ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଲୋକସଭା ସାଂସଦ ମାଳବିକା ଦେବୀ ଓ ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ ନର୍ଲାକୁ ଅଣଦେଖା କରୁଥିବା କହିଛନ୍ତି କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ନୀରଜ ଶର୍ମା। ଶ୍ରୀ ଶର୍ମା କହିଛନ୍ତି ଯେ, ରାଜ୍ୟ ସଭା ସାଂସଦ ସୁଜିତ କୁମାର ସେଠ କେବଳ ରେଳ ଷ୍ଟେସନରେ ସିମେଣ୍ଟ ଓ ଷ୍ଟିଲ ଚୌକି କେତେଖଣ୍ଡ ଦେଇ ନିଜ ନାଁ ଲେଖିଦେଇ ସାଂସଦ ଦାୟୀତ୍ୱ ସାରି ଦେଇଛନ୍ତି। ତାଙ୍କର କଳାହାଣ୍ଡିର ବିକାଶ, ନର୍ଲାର ବିକାଶ ପାଇଁ କୌଣସୀ ଆନ୍ତରିକତା ନାହିଁ। ବାରମ୍ବାର କେନ୍ଦ୍ର ସରକାର, ରେଳବାଇ ଉଚ୍ଚ କତ୍ତୃପକ୍ଷଙ୍କୁ ଜଣାଇ ଜଣାଇ ଥକି ପଡିଥିଲେ ମଧ୍ୟ ନର୍ଲାରୋଡ ରେଳ ଷ୍ଟେସନ ଓ ରୁପ୍ରାରୋଡ ରେଳ ଷ୍ଟେସନରେ କୋଭିଡ ପୁର୍ବରୁ ଷ୍ଟପେଜ ରହିଆସିଥିବା ଏକ୍ସପ୍ରେସ ଟ୍ରେନ ଗୁଡିକର ରହଣୀ ଆଉ ଦିଆଗଲା ନାହିଁ। ଏହାକୁ ନେଇ ୧୧ ଅପ୍ରେଲ ୨୦୨୨ ରେ ରୁପ୍ରାରୋଡ ରେଳ ଷ୍ଟେସନରେ ରୁପ୍ରାରୋଡ ରେଳଯାତ୍ରୀ ସୁରକ୍ଷା ସଂଘ ତରଫରୁ ରେଳରୋକ ଆନ୍ଦୋଳନ ହୋଇଥିଲା। ସେହିଭଳି ୧ ଜୁଲାଇ ୨୦୨୬ ରେ ନର୍ଲା ସ୍ୱାଭିମାନ ମଞ୍ଚ ତରଫରୁ ନର୍ଲାରୋଡ ରେଳ ଷ୍ଟେସନରେ ରେଳରୋକ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା। ଆନ୍ଦୋଳନକାରୀ ଅଞ୍ଚଳବାସୀଙ୍କୁ କେବଳ ଆସ୍ୱାସନା ଦିଆଗଲା ହେଲେ ଟ୍ରେନ ଷ୍ଟପେଜ ଦିଆଗଲା ନାହିଁ। ଏହି ଆନ୍ଦୋଳନରେ କଂଗ୍ରେସର ତୁଙ୍ଗ ନେତା, କର୍ମୀ, ବିଜେଡିର ନେତା ଓ କର୍ମୀମାନେ ସାମିଲ ରହି ଅଞ୍ଚଳର ଜନ ସାଧାରଣଙ୍କ ପାଇଁ ଲଢେଇ କଲେ ହେଲେ ଏଥିରେ ବିଜେପିର କୌଣସୀ ନେତା କିମ୍ବା କର୍ମୀଙ୍କ ଦେଖା ମିଳିଲା ନାହିଁ। ଶେଷରେ କଳାହାଣ୍ଡି ସାଂସଦ ମାଳବିକା ଦେବୀଙ୍କୁ ସାକ୍ଷାତ କରି ନର୍ଲା ଅଞ୍ଚଳବାସୀଙ୍କ ପାଇଁ ଗୁହାରୀ କଲେ ଲୋକଙ୍କ ମୁଖ୍ୟ ଦାବୀ ରହିଥିବା ବିଶାଖାପାଟନମ- ନିଜାମୁଦ୍ଦୀନ ସମତା ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନର ନର୍ଲାରୋଡ ଓ ରୁପ୍ରାରୋଡ ଷ୍ଟେସନରେ ରହଣୀ ନିମନ୍ତେ। ହେଲେ ପୁଣି ନିରାଶ ହେଲେ ଅଞ୍ଚଳବାସୀ। ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ନୀରଜ ଶର୍ମା କହିଛନ୍ତି – କଳାହାଣ୍ଡି ଜିଲ୍ଲାରେ କଂଗ୍ରେସର ଜନ ସମର୍ଥନକୁ ଦେଖି ନର୍ଲା ଅଞ୍ଚଳର ସାଧାରଣ ଲୋକଙ୍କ ସ୍ୱାର୍ଥ, ମୌଳିକ ଅଧିକାର ଓ ହକ୍ କୁ ମଧ୍ୟ ଅଣଦେଖା କରୁଛନ୍ତି ଦୁଇ ସାଂସଦ। ଏହାକୁ ମଧ୍ୟ ରାଜନୀତିକରଣ କରି ସବୁ ମାଇଲେଜ କଂଗ୍ରେସ ନେଇଯିବ ବୋଲି ଭୟରେ ନର୍ଲାରୋଡ ଓ ରୁପ୍ରାରୋଡ ଷ୍ଟେସନରେ ସମତା ସୁପର ଫାଷ୍ଟ ଏକ୍ସପ୍ରେସ ଷ୍ଟପେଜ କରେଇ ଦେଉନଥିବା କହିଛନ୍ତି ସାଧାରଣ ସମ୍ପାଦକ ଶ୍ରୀ ଶର୍ମା। ଏହାବାଦ ନର୍ଲାରେ ଲୋକୋମୋଟିଭ କାରଖାନା ନିର୍ମାଣ ନିମନ୍ତେ ତତ୍କାଳୀନ ସାଂସଦ ବସନ୍ତ ପଣ୍ଡା ୫ ବର୍ଷ ମଧ୍ୟରେ ତିନିଥର ନଡିଆ ଭାଙ୍ଗି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ବେଳେ ବର୍ତ୍ତମାନର ସାଂସଦ ମାଳବିକା ଦେବୀ ଥରେ ନଡିଆ ଭାଙ୍ଗି ସାରଲେଣି। ଗତ ଦୁଇ ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଭାସୀ ମାଧ୍ୟମରେ ଭିତ୍ତି ପ୍ରସ୍ତର ସ୍ଥାପନା କଲେ, ଯାହାକୁ ନେଇ ନର୍ଲାରୋଡ ରେଳ ଷ୍ଟେସନରେ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଡିଆରଏମଙ୍କ ସହ ତତ୍କାଳୀନ ସାଂସଦ ବସନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ। ଏଥିପାଇଁ ଜମି ଅଧିଗ୍ରହଣ ସରିଥିଲେ ମଧ୍ୟ କାର୍ଯ୍ୟପନ୍ଥା ଶୂନ୍ୟ। କଳାହାଣ୍ଡିର ବିକାଶରେ ବାଧକ ସାଜିଛନ୍ତି ଦୁଇ ସାଂସଦ ବୋଲି ଶ୍ରୀ ଶର୍ମା କହିଛନ୍ତି। ସେ ପ୍ରଶ୍ନ କରିଛନ୍ତି, କେନ୍ଦ୍ର ସରକାର ନର୍ଲାର ଲୋକୋମୋଟିଭ କାରଖାନାର ଲିଜ ଆଦାନୀଙ୍କୁ ଦେଇ ଦେବାର ଯୋଜନାରେ ନାହାନ୍ତି ତ?? କେବେ ହେବ ନର୍ଲାରେ ଲୋକୋମୋଟିଭ କାରଖାନା? କେବେ ନର୍ଲା ଏବଂ ରୁପ୍ରାରୋଡ ଷ୍ଟେସନରେ ସମତା ସୂପରଫାଷ୍ଟ ଏକ୍ସପ୍ରେସ ରହିବ? ଏହାର ଉତ୍ତର ରଖନ୍ତୁ କଳାହାଣ୍ଡିର ଦୁଇ ସାଂସଦ ବୋଲି ଶ୍ରୀ ଶର୍ମା କହିଛନ୍ତି। କଳାହାଣ୍ଡି ତଥା ନର୍ଲାର ଲୋକଙ୍କ ସ୍ୱାର୍ଥକୁ ନେଇ ଲୋକଙ୍କ ପାଇଁ କାମ କରୁଛି କଂଗ୍ରେସ। ଏଣୁ କଂଗ୍ରେସକୁ ବ୍ୟାକଫୁଟକୁ ଠେଲିବା, ନର୍ଲା ସଧାରଣ ଲୋକଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରିବାକୁ ମଧ୍ୟ ପଛାଉ ନାହାନ୍ତି କଳାହାଣ୍ଡିର ଦୁଇ ସାଂସଦ ବୋଲି ଶ୍ରୀ ଶର୍ମା କହିଛନ୍ତି।





