ଜଗଜ୍ଜନନୀ ମାଁ ପାର୍ବତୀଙ୍କୁ ହିମାଳୟ ପତ୍ନୀ ମେନକାଙ୍କ ଗର୍ଭରୁ ଜାତ ବୋଲି କୁହାଯାଇଛି । ବୈଦିକ କୋଷ ( ନିର୍ଘଣ୍ଟ ) ଅନୁଯାୟୀ ମେନା – ମେନକା ଶବ୍ଦର ଅର୍ଥ ବାଣୀ ଓ ଗିରି, ପର୍ବତ ଆଦି ଶବ୍ଦର ଅର୍ଥ ମେଘ ଅଟେ । ଅମର ସିଂହରେ ଅପର୍ଣ୍ଣା, ପାର୍ବତୀ, ଦୁର୍ଗା, କାଳୀ, ମୃଡାନୀ, ଚଣ୍ଡିକା, ଅମ୍ବିକା ଏକ ବୋଲି କୁହାଯାଇଛି । ଦୁର୍ଗା ଜଗନ୍ମାତା ଅଟନ୍ତି । ସେ ଜଗତ ପାଳନ କରୁଛନ୍ତି । ଏହି କାର୍ଯ୍ୟରେ ମେଘ୍ ତାଙ୍କର ସହାୟତା କରୁଛନ୍ତି । ହିମାଳୟର ଏକ ଅର୍ଥ ମଧ୍ୟ ମେଘ ଅଟେ । ନିରୁକ୍ତ ଷଷ୍ଠ ଅଧ୍ୟାୟ ଶେଷରେ ହିମ ଶବ୍ଦର ଅର୍ଥ ଜଳ କୁହାଯାଇଛି । ଋଗ୍ ବେଦରେ କଥିତ ଅଛି ଗୌରୀର୍ମିମାୟ ସଲିଲାନି ତକ୍ଷତି…”। ମାତାଙ୍କ ଠାରୁ ସନ୍ତରିତ ଆବିର୍ଭାବ ହୋଇଥାଏ । ମେନକା ବେଦ ବାରୀରେ ତାହାଙ୍କ ସ୍ଥାନ ଲୋକଙ୍କୁ କରାଇଥାଏ । ଦେହରୁ ଆମ୍ଭେ ବିଦିତ ହୋଇଥାଉଁ ଯେ ପରମାତ୍ମା ନିଜକୁ ସ୍ତ୍ରୀ ଏବଂ ପୁରୁଷ ଉଭୟ ରୂପ ଧାରଣ କରିଥାନ୍ତି । ଯଦ୍ୱାରା ପ୍ରାଣୀମାନେ ଈଶ୍ବରଙ୍କ ଠାରୁ ମାତୃତ୍ଵ – ପିତୃତ୍ଵ ଦୁଇ ପ୍ରକାର ସୁଖ ପାଇଥାନ୍ତି । ତ୍ର୍ୟମ୍ୱଙ୍କ ଯଜାମହେ ( ଯଦୁର୍ବେଦ) ରେ ଏହାର ଅର୍ଥ ଆମ୍ଭେ ଦୁର୍ଗାଙ୍କ ସହ ମହାଦେବୀଙ୍କୁ ପୂଜା କରୁ । ସାମବେଦରେ ୨୬ ବ୍ରାହ୍ମଣରେ – ତ୍ର୍ୟମ୍ୱକ ଶବ୍ଦର ଅର୍ଥ ବର୍ଣ୍ଣନା କରାଯାଇଛି । “ସ୍ତ୍ରୀ ଅମ୍ବା ସ୍ୱସା ଯସ୍ୟ ସଃ ତ୍ର୍ୟମ୍ବକଃ। ପୃଷୋଦରାଦିତ୍ୱାତ୍ ସ୍ୱରଲୋପଃ।” । ଅତଏବ ସ୍ତ୍ରୀ ଶବ୍ଦର ସକାର ତ୍ର୍ୟମ୍ୱକ ଶବ୍ଦରେ ନାହିଁ । ଶ୍ଲେଷାଳଙ୍କାରରେ ଏହି ତ୍ର୍ୟମ୍ୱକ ଶବ୍ଦର ଅର୍ଥ ତ୍ରିନେତ୍ର ମଧ୍ୟ ହୁଏ । ଏହାର ତାତ୍ପର୍ଯ୍ୟ ଏହି ଯେ, ସେ ତ୍ରିକାଳଜ୍ଞ, ସର୍ବଜ୍ଞ ଅଟନ୍ତି । ଏହିପରି ଅର୍ଥରୁ ସ୍ପଷ୍ଟ ହୁଏ ଯେ, ପରମାତ୍ମାଙ୍କ ନିଜ ଦୁଇ ରୂପରେ ଭାଇ ଭଉଣୀ ସମ୍ବନ୍ଧ ଥାଏ । କାରଣ ଉଭୟେ ପୂର୍ଣ୍ଣ କାମ ଅଟନ୍ତି ।
