ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଧରାବତରଣ କରିଛନ୍ତି ଜଗତ୍ ଜନନୀ ମା’ ଦୁର୍ଗା। ଆନନ୍ଦ ଉଲ୍ଲାସ ଓ ଭକ୍ତିମୟ ପରିବେଶ ମଧ୍ୟରେ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର କୋକସରା ଅଞ୍ଚଳ। ବ୍ଳକର ବିଭିନ୍ନ ଶକ୍ତିପୀଠରେ ଜଗତ୍ ଜନନୀଙ୍କ ଭିନ୍ନ ଭିନ୍ନ ରୂପର ଦର୍ଶନ ପାଇଁ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି। ପୂଜାକୁ ଆକର୍ଷଣୀୟ କରିବା ପାଇଁ ରଙ୍ଗୀନ ଆଲୋକ ମାଲା ସହିତ ସୁଉଚ୍ଚ ତୋରଣରେ ସଜେଇ ହୋଇଛି ଅଞ୍ଚଳ। କୋକସରା ବ୍ଳକ ସଦର ମହକୁମା ସମେତ ଟେମରା, ମୋଟେର, ଲଡୁଗାଁ, ଓଲମା, ସାନପୋଡାଗୁଡା, କାଉଡୋଲା ଓ ଶ୍ରୀରାମପୁର ପ୍ରଭୂତି ସ୍ଥାନରେ ଚାଲିଛି ସାରଦୀୟ ଦୁର୍ଗାପୂଜା। ମଣ୍ଡପ ମାନଙ୍କରେ ମୃଣ୍ମୟୀ ମୃତ୍ତି ପୂଜା ପାଉଥିବା ବେଳେ ଶକ୍ତିପୀଠ ମାନଙ୍କରେ ଷୋଡ଼ଷ ଉପଚାର ଅନୁସାରେ ଚାଲିଛି ନବରାତ୍ର ପୂଜା। ପ୍ରତ୍ୟହ ଯଜ୍ଞ, ଅଖଣ୍ଡ ଦୀପ ଜଲିବା ସହ ସନ୍ଧ୍ୟା ଆଳତି ଅନୁଷ୍ଠିତ ହେଉଛି। ପ୍ରତ୍ୟେକ ରାତି ଦର୍ଶକଙ୍କ ମନୋରଞ୍ଜନ ସକାଶେ ଭଜନ ସନ୍ଧ୍ୟା, ମେଲୋଡି, ନାଟକ, ଘୁମୁରା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମରେ ରଙ୍ଗୀନ୍ ହୋଇ ଉଠୁଛି। ଶାନ୍ତି ଶୃଙ୍ଖଳା ନିମନ୍ତେ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ ଥିବାବେଳେ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି।





