ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ବୃହତ୍ତର ଭାରତ ଅନ୍ତର୍ଜାତୀୟ ସମ୍ମିଳନୀ ‘ଭାରତସ୍ କଲଚରାଲ୍ କନେକସନ୍ସ ଏକ୍ରସ୍ ଦ ଗ୍ଲୋବ୍’ରେ କଳାହାଣ୍ଡିର ଯୁବ ଲେଖକ ତଥା ଗବେଷକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ଗବେଷଣାପତ୍ର ଅନ୍ତର୍ଜାତୀୟ ଗବେଷକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଗ୍ରେଟର ଇଣ୍ଡିଆ ସୋସାଇଟିର ଶତବାର୍ଷିକୀ ଉପଲକ୍ଷେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ କଳା କେନ୍ଦ୍ର (ଆଇଜିଏନସିଏ) ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଭାରତ ସମେତ ୫୦ଟି ଦେଶର ବିଦ୍ୱାନ୍, ଗବେଷକ, ଶିକ୍ଷାବିତ୍, ଐତିହାସିକ, ରାଷ୍ଟ୍ରଦୂତ ଓ ଅତିଥିମାନେ ଯୋଗ ଦେଇଥିଲେ। ସମ୍ମିଳନୀକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଉଦଘାଟନ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲିଖିତ ବାର୍ତ୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ। ଅସୁରଗଡ଼ ଦୁର୍ଗରୁ ସାନ୍ଦୁଲ, ତେଲ ଓ ମହାନଦୀ ଦେଇ ବଙ୍ଗୋପସାଗର, ମେଲାକା ପ୍ରଣାଳୀ ଓ ଦକ୍ଷିଣ-ପୂର୍ବ ଏସିଆ ପର୍ଯ୍ୟନ୍ତ ବ୍ୟାପ୍ତ ଐତିହାସିକ ନୌବାଣିଜ୍ୟ ପଥ ତଥା ବାଣିଜ୍ୟ ସହ ସାଂସ୍କୃତିକ ଆଦାନପ୍ରଦାନରେ କଳିଙ୍ଗ ସାଧବମାନଙ୍କ ଭୂମିକାକୁ ନେଇ ‘ଫ୍ରମ୍ ମହାନଦୀ ଟୁ ମେଲାକା: ମ୍ୟାପିଂ ଦ ମାରିଟାଇମ୍ ଟ୍ରେଡ୍ ରୁଟ୍ସ ଅଫ୍ କଳିଙ୍ଗ ସାଧବସ୍’ ଶୀର୍ଷକ ସୁଧୀରଙ୍କ ଉପସ୍ଥାପନାକୁ ନର୍ଦନ ୟୁନିଭରସିଟି ଅଫ୍ ମାଲେସିଆର ପୂର୍ବତନ ପ୍ରଫେସର ପତିତପାବନ ମିଶ୍ର ଓ ଇରାନର ଗବେଷିକା ଡ. ରୋଜାନା ହେଶମତିପର ବିଶ୍ଳେଷଣ କରିଥିଲେ। ଏଥିପାଇଁ ସୁଧୀରଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଜିଲ୍ଲା ଓ ରାଜ୍ୟର ବିଶିଷ୍ଟ ବ୍ୟକ୍ତି ତଥା ଅନୁଷ୍ଠାନମାନେ ଅଭିନନ୍ଦନ ଜଣାଇଛନ୍ତି।





