ବାଲେଶ୍ଵରରେ ପାଳିତ ହେଲା ବାଘାଯତୀନଙ୍କ ସହିଦ ଦିବସ

ବାଘାଯତୀନଙ୍କ ଆଦର୍ଶ ଓ ବଳିଦାନକୁ ନୂଆ ପିଢ଼ି ନିକଟରେ ପହଞ୍ଚାଇବାର ଆବଶ୍ୟକତା ରହିଛି, କହିଲେ ଅତିଥି

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଭାରତର ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ମହାନ ବିପ୍ଳବୀ ବୀର ବାଘାଯତୀନଙ୍କ ୧୧୧ତମ ସହିଦ ଦିବସ ଗୁରୁବାର ବାଲେଶ୍ୱର ଜିଲ୍ଲାରେ ଶ୍ରଦ୍ଧା ଓ ଗମ୍ଭୀରତାର ସହ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନର ସହଯୋଗରେ ବାଘାଯତୀନ ଉନ୍ନୟନ କମିଟି ଓ ବାଘାଯତୀନ ବିକାଶ ପରିଷଦର ମିଳିତ ଆନୁକୂଲ୍ୟରେ ବାଲେଶ୍ୱର ସହରସ୍ଥିତ ବାରବାଟୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ପୂର୍ବତନ ହସ୍ପିଟାଲ ଏବଂ ରେମୁଣା ବ୍ଲକର ଚଷାଖଣ୍ଡ ଠାରେ ସ୍ମୃତିସଭା ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରବୋଧ କୁମାର ମଲ୍ଲିକଙ୍କ ସମେତ ବାଘାଯତୀନଙ୍କ ଜନ୍ମଭୂମି ଓ ରକ୍ତତୀର୍ଥ ସହ ଜଡ଼ିତ ୩୪ ଜଣ ପ୍ରମୁଖ ବ୍ୟକ୍ତି ଯୋଗଦେଇ ବୀର ବାଘାଯତୀନଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ।

ବାଘାଯତୀନ ଉନ୍ନୟନ କମିଟିର କାର୍ଯ୍ୟକାରୀ ସଭାପତି ସୁଜିତ କୁମାର ଦେବ, ସାଧାରଣ ସମ୍ପାଦକ ହରେନ୍ ରଣାଙ୍କ ସମେତ କମିଟିର ସଦସ୍ୟମାନେ ବାରବାଟୀ ସ୍କୁଲ ପରିସରରେ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ସେହିପରି ବାଘାଯତୀନ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଗୋପୀନାଥ ସେନାପତି, ସାଧାରଣ ସମ୍ପାଦକ ସର୍ବେଶ୍ୱର ମହାନ୍ତିଙ୍କ ସମେତ ପରିଷଦର ସଦସ୍ୟମାନେ ଚଷାଖଣ୍ଡ ଠାରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସ୍ମୃତିସଭାରେ ବାଘାଯତୀନଙ୍କ ଐତିହାସିକ ସଂଗ୍ରାମ ଓ ଅମର ବଳିଦାନକୁ ସ୍ମରଣ କରାଯାଇଥିଲା। ଐତିହାସିକ ତଥ୍ୟ ଅନୁଯାୟୀ, ଚଷାଖଣ୍ଡରେ ବ୍ରିଟିଶ ସରକାରଙ୍କ ସହ ହୋଇଥିବା ସଶସ୍ତ୍ର ସଂଘର୍ଷରେ ବାଘାଯତୀନଙ୍କ ସମେତ ପାଞ୍ଚଜଣ ବିପ୍ଳବୀ ସାମିଲ ଥିଲେ। ସଂଘର୍ଷରେ ତିନିଜଣ ଆହତ ହୋଇଥିବା ବେଳେ ଦୁଇଜଣ ଗିରଫ ହୋଇଥିଲେ। ଜଣେ ବିପ୍ଳବୀ ଘଟଣାସ୍ଥଳରେ ସହିଦ ହୋଇଥିଲେ। ଗୁରୁତର ଆହତ ବାଘାଯତୀନଙ୍କୁ ବାଲେଶ୍ୱର ଅଣାଯାଇଥିବା ବେଳେ ବର୍ତ୍ତମାନର ବାରବାଟୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରସ୍ଥିତ ସେତେବେଳର ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଚଷାଖଣ୍ଡର ସଶସ୍ତ୍ର ସଂଘର୍ଷ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଏକ ସାହସିକ ଅଧ୍ୟାୟ ଭାବେ ଇତିହାସରେ ଅମର ହୋଇରହିଛି। ଚଷାଖଣ୍ଡ ଓ ବାରବାଟୀ, ଉଭୟ ସ୍ଥାନ ବାଘାଯତୀନଙ୍କ ଅମର ସ୍ମୃତି ସହ ଗଭୀର ଭାବେ ଜଡ଼ିତ ଥିବାରୁ ଏଠାରେ ସହିଦ ଦିବସ ପାଳନର ବିଶେଷ ଐତିହାସିକ ଗୁରୁତ୍ୱ ରହିଛି। ବକ୍ତାମାନେ କହିଥିଲେ, ଦେଶମାତୃକାର ସ୍ୱାଧୀନତା ପାଇଁ ବାଘାଯତୀନ ଓ ତାଙ୍କ ସହଯୋଗୀମାନେ ପ୍ରଦର୍ଶନ କରିଥିବା ଅଦମ୍ୟ ସାହସ ଓ ଆତ୍ମତ୍ୟାଗ ଭାରତୀୟ ଇତିହାସରେ ଚିରସ୍ମରଣୀୟ। ତାଙ୍କ ଜୀବନ ଦେଶପ୍ରେମ, ନିଷ୍ଠା, ସାହସ ଓ ତ୍ୟାଗର ଏକ ଅନନ୍ୟ ଦୃଷ୍ଟାନ୍ତ। ବାଘାଯତୀନଙ୍କ ଆଦର୍ଶ ଓ ବଳିଦାନକୁ ନୂଆ ପିଢ଼ି ନିକଟରେ ପହଞ୍ଚାଇବା ସହ ତାଙ୍କ ସହ ଜଡ଼ିତ ଐତିହାସିକ ସ୍ମୃତିସ୍ଥଳୀଗୁଡ଼ିକର ସଂରକ୍ଷଣ ଓ ବିକାଶ ପାଇଁ ସମସ୍ତଙ୍କ ମିଳିତ ପ୍ରୟାସ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ବୀର ବାଘାଯତୀନଙ୍କ ଅମର ଗାଥା ଓ ଦେଶପ୍ରେମର ଆଦର୍ଶ ଯୁବପିଢ଼ିକୁ ଦେଶ ଓ ସମାଜ ସେବା ପାଇଁ ସଦା ପ୍ରେରଣା ଯୋଗାଇବ ବୋଲି ଅତିଥିମାନେ କହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.