ଡ୍ରେନର ଅସନା ପାଣିରେ ଅଣନିଃଶ୍ବାସୀ ରୁପ୍ରାରୋଡବାସୀ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାମାନ୍ୟ ବର୍ଷାରେ ବେହାଲ ହୋଇ ପଡିଛି ରୁପ୍ରାରୋଡ ବସ୍ତିର ଅବସ୍ଥା। ଅବ୍ୟବସ୍ଥିତ ଡ୍ରେନେଜ୍ ଏହାର ମୁଖ୍ୟ କାରଣ ବୋଲି ଆଲୋଚନା ହେଉଛି। ପାଣି ନିଷ୍କାସନର ସୁବ୍ୟବସ୍ଥା ନଥିବାରୁ ଅନେକ ସମୟରେ ପଶୁ ଚିକିତ୍ସାଳୟ, ପଞ୍ଚାୟତ ପରିସର, ବିଏସଏନଏଲ ଅଫିସ, ସହ ଅନେକ ଲୋକଙ୍କ ଘର ଭିତରକୁ ପାଣି ପସି ଯାଉଛି। ଏପଟେ ଡ୍ରେନର ପୁତିଗନ୍ଧମୟ ଅସନା ପାଣିରେ ଅଣନିଃଶ୍ବାସୀ ହୋଇ ପଡିଛନ୍ତି ରୁପ୍ରାରୋଡ ବସ୍ତି ବାସିନ୍ଦା। ଏଠାରେ ପ୍ରକାଶଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡ ଅଞ୍ଚଳର ଜଣାଶୁଣା ବ୍ୟବସାୟୀକ ପେଣ୍ଠସ୍ଥଳି ରୁପ୍ରାରୋଡ ବସ୍ତିଟି ଦୋକାନ ବଜାରରେ ଭରପୁର ରହିଛି। ଏଠାରେ ସାଧାରଣ ଦୋକାନ ସାଙ୍ଗକୁ ହୋଲସେଲ ସାମଗ୍ରୀର ବଡବଡ ଦୋକାନମାନ ରହିଛି। ହୋଲସେଲ ଦୋକାନୀ ମାନଙ୍କ ଅର୍ଡର ମୁତାବକ ସୁଦୁର ରାୟପୁର, କଣ୍ଟାବାଞ୍ଜି, କେସିଙ୍ଗା ଏପରିକି ରାଜସ୍ଥାନରୁ ମଧ୍ୟ ବଡବଡ ଟ୍ରକ ଯୋଗେ ବିଭିନ୍ନ ସାମଗ୍ରୀ ଆସି ପହଞ୍ଚିଥାଏ ରୁପ୍ରାରୋଡ। ଅନ୍ୟପକ୍ଷେ ରୁପ୍ରାରୋଡ ବସ୍ତି ଦେଇ ଯାଇଛି ନର୍ଲାରୁ କେସିଙ୍ଗା ପିଡବ୍ଲୁଡି ରାସ୍ତା। ରୁପ୍ରାରୋଡ ଆଗରୁ ଓ ରୁପ୍ରାରୋଡ ବସ୍ତି ଡେଇଁବା ପରେ ଆବଶ୍ୟକ ଅନୁଯାୟୀ ରାସ୍ତା ପ୍ରଶସ୍ଥ ରହିଥିବା ବେଳେ ରୁପ୍ରାରୋଡ ଷ୍ଟେଟ ବ୍ୟାଙ୍କ ଆରମ୍ଭରୁ ଷ୍ଟେସନ ଛକ ଡେଇଁ ରେଳ ଫାଟକ ଯାଏଁ ରାସ୍ତା ସଂକୀର୍ଣ୍ଣ ହୋଇଯାଇଛି। ଏହାର ଏକମାତ୍ର କାରଣ ହେଉଛି ରାସ୍ତା ଜବର ଦଖଲ। ରାସ୍ତା ଦୁଇ କଡରେ ବିଭିନ୍ନ ଦୋକାନ ଷ୍ଟଲ କରିଥିବା ଦୋକାନୀ ମାନେ ଧିରେ ଧିରେ ରାସ୍ତା କଡର ଡ୍ରେନକୁ ପୋତି ଦେବା ସହ ଷ୍ଟଲ ଆଗକୁ ବଢାଇ ରାସ୍ତାକୁ ଅନଧିକାର କବ୍ଜା କରି ନେଇଛନ୍ତି। ରୁପ୍ରାରୋଡ ଗ୍ରାମ ପଞ୍ଚାୟତର ଗ୍ରାମ ଗୁଡ଼ିକ ସମେତ ଭୀମକେଲା, କର୍ମେ ଗାଁ, ମାଣ୍ଡେଲ ଗ୍ରାମ ପଞ୍ଚାୟତର କେତେକ ଗାଁ ର ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସବୁ କିଣିବା ପାଇଁ, ଟ୍ରେନ ଯୋଗେ ଯାତ୍ରା କରିବା ପାଇଁ ନିତ୍ୟ ରୁପ୍ରାରୋଡକୁ ଆସିଥାନ୍ତି। ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ସମ୍ମୁଖ ପର ଠୁଁ ଡ୍ରେନଟି ପୋତି ହୋଇ ପଡ଼ିଥିବା ଯୋଗୁଁ ଡ୍ରେନର ପାଣି ଆଉ ଆଗକୁ ଯାଇ ନପାରି ପାଣି ଓଭର ଫ୍ଲୋ ହୋଇ ମୁଖ୍ୟ ରାସ୍ତା ଉପରେ ପୁତିଗନ୍ଧମୟ ଅସନା ପାଣି ଝରଣା ସଦୃଶ ବୋହି ପାଖାପାଖି ଷ୍ଟେସନ ଛକ ଯାଏଁ ଅସନା ହୋଇ ପଡିଥିବା ଦେଖିବାକୁ ମିଳୁଛି। ଗତ ୨୦୧୭ ମସିହାରେ ଏହି ଡ୍ରେନର ପରିସ୍ଥିତି ଏଭଳି ହେବାରୁ ଗ୍ରାମ ପଞ୍ଚାୟତ ତରଫରୁ ମରାମତି କରା ଯାଇଥିଲା। ହେଲେ ସେତେବେଳେ ଅଧା ଖଣ୍ଡିଆ ଭାବରେ କାମ କରା ଯାଇଥିବାରୁ ଏବେ ଏହି ଡ୍ରେନଟିର ପରିସ୍ଥିତି ଆହୁରି ଜଟିଳ ହୋଇ ପଡିଛି। ଏହା ମଧ୍ୟରେ ଅନେକ ଥର ଡ୍ରେନ ସଫା ହୋଇଛି ସତ କିନ୍ତୁ ପରିସ୍ଥିତି ବଦଳି ନାହିଁ। ଏବେ ରୁପ୍ରାରୋଡ ମୁଖ୍ୟ ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କ ଦେହରେ ରାସ୍ତା ଉପରେ ବୋହୁଥିବା ଅସନା ଡ୍ରେନ ପାଣି ଛିଟିକି ଡ୍ରେସ ଖରାପ ହେଉଥିବା ଅଭିଯୋଗ ହେଉଛି। ଷ୍ଟେସନ ଛକ ଠୁଁ ସେପଟେ ନାମକୁ ମାତ୍ର ଡ୍ରେନ ରହିଥିବା ବେଳେ ବାଲି ମାଟିରେ ଏହା କେଉଁ କାଳରୁ ପୋତି ହୋଇ ସାରିଛି। ରାସ୍ତା ଜବର ଦଖଲ କରି ଦୋକାନ ଷ୍ଟଲ କରିଥିବା କେତେକ ବ୍ୟବସାୟୀ ଆଉ ମାପ ଜୁପ ନ ହେଉ କି ଡ୍ରେନ ଓ ରାସ୍ତା ନ ହେଉ ବୋଲି ରୁପ୍ରାରୋଡ ବସ୍ତି ମଧ୍ୟସ୍ଥ ରାସ୍ତାର ପ୍ରଶସ୍ତି କରଣ କୁ ସବୁବେଳେ ବିରୋଧ କରି ଆସୁଥିବା ଜଣା ପଡିଛି। ଆଜିର ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଡ୍ରେନର ସ୍ଥିତି ନ କହିବା ଭଲ। ରୁପ୍ରାରୋଡ ବସ୍ତି ମଧ୍ୟସ୍ଥ ଏହି ଡ୍ରେନ ଟିକୁ ଗ୍ରାମ ପଞ୍ଚାୟତ କର୍ତ୍ତୃପକ୍ଷ ପୁନରୁଦ୍ଧାର କରି ରୁପ୍ରାରୋଡକୁ ରୋଗ ମୁକ୍ତ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.