ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବାଲେଶ୍ଵରରେ ଆୟୋଜିତ ହେଲା ପରିବେଶ ସଚେତନତା ଅଭିଯାନ

• ବୃକ୍ଷରୋପଣ, ସଫେଇ ଓ ପରିବେଶ ସୁରକ୍ଷାର ଶପଥ ନେଲେ ଛାତ୍ରଛାତ୍ରୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ପରିବେଶ ସୁରକ୍ଷା ଓ ସଚେତନତାର ବାର୍ତ୍ତା ନେଇ ସୋମବାର ବାଲେଶ୍ୱରରେ ଏକ ପରିବେଶ ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବାଲେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ଅଭିଯାନରେ ବୃକ୍ଷରୋପଣ, ସଫେଇ, ଚାରା ବଣ୍ଟନ ଓ ପରିବେଶ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ସାମିଲ ଥିଲା। ବାଲେଶ୍ୱର ସ୍କୁଲ ଅଫ୍ ଇଞ୍ଜିନିୟରିଂ ପରିସରରୁ ଆରମ୍ଭ ହୋଇଥିବା ଏହି ସଚେତନତା ପରିକ୍ରମା ମିର୍ଜା ପୋଖରୀ ପର୍ଯ୍ୟନ୍ତ ଯାଇଥିଲା।ଅଂଶଗ୍ରହଣକାରୀମାନେ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଚାର କରିବା ସହ ମିର୍ଜା ପୋଖରୀର ଚତୁଃପାର୍ଶ୍ୱ ଏବଂ ସାଇ ମନ୍ଦିର ପ୍ରାଙ୍ଗଣରେ ସଫେଇ କାର୍ଯ୍ୟ କରିଥିଲେ। ଏହି ଅଭିଯାନରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କର୍ମଚାରୀଙ୍କ ସମେତ ବାଲେଶ୍ୱର ସ୍କୁଲ ଅଫ୍ ଇଞ୍ଜିନିୟରିଂର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ସ୍କୁଲ ପରିସରରେ ବୃକ୍ଷରୋପଣ ସହ ଚାରା ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ପ୍ଲାଷ୍ଟିକ ବ୍ୟବହାରର ବିକଳ୍ପ ଭାବେ ଜୈବ ପ୍ରକ୍ରିୟାକୃତ ପାତ୍ରରେ ଅଂଶଗ୍ରହଣକାରୀମାନଙ୍କୁ ଖାଦ୍ୟ ପରିବେଷଣ କରାଯାଇଥିଲା। ଏଥିସହ ପରିବେଶ ଅନୁକୂଳ ସରଞ୍ଜାମ ମଧ୍ୟ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅଂଶଗ୍ରହଣକାରୀ ପରିବେଶ ସୁରକ୍ଷା ସମ୍ପର୍କିତ ଶପଥ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ମନମୋହନ ମୁର୍ମୁଙ୍କ ନେତୃତ୍ୱରେ ଇଞ୍ଜିନିୟର ଓ ବୈଜ୍ଞାନିକ ଇଂ. ଅନିଲ କୁମାର ବାରିକ, ଭୀମ ଚରଣ ମଣ୍ଡ୍ରି, ପ୍ରଦୀପ କୁମାର ରାଉତ, ଧନେଶ କୁମାର, ରାଧା ମାଧବ ପାଠୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ପରିଚାଳନା କରିଥିଲେ। ବାଲେଶ୍ୱର ସ୍କୁଲ ଅଫ୍ ଇଞ୍ଜିନିୟରିଂର ଅଧ୍ୟକ୍ଷ କରୁଣାକର ମହାଳିକଙ୍କ ସମେତ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଏଥିରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.