ଗର ଚାରି ଆଡୁ ଆସି ରୁଣ୍ଡ ହୋଇଥାନ୍ତି ଦୁର୍ଦ୍ଦର୍ଷ ବୀର ପାଇକ ଗଣ। ସେଦିନ କଳିଙ୍ଗସମ୍ରାଟ ମହାମେଘ ବାହନ ଖାରବେଳ ବିଶାଳ ବାହିନୀ ଧରି, ବାହାରୁ ଥିଲେ ଦକ୍ଷିଣାପଥ ବିଜୟ ଅଭିଯାନରେ। କ୍ରମେ ଦେଖା ଗଲା ହସ୍ତୀପୃଷ୍ଠାସୀନ ଛତ୍ରଧାରୀମାନଙ୍କ ହସ୍ତରେ ଧର୍ମ-ଚକ୍ର ଲାଂଛିତ କଳିଙ୍ଗର ପତାକା। ସୁସଜ୍ଜିତ ରଥରେ ଆସୁଥାନ୍ତି ଗଜ ବାହିନୀ ପଛରେ କଳିଙ୍ଗ ସମ୍ରାଟ। ଦୁଇ ପାର୍ଶ୍ୱରେ ଚାଲି ଥାନ୍ତି ଅଶ୍ୱ ପୃଷ୍ଠରେ ସେନାପତିମାନେ। ବିଜୟାକାଂକ୍ଷାର ଏହି ଅପୂର୍ବ ଉନ୍ମାଦନା କଳିଙ୍ଗ ନଗର ଆଗରୁ କେବେ ଦେଖି ନଥିଲା। ସେବର୍ଷ ଖାରବେଳ ଆନ୍ଧ୍ର ସାତବାହନ ରାଜା, ସାତକର୍ଣ୍ଣି ଓ ମୂଷିକ ମାନଙ୍କୁ ପରାସ୍ତ କରି କଳିଙ୍ଗ ନଗର ଫେରି ଆସିଲେ। ରାଜତ୍ୱର ଚତୁର୍ଥ ବର୍ଷରେ ସମ୍ରାଟ ଖାରବେଳ ଆଟବିକ ବା ଅରହତପୁରର ବିଦ୍ୟାଧର ରାଜ୍ୟକୁ ଶାସନ କରିଥିଲେ। ସେହି ସମୟରେ କଳିଙ୍ଗ ଯୁଦ୍ଧ ବିଜେତା ମଗଧାମାନେ ଆଟବିକ-ବିଦ୍ୟାଧର ରାଜ୍ୟରେ ଆଶ୍ରୟ ନେଇଥିଲେ।ଆଟବିକ ଯୋଦ୍ଧା ମାନଙ୍କ ସହାୟତାରେ ସେ ସେହି ବର୍ଷରେ ରାଷ୍ଟ୍ରିକ ଏବଂ ଭୋଜକ ରାଜ୍ୟକୁ ପରାଜିତ କରି ଅନେକ ଧନରତ୍ନ ଅର୍ଜନ କରିଥିଲେ। ସେମାନେ ଖାରବେଳଙ୍କ ପଦବନ୍ଦନା କରିଥିଲେ। ଖାରବେଳ ରାଜଧାନୀ କଳିଙ୍ଗ ନଗରକୁ ଫେରିଆସି ଏକ ରାଜସୂୟଯଜ୍ଞ କଲେ। ବିଜିତ ରାଜା ମାନେ ଆସି ଯୋଗ ଦେଇ ଖାରବେଳଙ୍କୁ ସ୍ୱାଗତ କଲେ। ଏବେ ଉତ୍ତରାପଥ ଅଭିଯାନ କରି ମଗଧ ଜୟର ପଥ ନିଷ୍କଣ୍ଟକ। ରାଜତ୍ୱର ଅଷ୍ଟମବର୍ଷରେ ଆରମ୍ଭହେଲା କଳିଙ୍ଗର ବହୁ ଆକାଂକ୍ଷିତ ମଗଧ ଅଭିଯାନ। ଗୋରଥଗିରି  ମଗଧ ସାମ୍ରାଜ୍ୟର ପ୍ରବେଶ ଦ୍ୱାର।