ବାଲେଶ୍ୱରରେ ଅନୁଷ୍ଠିତ ହେଲା ଜିଲ୍ଲାସ୍ତରୀୟ ‘ମୁଖ୍ୟମନ୍ତ୍ରୀ କିଷାନ’ କାର୍ଯ୍ୟକ୍ରମ : ୩ ଲକ୍ଷ ଚାଷୀଙ୍କୁ ସହାୟତା ପ୍ରଦାନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ‘ମୁଖ୍ୟମନ୍ତ୍ରୀ କିଷାନ’ ରବି ୨୦୨୬-୨୭ କାର୍ଯ୍ୟକ୍ରମ ଗତକାଲି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ଅଡିଟୋରିୟମ୍ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ ସିଏମ୍ କିଷାନ୍ ଯୋଜନାର ପଞ୍ଚମ କିସ୍ତି ଟଙ୍କା ଓଡ଼ିଶାର ଚାଷୀମାନଙ୍କୁ ଡିବିଟି ମାଧ୍ୟମରେ ଆର୍ଥିକ ସହାୟତା ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମ ସହିତ ରାଜ୍ୟର ସମସ୍ତ ଜିଲ୍ଲା ଭର୍ଚୁଆଲ୍ ମାଧ୍ୟମରେ ଯୋଡ଼ି ହୋଇଥିଲେ। ବାଲେଶ୍ୱରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ବସ୍ତାର ବିଧାୟିକା ସୁବାସିନୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କ ସହିତ ମଞ୍ଚରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ହେମନ୍ତ କୁମାର ସିଂହ ଏବଂ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିଶ୍ୱଜିତ ପଣ୍ଡା ଉପସ୍ଥିତ ଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ଜେନା କହିଥିଲେ ଯେ, ରାଜ୍ୟ ସରକାର ଚାଷୀମାନଙ୍କ ଆର୍ଥିକ ସଶକ୍ତିକରଣ ଓ କୃଷି କ୍ଷେତ୍ରର ବିକାଶ ପାଇଁ ବିଭିନ୍ନ କୃଷକ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ‘ମୁଖ୍ୟମନ୍ତ୍ରୀ କିଷାନ’ ଯୋଜନା ମାଧ୍ୟମରେ ଚାଷୀମାନଙ୍କୁ ସିଧାସଳଖ ଆର୍ଥିକ ସହାୟତା ଯୋଗାଇ ଦିଆ ଯାଉଥିବାରୁ ଏହା କୃଷକମାନଙ୍କ ପାଇଁ ଉପଯୋଗୀ ହୋଇପାରିଛି ବୋଲି ସେ କହିଥିଲେ।

ବାଲେଶ୍ୱର ଜିଲ୍ଲାରେ ଚଳିତ ‘ମୁଖ୍ୟମନ୍ତ୍ରୀ କିଷାନ’ ରବି ୨୦୨୬-୨୭ ପର୍ଯ୍ୟାୟରେ ମୋଟ ୩,୦୫,୦୨୫ ଜଣ ହିତାଧିକାରୀ ଆର୍ଥିକ ସହାୟତା ପାଇଲେ। ସେମାନଙ୍କ ଖାତାକୁ ଡିବିଟି ମାଧ୍ୟମରେ ମୋଟ ୬୧,୦୦,୫୦,୦୦୦ ଟଙ୍କା ପ୍ରଦାନ କରାଯାଇଛି। ଏହି ଅର୍ଥରାଶି ଚାଷୀମାନଙ୍କୁ ରବି ଚାଷ ପାଇଁ ଆବଶ୍ୟକ କୃଷି ସାମଗ୍ରୀ ଓ ଅନ୍ୟାନ୍ୟ କୃଷି କାର୍ଯ୍ୟରେ ସହାୟକ ହେବ। ଏହି କାର୍ଯ୍ୟକ୍ରମରେ କୃଷି ବିଭାଗର ଅଧିକାରୀ, ବିଭିନ୍ନ ବିଭାଗର ଅଧିକାରୀ, ସାମ୍ବାଦିକ ଗଣ, କୃଷକ ଓ ହିତାଧିକାରୀମାନେ ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.