ଶ୍ରୀଦୁର୍ଗା ମାତା ଦୁର୍ଗତି ନାଶିନୀ ଅଟନ୍ତି । ଦୁର୍ଗତିକୁ ଘୁଞ୍ଚାଇବା ପାଇଁ ବୀରତ୍ୱର ଆବଶ୍ୟକତା ହୋଇଥାଏ । ବୀର – ସିଂହ – ସମସ୍ତ ଶତ୍ରୁମାନଙ୍କୁ ନିଜ ବଶରେ ରଖିଥାନ୍ତି । ଏହି ଶିକ୍ଷା ପାଇଁ ଦୁର୍ଗାଙ୍କ ବାହାନ ସିଂହ ଅଟେ । ତନ୍ତ୍ର ଓ ପୁରାଣରେ ତାଙ୍କ ହାତରେ ଥିବା ଅସ୍ତ୍ରଶସ୍ତ୍ର ଗୁଡ଼ିକର ବର୍ଣ୍ଣନା କରାଯାଇଛି । ଏଗୁଡ଼ିକ ପାପୀମାନଙ୍କୁ ଦିଆଯାଉଥିବା ରୋଗ – ଶୋକାଦିର ସୂଚକ ଅଟେ। ତାଙ୍କ ହାତରେ ଥିବା ତ୍ରିଶୂଳ ଆଧ୍ୟାତ୍ମିକ, ଆଧିଭୌତିକ, ତଥା ଆଧିଦୈବିକ ତାପ ତ୍ରୟରୁ ଜାତ ରୋଗଗୁଡ଼ିକର ପରିଚାୟକ । ପ୍ରଳୟ ଜଳରେ ବ୍ରହ୍ମାଣ୍ଡ ଶ୍ମଶାନ ହୋଇ ଯାଉଥାଏ । ପ୍ରାଣୀମାନଙ୍କ ରୁଣ୍ଡ – ମୁଣ୍ଡ ଇତସ୍ତତଃ ହୋଇ ପଡ଼ି ରହିଥାଏ । ଏଥିପାଇଁ ପରମେଶ୍ବର ଓ ପରମେଶ୍ୱରୀଙ୍କୁ ଚିତା ନିବାସୀ ( ଶ୍ମଶାନବାସୀ ) ଏବଂ ରୁଣ୍ଡ – ମୁଣ୍ଡ ଧାରିଣୀ କହନ୍ତି । ସେହି ସମୟରେ ତାଙ୍କର ବ୍ୟତୀତ ଅନ୍ୟ କୌଣସି ପ୍ରାଣୀର ସତ୍ତା ନ ଥାଏ । ମାତାଙ୍କ ଭୟରେ ପାପୀ ରାକ୍ଷସମାନଙ୍କ ରକ୍ତ ମାଂସ ଶୁଖିଯାଏ, ଅତଏବ କବିମାନେ କଳ୍ପନା କରିଛନ୍ତି – ଦୁର୍ଗା ଦେବୀ ରକ୍ତ – ମାଂସର ଉପଯୋଗ କରିଥାନ୍ତି । ମାର୍କଣ୍ଡେୟ ପୁରାଣରେ ଲେଖାଅଛି – ଦେବୀ ଯୁଦ୍ଧ ସମୟରେ ମଦ୍ୟ ପାନ କରୁଥିଲେ । ମଦ୍ୟ ଓ ମଧୁର ଅଭିପ୍ରାୟ ଅଭିମାନ ଅଥବା ଉନ୍ମଚତା କରିବା ଆଚରଣ ହିଁ ଏହା ଅଟେ । ନାରଦ ଭକ୍ତି ସୂତ୍ରରେ କଥିତ ଅଛି ଈଶ୍ୱର ଦୀନବନ୍ଧୁ ଓ ଅଭିମାନ ତ୍ୟାଗୀ ଅଟନ୍ତି । ଏଣୁ ତାଙ୍କ ଠାରେ ଅଭିମାନର ମାତ୍ରା ନ ଥାଏ । ଈଶ୍ୱର ସ୍ୱାଭିମାନ ଦ୍ଵେପିତ୍ୱା ଦଦୈନ୍ୟ ପ୍ରିୟତ୍ୱାଞ୍ଚ ସର୍ବବ୍ୟାପକ ହୋଇଥିବା କାରଣରୁ ସେ ସର୍ବ ଦିଗରେ ବ୍ୟାପ୍ତ ଅଟନ୍ତି । ଏଣୁ ଦିଗଗୁଡ଼ିକ ତାଙ୍କର ବସ୍ତ୍ର ସମ ଅଟେ । ଏଥିପାଇଁ ତାଙ୍କର ନାମ ଦିଗମ୍ବର । ଜଗଜ୍ଜନନୀଙ୍କ ଶରୀର ଦିବ୍ୟ ଅଟେ । ତାଙ୍କ ଠାରେ ପଞ୍ଚତତ୍ଵ ବା ବିକାର ଗୁଡ଼ିକ ସଂଯୋଗ ନ ଥାଏ । ତାଙ୍କର ଶରୀର ଶୁଦ୍ଧ ତଥା ନିତ୍ୟ ଅଟେ ।