‌ ଏକ ଭୀଷଣ ଯୁଦ୍ଧରେ ପରାଜିତ ମଗଧ ବାହିନୀ ପ୍ରାଣଭୟରେ  ଛତ୍ରଭଙ୍ଗ ଦେଲେ। ତାହା ପରେ ରାଜଗୃହ ମଧ୍ୟ କଳିଙ୍ଗର ଵଶ୍ୟତା ସ୍ୱୀକାରକଲା। ଏବେ ଲକ୍ଷ୍ୟ ପାଟଳୀପୁତ୍ର। ପାଟଳୀପୁତ୍ର ଉପକଣ୍ଠରେ କଳିଙ୍ଗ ବାହିନୀ ଯାଇ ଡେରା ପକାଇଲେ। ଗ୍ରୀକସେନାପତି ଡିମିଟ୍ରିୟସ ତେଣେ ପାଟଳୀପୁତ୍ରକୁ କରାୟତ ପାଇଁ ଜଗି ବସି ଥାନ୍ତି। ବୃହସ୍ପତିମିତ୍ର ପାଟଳୀପୁତ୍ରର ଦୁର୍ଗ ଭିତରେ ଏକ ପ୍ରକାର ବନ୍ଦୀ ହୋଇ ରହିଛନ୍ତି। ସେନାପତି ଜଣେ ବୃହସ୍ପତିମିତ୍ରଙ୍କୁ ଖବର ଦେଲେ ଖାରବେଳ ଆପଣଙ୍କ ସାକ୍ଷାତ ଚାହାଁନ୍ତି। ସେନାପତିଙ୍କୁ ରାଜା ବୃହସ୍ପତି ମିତ୍ର କହିଲେ, ହଁ ଆଜି ଭାରତ ବିଜୟୀ କଳିଙ୍ଗ ସମ୍ରାଟ ଖାରବେଳଙ୍କୁ ପ୍ରତିରୋଧ କରିବା କ୍ଷମତା ମଗଧର ନାହିଁ, ତାଙ୍କୁ ପାଛୋଟି ଆଣ।‌ ଖାରବେଳ ବୃହସ୍ପତିମିତ୍ରଙ୍କ ନିକଟରେ ପହଞ୍ଚିବା କ୍ଷଣୀ, ସେ ମଗଧର ରାଜ ମୁକୁଟ ଖାରବେଳଙ୍କ ପାଦତଳେ ଥୋଇଦେଇ କହିଲେ, ମହାରାଜ ମୁଁ ଜାଣେ କଳିଙ୍ଗ ଉପରେ, ମହାପଦ୍ମ ନନ୍ଦଙ୍କ ଠାରୁ ଅଶୋକଙ୍କ ପର୍ଯ୍ୟନ୍ତ ଯେଉଁ ଅତ୍ୟାଚାର ହୋଇଛି ଆପଣ ତାହାର ପ୍ରତିଶୋଧ ନେବାକୁ ଆସିଛନ୍ତି। ମୋତେ ଆପଣ ବନ୍ଦୀ କରି ପାରନ୍ତି। ଖାରବେଳ ହସି ହସି କହିଲେ, ମଗଧରାଜ! ପାଟଳୀପୁତ୍ରକୁ ଆଜି ଗ୍ରୀକ ଶକ୍ତି ଆଗୋଳି ବସିଛି,କଳିଙ୍ଗ ଏତେ ନିଚ୍ଚ ନୁହେଁ ଯେ, ଏହି ଦୁର୍ଦ୍ଦିନରେ କଳିଙ୍ଗ ମଗଧ ଆକ୍ରମଣ କରିବ। ସେ ମଗଧ ରାଜଙ୍କ ଶିରରେ ତାଙ୍କ ସମର୍ପିତ ମୁକୁଟ ପିନ୍ଧାଇ ଦେଲେ ଓ ତାଙ୍କ ହାତରେ ତରବାରୀଟିଏ ଧରାଇ ଦେଇ କହିଲେ, ଭାରତର ମାନ ଠାରୁ କଳିଙ୍ଗର ମାନ ବଡ଼ ନୁହେଁ, ଭାରତର ଶତ୍ରୁ ଆଜି ଡ଼ିମିଟ୍ରିୟସ। ଭାରତ ଭୂମିରୁ ତାକୁ ପ୍ରଥମେ ବିତାଡ଼ିତ ନ କଲା ପର୍ଯ୍ୟନ୍ତ କଳିଙ୍ଗ ମଗଧ ଆକ୍ରମଣ କରିବନାହିଁ, ଆପଣ ନିଶ୍ଚିନ୍ତ ରହି   ପାରନ୍ତି ମଗଧରାଜ। ସେ ଦିନ ଖାରବେଳ ପାଟଳୀପୁତ୍ରକୁ ଏହି ନିର୍ଭର ପ୍ରତିଶୃତି ଦେଇ ଡ଼ିମିଟ୍ରିଓସ ବିରୁଦ୍ଧରେ ଅଭିଯାନ  ଚଳାଇଲେ। ଉତ୍ତର ଭାରତକୁ ସମ୍ପୂର୍ଣ୍ଣ ନିରାପଦ କରି ଖାରବେଳ ଫେରି ଆସିଲେ କଳିଙ୍ଗ। ଏହା ମଧ୍ୟରେ ତିନି ବର୍ଷ ବିତି ଗଲା। ଖାରବେଳଙ୍କର ମନେ ପଡ଼ିଲା କଳିଙ୍ଗର ଅସ୍ମିତା କଳିଙ୍ଗର ଗର୍ବ କଳିଙ୍ଗ ଜୀନ କଥା। କଳିଙ୍ଗର ଏହି ଐତିହ୍ୟକୁ ଉଦ୍ଧାରକରିବାକୁ ପଡ଼ିବ ଯେ! ଖାରବେଳ ପୁନଃ ଅଭିଯାନ ଆରମ୍ଭକଲେ ମଗଧର ରାଜା ବୃହସ୍ପତି ମିତ୍ରଙ୍କ ବିରୁଦ୍ଧରେ।‌ ସମ୍ପୂର୍ଣ୍ଣରୂପେ ପରାସ୍ତ ହେଲା ମଗଧ। ବହୁ ବର୍ଷ ପୂର୍ବେ ମଗଧ ରାଜ ମହାପଦ୍ମ ନନ୍ଦ ମଗଧକୁ ଘେନି ଯାଇଥିବା କଳିଙ୍ଗ ଜୀନକୁ ଉଦ୍ଧାର କରି କଳିଙ୍ଗ ଫେରାଇ ଆଣିଲେ କଳିଙ୍ଗ ସମ୍ରାଟ ଖାରବେଳ।‌ କଳିଙ୍ଗ ଇତିହାସର ଏକ ସ୍ମରଣୀୟ ଦିବସ ଥିଲା ସେଦିନ। ମହା ଆଡମ୍ବରରେ ଖାରବେଳ ପ୍ରତିଷ୍ଠା କଲେ କଳିଙ୍ଗ ଜୀନଙ୍କୁ ଖଣ୍ଡଗିରି ଗୁହା ମଧ୍ୟରେ। ଆଜି ଖଣ୍ଡଗିରିରେ ଶୋଭାପାଉଛନ୍ତି କଳିଙ୍ଗଜୀନ। କଳିଙ୍ଗର ଚିତ୍ରିତ ଇତିହାସ କଥା କହୁଛି ଖଣ୍ଡଗିରି ପାଷାଣ ଗାତ୍ରରେ ଉତ୍କୀର୍ଣ୍ଣ ଶିଳାଲେଖ, ଗିରିଗୁହା ମଧ୍ୟରେ ପ୍ରତିଧ୍ବନୀତ ହେଉଛି ପ୍ରାଚୀନ କଳିଙ୍ଗର ବିଜୟ ଗାଥା।

[ଗବେଷକ ହରିଶ୍ ମହାପାତ୍ରଙ୍କ ଦୁଇଟି ଆଲେଖ୍ୟ (୧) ‘କଳିଙ୍ଗ ବୁକୁର ରତ୍ନମାଳ ଦ୍ରୁମିଳ, ଉଡ୍ରସେଣ ଓ ଖାରବେଳ’ ଏବଂ (୨) ‘କଳିଙ୍ଗର କୀର୍ତ୍ତିମାନ ଯାଦବ ସମ୍ରାଟ ଅହିର ଖାରବେଳ’ ଏବଂ ଅର୍ଜୁନୀ ଚରଣ ବେହେରାଙ୍କ ଏକ ଆଲେଖ୍ୟ ‘କଳିଙ୍ଗ ସମ୍ରାଟ ଖାରବେଳ’ରୁ ଉଦ୍ଧୃତ]

ଉପସ୍ଥାପନା: ସୁନୀଲ କୁମାର ଧଙ୍ଗଡାମାଝୀ 

ସଂପାଦକ, ଓଡ଼ିଆ ବାର୍ତ୍ତା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.