ଆନ୍ଧ୍ରର ପ୍ରସ୍ତୁତି ଅଭିଯୋଗ, ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ଉଠିଲା ପ୍ରଶ୍ନ
ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): କୋଟିଆରେ ଆନ୍ଧ୍ରପ୍ରଦେଶର ନିର୍ବାଚନୀ ପ୍ରସ୍ତୁତିକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି ଜିଲ୍ଲା କଂଗ୍ରେସ। ଏହି ପ୍ରସଙ୍ଗରେ ଶନିବାର କୋଟିଆଠାରେ ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମ ଆନ୍ଧ୍ରର ନିର୍ବାଚନୀ ପ୍ରସ୍ତୁତି ନେଇ ସରକାରଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଥିଲେ। ପ୍ରଦେଶ କଂଗ୍ରେସ ମହିଳା ସଭାନେତ୍ରୀ ମିନାକ୍ଷୀ ବାହିନୀପତି ମଧ୍ୟ କୋଟିଆରେ ଅନୁପ୍ରବେଶ ଅଭିଯୋଗ ଉପରେ ରାଜ୍ୟ ଓ ଜିଲ୍ଲା ପ୍ରଶାସନର ପଦକ୍ଷେପ ସମ୍ପର୍କରେ ପ୍ରଶ୍ନ କରିଥିଲେ। କୋଟିଆର ଇଞ୍ଚେ ଜମି ମଧ୍ୟ ଆନ୍ଧ୍ରକୁ ଛାଡ଼ି ଦିଆଯିବ ନାହିଁ ବୋଲି କଂଗ୍ରେସ ନେତାମାନେ କହିଥିଲେ। ଜିଲ୍ଲା ସଭାପତି ରୂପକ ତୁରୁକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ସମ୍ମିଳନୀରେ ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ଜଗଦୀଶ ଖୋସଲା, ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ ହିଆଲ, କୋରାପୁଟ ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ କୃଷ୍ଣ କୁଲଦୀପ, ବ୍ଲକ ସଭାପତି ଅର୍ଜୁନ ବାଙ୍କା ଓ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ଥିଲେ। ଚଳିତ ମାସ ୧୯ ତାରିଖରେ ନିର୍ବାଚନ କେବେ ହେବ, ସେନେଇ ଘୋଷଣା ହେବାକୁ ଥିବାରୁ କୋଟିଆରେ ଆଗାମୀ ପରିସ୍ଥିତି ଉପରେ ନଜର ରହିଛି। ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତାହା ଗୁରୁତ୍ୱ ବହନ କରୁଛି।