ଉଷ୍ମତାଣ୍ଡବ ଜରାୟୁ ଜୋଭି ଜ୍ଜସାଂକଜ୍ଜିକ ସାଂ ସିଦ୍ଧିକ ଶ୍ଚେଚି ନିୟମଃ ।
ଯେପରି ଘଷିବା ଦ୍ଵାରା ଦିଆସିଲିରୁ ଅଗ୍ନି ପ୍ରକଟ ହୁଏ । ସେହିପରି ଭକ୍ତର କଲ୍ୟାଣ ନିମିତ୍ତ ଦେବୀ ଦିବ୍ୟ ରୂପରେ ଆବିର୍ଭୂତ ହୁଅନ୍ତି । କେନୋପନିଷଦରେ ଚର୍ଚ୍ଚା କରାଯାଇଛି ଯେ, ଥରେ ଦେବଗଣଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଲା । କେଉଁ ଦେବତା ସବୁଠାରୁ ବଡ଼ ଅଟନ୍ତି ? ସେମାନେ ଏହା ନିର୍ଣ୍ଣୟ କରିପାରିଲେ ନାହିଁ । ସେତିକି ବେଳେ ଯକ୍ଷ ଦେବଗଣଙ୍କ ପୂଜ୍ୟ ପରମେଶ୍ବର ତାଙ୍କ ମଧ୍ୟରେ ଆସି ଠିଆ ହୋଇଗଲେ । ସମସ୍ତ ଦେବତାଙ୍କ ଶକ୍ତି କ୍ଷୀଣ ହୋଇଗଲା । ସେମାନେ ପରମେଶ୍ୱରଙ୍କୁ ଚିହ୍ନି ପାରିଲେ ନାହିଁ । ସେହି ସମୟରେ ଉମା – ଦୁର୍ଗା ରୂପରେ ପ୍ରକଟ ହୋଇ କହିଲେ ଏହି ଯକ୍ଷ ବ୍ରହ୍ମ ଅଟନ୍ତି । ମାତା ହିଁ ନିଜ ପୁଅଝିଅଙ୍କୁ ପିତାଙ୍କ ନାମ ଶିଖାଇ ଥାଏ । ଦୁର୍ଗା ଆବିର୍ଭାବ ହେବା ପୁଅଝିଅମାନଙ୍କ ପ୍ରତି ସ୍ନେହମୟୀ ଙ୍କ କରୁଣାର କାରଣ ଅଟେ ।
ସ ତସ୍ମିନ୍ନେବାକାଶେ ସ୍ତ୍ରୀୟାମାଜଗାମ –
ବହୁଶୋଭମାନା ମୁମାଂ
ହୈମବତୀଂ, ତାଂ ହୋବାଚ କିମେତଦର୍କ୍ଷ
ଯକ୍ଷମିତିସା ବ୍ରହ୍ନେତି…
( କେନୋପନିଷଦ )
ଦେବ ସ୍ୱରୂପ ଧାରଣ କରିବା ପାଇଁ ବାହ୍ୟ ସାଧନର ଆବଶ୍ୟକତା ନ ଥାଏ । ମହା ମହିମ ହେବା କେବଳ ଆତ୍ମାରୁ ହିଁ ସମସ୍ତ କାର୍ଯ୍ୟ ସଫଳ ହୋଇଥାଏ । ଆତ୍ମେଷଚଃ, ଆତ୍ମାୟୁଧମ୍ । ଆତ୍ମା ସର୍ବଦେବସ୍ଯ ।ପରମାତ୍ମା ନିରାକାର ରହି ମଧ୍ୟ ସମସ୍ତ କାର୍ଯ୍ୟ କରିଥାନ୍ତି । ସେ ଏଥିପାଇଁ ଦିବ୍ୟ ମୂର୍ତ୍ତି ଧାରଣ କରନ୍ତି । ମୂର୍ତ୍ତି ଧାରଣ କରୁଥିବା ହେତୁ ଲୋକେ ମୂର୍ତ୍ତି – ପୂଜା କରି ଶୀଘ୍ର ତାହାଙ୍କୁ ପ୍ରାପ୍ତ ହେବାରେ ସମର୍ଥ ହୁଅନ୍ତି ।
ଅର୍ଚତ ପ୍ରାର୍ଚତ ପ୍ରିୟ ମେଧା ସୋ ଅର୍ଜତ ।
