ଦୀର୍ଘ ୪ ବର୍ଷ ପରେ ସାନ୍ଦୁଲ ନଦୀରେ ବଢ଼ିପାଣି

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଏକ ଅଣ ଜଳ ସେଚିତ ଅଞ୍ଚଳ ହୋଇଥିବା ବେଳେ ପ୍ରତିବର୍ଷ ହୀନ ବୃଷ୍ଟି ଯୋଗୁଁ ଏଠାକାର ଚାଷୀର ମେରୁଦଣ୍ଡ ଭାଙ୍ଗି ପଡ଼ିଥାଏ। ଇନ୍ଦ୍ର ଦେବତାଙ୍କୁ ଭରଷା କରି ଏଠାକାର ଚାଷୀ ଚାଷକାର୍ଯ୍ୟ କରିଥାନ୍ତି। ହେଲେ ଗତ ଚାରିବର୍ଷ ଧରି ସ୍ବଳ୍ପ ବୃଷ୍ଟି ଯୋଗୁଁ ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଦେଇ ଯାଇଥିବା ସାନ୍ଦୁଲ ନଦୀରେ ବଢ଼ିପାଣି ଆସିନଥିଲା। ଗତ ୨୦୧୭ ରେ ବଡ ଧରଣର ବନ୍ୟା ହୋଇଥିବା ବେଳେ ୨୦୧୮ ରେ ମଧ୍ୟ ତାଠୁ ଆହୁରି ବଡ ବନ୍ୟା ହୋଇ ରୁପ୍ରାରୋଡର ପଲକା ପଡ଼ା, ଘୋଡ଼ବନ୍ଧ ଗ୍ରାମ ପଂଚାୟତର ଲମସିଙ୍ଗା ପ୍ରଭୃତି ପାଣି ଘେରରେ ରହିଥିଲା। ରୁପ୍ରାରୋଡ଼ ଗ୍ରାମ ପଂଚାୟତ, ମେଡିକାଲ ଭିତରକୁ ପାଣି ପଶି ଯାଇଥିବାରୁ ଲୋକେ ଅନେକ ହଇରାଣ ହରକତ ହୋଇଥିଲେ। ସେହିଭଳି ୨୦୧୮ ର ବନ୍ୟା ଫଳରେ ସାନ୍ଦୁଲ ନଦୀ ଉପରେ ରହିଥିବା ରୁପ୍ରାରୋଡ଼ ବ୍ରିଜ ର ଦୁଇପଟେ ରାସ୍ତା ଖାଇ ନର୍ଲା ରୁ ରୁପ୍ରାରୋଡ଼ କୁ ସପ୍ତାହ ବ୍ୟାପୀ ଯୋଗାଯୋଗ ବିଛିନ୍ନ ହୋଇଥିଲା। ସେହିଭଳି ଜୁର୍କାଭଟା ବ୍ରିଜ ଦୁଇପାଖ ରେ ପ୍ରବଳ ବନ୍ୟା ଫଳରେ ସାନ୍ଦୁଲ ନଦୀ କୂଳରେ ରହିଥିବା ବାଙ୍କେଲ ସାହୁପଡା, ଭୀମକେଲା, ଘୋଡାବନ୍ଧ ପ୍ରଭୃତି ଅଞ୍ଚଳର ଚାଷୀ ଲାଗେଇଥିବା ଉଠା ଜଳସେଚନ ପମ୍ପ ଗୁଡିକ ଭସେଇ ନେଇଥିଲା। ଏହା ପରେ ୨୦୨୨ ରେ ଓ ଏବେ ଦୀର୍ଘ ୪ ବର୍ଷ ହୋଇଗଲା ସାନ୍ଦୁଲ ନଦୀରେ ବଢି ଆସିନଥିଲା। ଏହାବାଦ ୪ ବର୍ଷ ଧରି ନଦୀରେ ବନ୍ୟାଜଳ ଆସିନଥିବାରୁ ସାନ୍ଦୁଲ ନଦୀ ଗର୍ଭ ବାଲୁକା ଶୂନ୍ୟ ହୋଇ ପଡ଼ିଥିଲା। ଫଳରେ ପ୍ରତିବର୍ଷ ଆବାସ ଯୋଜନା ଭଳି ସରକାରୀ ଓ ଅନ୍ୟସବୁ ବେସରକାରୀ ଗୃହ, ଅଫିସ ଭବନ ଗୁଡିକ ନିର୍ମାଣରେ ଅନେକ ଅସୁବିଧା ସୃଷ୍ଟି ହେଉଥିଲା। ଚଳିତ ବର୍ଷ ଗୋଟିଏ ସପ୍ତାହ ପରେ ଆଜି ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ସାନ୍ଦୁଲ ନଦୀରେ ବଢି ଆସିଛି। ସପ୍ତାହ ବ୍ୟାପୀ ପ୍ରବଳ ତାତି ରେ ଶୁଖିଲା ପଡ଼ିଥିବା ଚାଷ ଜମି ପାଇଁ ଆଜିର ବର୍ଷା ମହୌଷଧି ସାଜିଛି। ଅଞ୍ଚଳର ଚାଷୀ ଆଶ୍ୱସ୍ତ ଲାଭ କରୁଥିବା ଜଣା ପଡ଼ିଛି। ଆଜିର ପ୍ରଥମ ବନ୍ୟା ଦେଖିବା ପାଇଁ ସାନ୍ଦୁଲ ବ୍ରିଜ ଉପରେ ଦର୍ଶକଙ୍କ ଭିଡ ଦୃଶ୍ୟମାନ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.