ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ନିଖିଳ ଭାରତୀୟ କଂଗ୍ରେସ କମିଟି (AICC) ପୁଣିଥରେ ଜଗଦୀଶ ଖୋସଲାଙ୍କ ଉପରେ ଆସ୍ଥା ଓ ଭରସା ପ୍ରକଟ କରି ତାଙ୍କୁ ରାଜ୍ୟ କଂଗ୍ରେସ କମିଟିର ସମ୍ପାଦକ ଭାବେ ପୁନର୍ବାର ଦାୟିତ୍ୱ ପ୍ରଦାନ କରିଛି। ଗତ ନିର୍ବାଚନ ସମୟରେ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀର ଦଳୀୟ ଦାୟିତ୍ୱ ତୁଲାଇ ସଂଗଠନକୁ ଏକଜୁଟ କରିବା ସହ କଂଗ୍ରେସକୁ ବିଜୟ ଦେବାରେ ତାଙ୍କ ଭୂମିକା ଏହି ପୁନଃନିଯୁକ୍ତି ପଛରେ ପ୍ରମୁଖ କାରଣ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ଲକ୍ଷ୍ମୀପୁର ଭଳି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀର ଦାୟିତ୍ୱ ନେଇ ଜଗଦୀଶ ଖୋସଲା ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବା ସହ ଦଳୀୟ କର୍ମୀ ଓ ନେତାଙ୍କୁ ଏକାଠି କରିଥିଲେ। ତାଙ୍କ ନେତୃତ୍ୱ ଓ ସଂଗଠନାତ୍ମକ ଦକ୍ଷତାର ଫଳସ୍ୱରୂପ କଂଗ୍ରେସ ବିଜୟ ହାସଲ କରିଥିବାରୁ ଦଳୀୟ ନେତୃତ୍ୱ ତାଙ୍କ ଉପରେ ପୁଣିଥରେ ଭରସା ରଖିଥିବା କୁହାଯାଉଛି। ରାଜ୍ୟ କଂଗ୍ରେସ ସମ୍ପାଦକ ଭାବେ ପୁନର୍ବାର ଦାୟିତ୍ୱ ପାଇବା ପରେ ଶ୍ରୀ ଖୋସଲା AICCର ବରିଷ୍ଠ ନେତୃବୃନ୍ଦ, ରାଜ୍ୟ କଂଗ୍ରେସର ସମସ୍ତ ନେତା, କର୍ମକର୍ତ୍ତା ଓ କର୍ମୀଙ୍କୁ ଅନ୍ତରିକ କୃତଜ୍ଞତା ଜଣାଇଛନ୍ତି। ବିଶେଷକରି ଜୟପୁରର ମାନ୍ୟବର ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତିଙ୍କ ପ୍ରତି ସେ ହୃଦୟରୁ କୃତଜ୍ଞତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଦଳ ତାଙ୍କ ଉପରେ ଯେଉଁ ଭରସା ଓ ବିଶ୍ୱାସ ପ୍ରକଟ କରିଛି, ତାହାକୁ ସେ ନିଷ୍ଠାର ସହ ପାଳନ କରିବେ। ଆଗାମୀ ଦିନରେ କଂଗ୍ରେସ ସଂଗଠନକୁ ତୃଣମୂଳସ୍ତରରେ ଆହୁରି ସୁଦୃଢ଼ କରିବା, କର୍ମୀଙ୍କୁ ଏକଜୁଟ କରିବା ଏବଂ ଜନସାଧାରଣଙ୍କ ସ୍ୱାର୍ଥ ଓ ସମସ୍ୟାକୁ ନେଇ ନିଷ୍ଠାର ସହ କାର୍ଯ୍ୟ କରିବା ତାଙ୍କର ପ୍ରମୁଖ ଲକ୍ଷ୍ୟ ରହିବ।