ଅର୍ଚନ୍ତୁ ପୁତ୍ରକା ଉଚ ପୁଂନ ଧୃଷ୍ଣ ବର୍ଚ୍ଚତ ।
ଏହି ମନ୍ତ୍ରରେ ପରମ ଶବ୍ଦର ଅର୍ଥ ଶରୀର ମୂର୍ତ୍ତି । ଲୋକମାନେ ପୁଅଝିଅଙ୍କ ମୂର୍ତ୍ତି ପୂଜା କରିବେ । ମନ୍ତ୍ରରେ ଅର୍ଚ୍ଚତ ତିନି ଥର ବ୍ୟବହାର କରାଯାଇଛି । ଏହାର ଅର୍ଥ ଶରୀର, ମନ ଓ ବାକ୍ୟ ଦ୍ଵାରା ମୂର୍ତ୍ତି ପୂଜା କରିବା ଉଚିତ୍ ଅଟେ । ଲୋକାଚାର ଏବଂ ରାଜନୀତିର ପରମ ଗୁରୁ ମନୁ ତଥା ଯାଜ୍ଞବଲାକ୍ୟ ଶାନ୍ତି ପର୍ବର ଉପଦେଷ୍ଟା ବ୍ୟାସଦେବ, ଅର୍ଥ ଶାସ୍ତ୍ରର ପ୍ରଣେତା କୌଟିଲ୍ୟ ଆଦି ମହାପୁରୁଷଗଣ ଧର୍ମ ସ୍ଥାପନାର୍ଥ ଶକ୍ତି ପ୍ରଦର୍ଶନକୁ ହେୟଜ୍ଞାନ କରି ନ ଥିଲେ । ଏହି କାରଣରୁ ସେମାନଙ୍କ ଉଦ୍ଦେଶ୍ୟକୁ ନେଇ ସୂର୍ଯ୍ୟ ଓ ଚନ୍ଦ୍ର ବଂଶୀୟ ପୌରାଣିକ ଯଶସ୍ଵୀ ସମ୍ରାଟ ମାନେ ତଥା ଐତିହାସିକ ରାଜାଗଣ ମାତୃଭୂମି ପାଇଁ ଶକ୍ତିର ଉପଯୋଗ କରିଥିଲେ । ମହାରାଜା ରଘୁ, ଦିଲ୍ଲୀପ, ଭଗୀରଥ, ଦଶରଥ, ରାମ, କୃଷ୍ଣ, ଯୁଧିଷ୍ଠିର, ବିମ୍ବିସାର, ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଅଶୋକ, ବିକ୍ରମାଦିତ୍ୟ, ମହାରାଣା ପ୍ରତାପ, ପୃଥ୍ୱୀରାଜ ଚୌହାନ, ଶିବା ଓ ଗୁରୁ ଗୋବିନ୍ଦ ସିଂହ ନିଜ ବୀରୋଚିତ କାରଣରୁ ଶକ୍ତିର ଆଶ୍ରୟ ନେଇ ଆଜି ପର୍ଯ୍ୟନ୍ତ ଘରେ ଘରେ ପୂଜା ପାଉଛନ୍ତି ।
ବୈଦିକ କାଳରୁ ଶକ୍ତିର ଆରାଧନା ଭାରତୀୟ ସଂସ୍କୃତିର ଅଭିନ୍ନ ଅଙ୍ଗ ଭାବେ ରହିଅଛି । ଉପାସନା, ଉପାସ୍ୟ ଏବଂ ଉପାସକ ଏହି ତିନୋଟି ପାଦ ଅଟେ । ଏହି ତିନି ମଧ୍ୟରୁ କୌଣସି ଏକ ଶବ୍ଦର ବିସ୍ତୃତ କରାଗଲେ ସନ୍ତୁଳନ ଅସ୍ଥିର ହୋଇ ଉଠିବ । ଉପାସନା ଲକ୍ଷ୍ୟର ଜ୍ଞାନ ପ୍ରଦର୍ଶକ ଅଟେ । ଉପାସ୍ୟର ପ୍ରତୀକ ନିଜ ନିଜ ଆଦର୍ଶ ଦ୍ଵାରା ଆମ୍ଭେ ନିରନ୍ତର ପ୍ରେରିତ କରି ରହିଥାଉଁ । ସାଧନାର ଉଦ୍ଯୋଗ – ହେତୁ ଉପାସକଙ୍କୁ ପ୍ରଥମ ପାଦ ବଢ଼ାଇବାକୁ ପଡିଥାଏ । ଭାରତୀୟ ସଂସ୍କୃତି ଶକ୍ତି ଉପାସ୍ୟ ରୂପରେ ଦେବୀ ଦୁର୍ଗାଙ୍କୁ ସର୍ବଶ୍ରେଷ୍ଠ ଜ୍ଞାନ କରି ମାନି ଆସୁଛନ୍ତି।
