ପାନୀୟ ଜଳ ସମସ୍ୟାକୁ ନେଇ ରାସ୍ତାରୋକ, ୫ଘଣ୍ଟା ଠପ୍ ଯାତାୟାତ

ସରପଞ୍ଚଙ୍କ ୭ ଦିନିଆ ପ୍ରତିଶ୍ରୁତି ପରେ ହଟିଲେ ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦୀର୍ଘ ଦୁଇ ମାସ ଧରି ପାନୀୟ ଜଳ ସମସ୍ୟା ଲାଗିରହିଥିବାରୁ ଉତ୍ତ୍ୟକ୍ତ ଗ୍ରାମବାସୀ ରାୟଗଡ଼ା–ବିଶ୍ୱନାଥପୁର ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ କଲାକୂପା ଗ୍ରାମରେ ଦେଖାଦେଇଥିବା ଏହି ସମସ୍ୟାର ପ୍ରତିବାଦରେ ଗ୍ରାମବାସୀ ରାସ୍ତାରୋକ କରିଥିବାରୁ ପ୍ରାୟ ୫ଘଣ୍ଟା ଧରି ଯାନବାହନ ଚଳାଚଳ ଠପ୍ ହୋଇପଡ଼ିଥିଲା।ସୂଚନା ଅନୁସାରେ, କଲାକୂପା ଗ୍ରାମରେ ଗତ ଦୁଇ ମାସ ଧରି ପାନୀୟ ଜଳ ସମସ୍ୟା ଲାଗିରହିଛି। ଫଳରେ ଗ୍ରାମବାସୀ ଦୈନନ୍ଦିନ ଆବଶ୍ୟକତା ପାଇଁ ଜଳ ସଂଗ୍ରହ କରିବାରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ଦିନ ଧରି ସମସ୍ୟାର ସମାଧାନ ହୋଇ ନଥିବାରୁ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇ ପ୍ରତିବାଦ ଜଣାଇଥିଲେ।ରାସ୍ତାରୋକ ଯୋଗୁଁ ଉଭୟ ପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିଥିବା ବେଳେ ଯାତ୍ରୀମାନଙ୍କୁ ମଧ୍ୟ ଅସୁବିଧା ଭୋଗିବାକୁ ପଡ଼ିଥିଲା। ଖବର ପାଇ ସ୍ଥାନୀୟ ବିଜେପୁର ସରପଞ୍ଚ ଜନନୀ ମାଝୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ସାତ ଦିନ ମଧ୍ୟରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ରାସ୍ତାରୋକରୁ ହଟିଥିଲେ। ଏହାପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା। ତେବେ ସରପଞ୍ଚଙ୍କ ପ୍ରତିଶ୍ରୁତି ଅନୁଯାୟୀ ସାତ ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ପୁଣିଥରେ ରାସ୍ତାରୋକ କରିବା ସହ ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଟେକୁରାମ ପାଣି,ପୂର୍ଣ୍ଣଚନ୍ଦ୍ର ମାଝୀ, ରମେଶ କରୁଆଁ , ଦେବଗିରି ନାଏକ, ମଦନ ମାଝୀ, ଧାନବୋଇ ମାଝୀ, ରବି ମାଝୀ, ଚନ୍ଦନା ନାଏକ, ପଦ୍ମା ବିଭାର, ଲକ୍ଷ୍ମୀ ନାଏକ, ରୂପାଦେଇ ମାଝୀ,ତିତିଲା କରୁଆଁ ,ହେମଲତା ବାଗ ସମେତ କଲାକୂପା ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.