ସଗୁଣ, ନିର୍ଗୁଣ, ସକାମ, ନିଷ୍କାମ ସମସ୍ତଙ୍କର ବେଦାନ୍ତ ପ୍ରକ୍ରିୟାରେ ଅନୁରୂପ ଆତ୍ମଦର୍ଶନ ହୋଇ ନଥାଏ । ବଳହୀନ ହେବା ଦ୍ଵାରା ସେମାନଙ୍କ ବାଞ୍ଛିତ ରହିଯାଏ ।
ନାୟମାତ୍ମା ବଲହୀନେନ ଲଭ୍ୟୋ
ନ ଚ ପ୍ରମାଦାତ୍ତପସୋ ବାପ୍ୟଲିଙ୍ଗାତ୍।
ଏତୈରୁପାୟୈର୍ଯତତେ ଯସ୍ତୁ ବିଦ୍ୱାଂ-
ସ୍ତସ୍ୟୈଷ ଆତ୍ମା ବିଶତେ ବ୍ରହ୍ମଧାମ॥
ଏହି ଆତ୍ମା ଶକ୍ତିହୀନ ପୁରୁଷଙ୍କୁ ଅପ୍ରାପ୍ୟ ଅଟେ । ଏହା ପୁତ୍ରାଦି ମାନଙ୍କ ଠାରେ ଆସକ୍ତ ଥିବା ବ୍ୟକ୍ତି ପ୍ରମାଦ ଦ୍ବାରା ମଧ୍ୟ ଲଭ୍ୟ ହୋଇ ନଥାଏ । ସନ୍ନ୍ୟାସ ରହିତ ତପସ୍ୟାରେ ମଧ୍ୟ ପ୍ରାପ୍ତ ହୁଏ ନାହିଁ । କିନ୍ତୁ ଯେଉଁ ବିଦାନ ଶକ୍ତି ପ୍ରାପ୍ତିର ଯୋଗ୍ୟ ଆତ୍ମ ତତ୍ତ୍ୱକୁ ଜାଣିବା ପାଇଁ ପ୍ରଯତ୍ନ କରିଥାଏ ତାହାର ଏହି ଆତ୍ମା ବ୍ରହ୍ମ ଧାମରେ ପ୍ରବିଷ୍ଟ ହୁଏ ।
ଉପାସନା ସମ୍ବନ୍ଧରେ ଏକ ବିଶେଷ ଉଲ୍ଲେଖନୀୟ କଥା ହେଉଛି ଉପାସକର ପ୍ରବୃତ୍ତି। ଦିନେ ଇଚ୍ଛାକଲେ ବେଦ, ଦାନ, ଯଜ୍ଞ, ନିୟମ ଓ ତପ ଆଦି କରୁଥିଲେ ମଧ୍ୟ ଦୁଷ୍ଟ ପ୍ରବୃତ୍ତି ବ୍ୟକ୍ତିମାନଙ୍କ ସିଦ୍ଧି ପ୍ରାପ୍ତ ହୁଏ ନାହିଁ ।
ଦେବୋଭୂତ୍ବା ଯଜେଦ୍ ଦେବମ୍ ।
ଏହି ଆଦର୍ଶର ନିର୍ବହନ ଆବଶ୍ୟକ ହୋଇଥାଏ । ପ୍ରକୃତି ଆରମ୍ଭ ମାନସିକ ଶକ୍ତିକୁ ଶାରୀରିକ ଶକ୍ତିରେ ସ୍ଥାନ ଗ୍ରହଣ ପାଇଁ ଅନୁମତି ପ୍ରଦାନ କରେନାହିଁ । ଏଣୁ ଶାରୀରିକ ଶକ୍ତି ଉପରେ ଯଥାଯୋଗ୍ୟ ନିୟନ୍ତ୍ରଣ କରାଗଲେ ମାନସିକ ଶକ୍ତିକୁ ସ୍ଥାନ ପ୍ରଦାନ କରିଥାଏ । ଶକ୍ତି ଅର୍ଜନରେ ପ୍ରାଣବାଧା ହୁଏ ନାହିଁ।
ସିଂହ ଛୁଆ ମତ ଗଜରାଜ ଉପରେ ଆକ୍ରମଣ କରିବା ଉଚିତ୍ ମନେ କରେ। ଏହା ଶକ୍ତିଶାଳୀ ମାନଙ୍କ ସ୍ୱଭାବ ଅଟେ । ତେଜସ୍ୱୀ ହେବାଦ୍ୱାରା ଅବସ୍ଥାର କାରଣ ନଥାଏ।
ଶକ୍ତି ଉପାସନା ସମ୍ବନ୍ଧରେ ଏହି ଭ୍ରାନ୍ତିକୁ ନିରାକରଣ କରିବା ଆବଶ୍ୟକ ହୋଇଥାଏ ।
ବ୍ରହ୍ମା, ବିଷ୍ଣୁ ମହେଶ୍ବର ଏବଂ ତାଙ୍କର ପରାତ୍ପର ପରଂ ବ୍ରହ୍ମ ରାମ, କୃଷ୍ଣ, ଦୁର୍ଗା, କାଳୀ, ଶିବା ଓ ଏମାନଙ୍କ କେବଳ ନାମ ଭିନ୍ନ । ଏମାନଙ୍କ ମଧ୍ୟରେ ଅଭିନ୍ନତା ନିର୍ବିବାଦ ଅଟେ ।
ଏମାନେ ପରାତ୍ପର ବ୍ରହ୍ମ ନିତ୍ୟ – ସ୍ବରୂପ ହୋଇ ପରାଶକ୍ତି ସମ୍ପନ୍ନ ଅଟନ୍ତି । ଯେତେବେଳେ ଏହି ଶକ୍ତି ଶକ୍ତିମାନ ଠାରେ ଅଦୃଶ୍ୟ ତଥା ନିଷ୍କ୍ରିୟ ଭାବେ ରହେ ସେତିକି ବେଳେ ଶକ୍ତି ମାନଙ୍କ ବୈଭବ ଗୌଣ ହୋଇଯାଏ । ଯଦି ଏହା କ୍ରିୟାଶୀଳ ହୋଇ ପ୍ରକଟିତ ହୁଏ ତେବେ ପ୍ରମୁଖ ହୋଇଥାଏ । ବାସ୍ତବରେ ଶକ୍ତି ଓ ଶକ୍ତିମାନର ନିତ୍ୟ ନିରନ୍ତର ଅବିଭାଜ୍ୟ ସମ୍ବନ୍ଧ ଥାଏ । ଶକ୍ତି ଓ ଶକ୍ତିମାନ ସର୍ବଦା ଏକ ଅନ୍ୟ ଅପେକ୍ଷା ସ୍ୱଭାବିକ ଅଟେ । ନତୁବା ଶିବ ବିନା ଶକ୍ତି, ଶକ୍ତି ବିନା ଶିବ ନଥାନ୍ତି । ଶକ୍ତିମାନ ନହେଲେ ଶକ୍ତି କିପରି ରହିବ ଏବଂ ଶକ୍ତି ନଥିଲେ ଶକ୍ତିମାନ ଅସ୍ତିତ୍ୱ ହୀନ ଶବ ହୋଇଯିବ।
ବିଶ୍ଵର ସର୍ବୋଚ୍ଚ ଭାରତୀୟ ସଂସ୍କୃତିରେ ମାତୃଶକ୍ତିକୁ ଆଦ୍ୟାଶକ୍ତି – ବ୍ରହ୍ମ ପରେ ପ୍ରତିଷ୍ଠିତ କରି କେବଳ ଆତ୍ମାର ଚରମୋତ୍କର୍ଷ ପ୍ରାପ୍ତ କରି ନତୁବା ନାରୀଙ୍କ ଠାରେ ନିହିତ ଶକ୍ତି ଏବଂ ସ୍ନେହକୁ ଆଦର୍ଶ ସ୍ୱରୂପ ଦେଇ – ‘‘ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟତେ ରମନ୍ତେ ତତ୍ର ଦେବତା’’-ଆଶ୍ଚର୍ଯ୍ୟ ଜନକ ଉଦ୍ଘୋଷ ମଧ୍ଯ ପ୍ରସ୍ତୁତ କରିଥିଲେ ।
ପ୍ରସିଦ୍ଧ ପାଶ୍ଚାତ୍ୟ ବିଦ୍ୱାନ ନିଜ ବିଚାରର ସନ୍ଦର୍ଭରେ ସ୍ୱୀକର କରିଥିଲେ ଯେ, ଦୁର୍ଗା ସପ୍ତଶତୀର
ଓଁ ଐ ହ୍ରୀଂ କ୍ଲୀଂ ଚାମୁଣ୍ଡା ୟୈବିଚ୍ଚେ ।
ଏହି ନବାର୍ଣ୍ଣ ମନ୍ତ୍ରଟି ସଂସାରରେ ସର୍ବ ଶ୍ରେଷ୍ଠ ପ୍ରାର୍ଥନାରେ ପରିଗଣିତ ।
ଋଷି ପ୍ରବତ୍ତ ମାର୍କଣ୍ଡେୟ – କଥା ମାଧ୍ୟମରେ ନୃପଶ୍ରେଷ୍ଠ ସୁରଥ ଓ ବଣିକ ଶ୍ରେଷ୍ଠ ସମାଧିଙ୍କୁ ମେଧା ଋଷିଙ୍କ ମୁଖରୁ ଭଗବତୀ ମହାମାୟାଙ୍କ ଯେଉଁ ସ୍ୱରୂପକୁ ବର୍ଣ୍ଣନା କରିଛନ୍ତି ତାହା ଦୁର୍ଗା ସପ୍ତଶତୀଙ୍କ ମୂଳ ଆଖ୍ୟାନ ଅଟେ ।
ଅବ୍ୟକ୍ତ ଜନ୍ମାବ୍ରହ୍ମା ମଧୁ – କୈଟତ୍ତ ସଂହାର ନିମିତ୍ତ ତମୋଗୁଣର ଅଧିଷ୍ଠାତ୍ରୀ ଦେବୀ ଯୋଗନିଦ୍ରାଙ୍କୁ ଯେଉଁ ରୂପରେ ସ୍ତୁତି କରିଥିଲେ ତାହା ସ୍ବୟଂ ନାରୀଙ୍କ ବାସ୍ତବିକ ସ୍ୱରୂପର ଉଜ୍ଜ୍ଵଳ ଶକ୍ତି ଅଟେ ।
ସୌମ୍ୟା ସୌମ୍ୟତର ଶେଷ ମୌମ୍ରାଭ୍ୟାସ୍ବତୀ ସୁନ୍ଦରୀ ଦେବୀ ତୁମେ ସୌମ୍ୟ ଓ ସୌମ୍ୟତର ଅଟ କିନ୍ତୁ ଏତିକି ନୁହଁ । ଯେତିକି ସୌମ୍ୟ ପଦାର୍ଥ ଅଛି ତୁମେ ଏହି ସର୍ବ ଅପେକ୍ଷା ଅଧିକ ସୁନ୍ଦରୀ ଅଟ ।
ପାପାତ୍ମା ତଥା ପୁଣ୍ୟାତ୍ମା ଏବଂ ସୁପୁରୁଷ ତଥା କୁଳୀନ ମାନଙ୍କ ଅନ୍ତକରଣକୁ ବିଶ୍ଲେଷଣ କରି ଭଗବାନ ବ୍ୟାସଦେବ ମହିଷାସୁର ମର୍ଦ୍ଦିନୀଙ୍କ ଯଶୋଗାନ ଯେଉଁ ସାର ଗର୍ଭିତ ଢ଼ଙ୍ଗରେ କରିଥିଲେ
ଯା ଶ୍ରୀଃ ସ୍ୱୟଂ ସୁକୃତିନାଂ ଭବନେଷ୍ୱଲକ୍ଷ୍ମୀଃ।
ପାପାତ୍ମନାଂ କୃତଧିୟାଂ ହୃଦୟେଷୁ ବୁଦ୍ଧିଃ।
ଶ୍ରଦ୍ଧା ସତାଂ କୁଳଜନପ୍ରଭବସ୍ୟ ଲଜ୍ଜା।
ତାଂ ତ୍ୱାଂ ନତାଃ ସ୍ମ ପରିପାଳୟ ଦେବି ବିଶ୍ୱମ୍॥
ପୁଣ୍ୟାତ୍ମାଙ୍କ ଘରେ ଲକ୍ଷ୍ମୀ, ପାପାତ୍ମା ମାନଙ୍କ ଘରେ ଦରିଦ୍ର ରୂପା, ଶୁଦ୍ଧ ଅନ୍ତକରଣ ପୁରୁଷଙ୍କ ହୃଦୟରେ ସୁବୁଦ୍ଧି ରୂପା, ସତ ପୁରୁଷଙ୍କ ଠାରେ ଶ୍ରଦ୍ଧାରୂପା, ତଥା କୁଳୀନଙ୍କ ଠାରେ ଲଜ୍ଜା ରୂପରେ ନିବାସ କରନ୍ତି । ସେହି ଦୁର୍ଗାଙ୍କୁ ମୁଁ ନମସ୍କାର କରୁଅଛି ।
ମହାନିର୍ବାଣ ତନ୍ତ୍ର ଅନୁସାରେ ଏହି ବିଶ୍ୱର ପ୍ରତ୍ୟେକ ନାରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଅଟନ୍ତି । ଏହାର ସ୍ପଷ୍ଟ ଅର୍ଥ ଏହି ଯେ – ନାରୀ ଜାତିଙ୍କ ପ୍ରତି ନିଷ୍କପଟ, ଉପାସ୍ୟ ଭାବ ଜାଗ୍ରତ ନହେଲେ ଜଗଜ୍ଜନନୀଙ୍କ ଉପାସନା ଫଳପ୍ରଦ ହୁଏ ନାହିଁ ।
ଯେଉଁ ପର୍ଯ୍ୟନ୍ତ ଦେଶର ଅଗଣିତ ନିରୀହ ଓ ବିପନ୍ନ ବାଳିକା ମାନେ ଉପେକ୍ଷିତ ଏବଂ କ୍ଷୁଧାତୁର ଥିବେ । ଯେଉଁ ପର୍ଯ୍ୟନ୍ତ ସମାଜର ଅନେକ ମାତା ସନ୍ତପ୍ତା ବିଦଗ୍ଧା, ସ୍ନେହ ରୂପକ ତୃଷ୍ଣାରେ ତୁଷାତୁର ଥିବେ ସେତିକି ଦିନ ପର୍ଯ୍ୟନ୍ତ
ଜଗଦ୍ଧାତ୍ରୀ ମା ଦୁର୍ଗାଙ୍କୁ ପ୍ରସନ୍ନ କରିବା ଭ୍ରାନ୍ତ ଧାରଣା ଅଟେ । କାରଣ ଦୁର୍ଗା ଦେବୀ ପ୍ରାଣୀ ମାତ୍ରକେ ବୁଦ୍ଧି, ଚେତନା ଓ ସ୍ମୃତିରେ ହିଁ ଥାନ୍ତି ତାହାନୁହଁ । ପ୍ରାଣୀଙ୍କର କ୍ଷୁଧା ତୃଷାରେ ମଧ୍ଯ ଦୁର୍ଗା ଦେବୀ ନିବାସ କରିଥାନ୍ତି ।
ଯା ଦେବୀ ସର୍ବ ଭୂତେଷୁ କ୍ଷୁଧା ରୂପେଣ ସଂସ୍ଥିତା
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋନମଃ
ଯା ଦେବୀ ସର୍ବ ଭୂତେଷୁ ତୃଷ୍ଣାରୂପେଣ ସଂସ୍ଥିତା
ନମସ୍ତସୌ ନମସ୍ତସୌ ନମସ୍ତସୌ ନମୋନମଃ
ବିଶ୍ଵରେ ବୃଦ୍ଧି ହେଉଥିବା ଅମାନବୀୟ ପ୍ରବୃତ୍ତି, କଳହ, ଦ୍ବେଷ, ଦମ୍ଭ, ପାଖଣ୍ଡ ଓ ପୈଶାଚିକତାରେନଗୁନୃତ୍ୟ, ସୈନ୍ୟ ଓ ଦୁଃଖର ଆର୍ତ୍ତନାଦ ଅହର୍ନିଶ ଅଶୁଭ ଆଶଙ୍କା ଗୁଡ଼ିକର ବିବଶତା ଓ ଆତ୍ମ ପ୍ରତାଡନାର ଝଞ୍ଜାବାଚକ, ମନୁଷ୍ୟ-ମନୁଷ୍ୟଙ୍କ ମଧ୍ୟରେ ବୈଷମ୍ୟ ଆଦି ଦୋଷ ବଢ଼ିବାରେ ଲାଗିଅଛି । ଏଗୁଡ଼ିକର ନିର୍ମୂଳ କରିବା ପାଇଁ ମାଁ ଦୁର୍ଗାଳ ଉପାସନା ସକ୍ଷମ ଅଟେ ।
ପରିତ୍ୟକ୍ତା ଦେବା ବିବିଧବିଧିସେବାକୁଲତୟା
ମୟା ପଞ୍ଚାଶୀତେରଧିକମପନୀତେ ତୁ ବୟସି।
ଇଦାନୀଂ ଚେନ୍ମାତସ୍ତବ ଯଦି କୃପା ନାପି ଭବିତା
ନିରାଲମ୍ବୋ ଲମ୍ବୋଦରଜନନି କଂ ଯାମି ଶରଣମ୍॥
ଯଦି ମନୁଷ୍ୟର ପଞ୍ଚମ କୋଷ ଆନନ୍ଦରେ ପରିପୂର୍ଣ୍ଣ ହୋଇ ଡାକିବେ – ଦୁର୍ଗେ ଦେବୀ ! ଇହାଗଛ ! ମାଙ୍କୁ ଆସିବାକୁ ବିଳମ୍ବ ଲାଗିବ ନାହିଁ । ସେ ଶୀଘ୍ର ଆସି ପୁତ୍ରକୁ କୋଳକୁ ନେଇଯିବେ ଏବଂ ତାହାର କଷ୍ଟ ତତ୍କ୍ଷଣାତ୍ ଦୂର କରିଦେବେ। ଶେଷରେ ମାତା-ପିତା ସାମ୍ବଶିବଙ୍କୁ ପ୍ରାର୍ଥନା ଏହି ଯେ, ସଙ୍କଟ – ଦୁଃଖ ରୂପକ ପାପ ଗୁଡ଼ିକରୁ ସମସ୍ତଙ୍କୁ ରକ୍ଷା କର ଆମ୍ଭେ ଅନନ୍ତ ପ୍ରଣାମ କରୁଅଛୁ।
ଶ୍ରୀ ଜଗଦାନନ୍ଦଜୀ
ସଂସ୍କୃତି ଗବେଷକ
ଜୟପୁର
ମୋ-9437236575





