ସର୍ଗିଗୁଡ଼ାର ବିଶିଷ୍ଟ ମଞ୍ଚ କଳାକାର ଭିକାରୀ ପୋଢଙ୍କ ଦେହାନ୍ତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡ଼ାର ବିଶିଷ୍ଟ ମଞ୍ଚ କଳାକାର ଭିକାରୀ ଚରଣ ପୋଢଙ୍କ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଯକୃତ ଜନିତ ସମସ୍ୟାରେ ସେ ପୀଡିତ ଥିଲେ। ତାଙ୍କୁ ଚିକିତ୍ସା ପାଇଁ ବିଶାଖାପାଟଣା ଡାକ୍ତରଖାନାକୁ ନିୟମିତ ନେଇ ଚିକିତ୍ସା କରାଯାଉଥିଲା। ଗୁରୁବାର ଅପରାହ୍ନ ୩.୩୦ ବେଳେ ତାଙ୍କ ସର୍ଗିଗୁଡା ସ୍ଥିତ ବାସ ଭବନରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସହଧର୍ମିଣୀ ଭୂମିସୂତା, ଏକମାତ୍ର ପୁଅ ବିନୟ, ପୁତୁରା ଜୟଦେବ, ଧିରଜ, ପୁତ୍ରବଧୂ ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱର୍ଗତ ଭିକ ଭାଇ ଜଣେ ବିଶିଷ୍ଟ ମଞ୍ଚ କଳାକାର ଥିଲେ। ସେ କାଳୀପୂଜା, ମାଟି ବୈକୁଣ୍ଠ, ଭାଗ୍ୟଚକ୍ର, ଭଗବାନ ଆଜି କାଠ ଗଡାରେ, କଳ୍ପବଟେ ତୋର ବାନ୍ଧିଲି ଡୋର, କାଳିଆ ଘୋଡାରେ ଚଢ଼ିବି, ଗୋଟିଏ ପଇସା ଭଳି ୪୦ ରୁ ଉର୍ଦ୍ଧ୍ବ ନାଟକରେ ନାରୀ ଭୂମିକାରେ ଅଭିନୟ କରି ଜିଲ୍ଲା ତଥା ଜିଲ୍ଲା ବାହାରେ ସୁନାମ ଅର୍ଜନ କରିଥିଲେ। ତାଙ୍କ ଅଭିନୟ ବାସ୍ତବରେ ଜୀବନ୍ତ ରହୁଥିଲା। ଜଣେ ଭଦ୍ର, ଅମାୟିକ, ସ୍ନେହୀ ମଣିଷ ଥିଲେ ଭିକ ଦାଦା। ସେ ନର୍ଲା ଯାଦବ ସମାଜର ଜଣେ ବରିଷ୍ଠ ସଦସ୍ୟ ଥିଲେ। ସର୍ଗିଗୁଡ଼ା ୟୁପି ସ୍କୁଲ ର ସଭାପତି ରହି ଅନେକ ବିକାଶ କାର୍ଯ୍ୟ କରିଥିଲେ। ତାଙ୍କ ଦେହାନ୍ତ ସର୍ଗିଗୁଡ଼ା ପାଇଁ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ ପାଇଛି। ସନ୍ଧ୍ୟା ୫ ଟା ବେଳେ ସ୍ଥାନୀୟ ସାନ୍ଦୁଲ ସେତୁ ନିକଟସ୍ଥ ସ୍ୱର୍ଗଦ୍ୱାର ଠାରେ ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ପୁଅ ବିନୁ ଓ ପୁତୁରା ଜୟଦେବ ମୁଖାଗ୍ନି ଦେଇଥିଲେ। ତାଙ୍କ ଅନ୍ତିମ ଯାତ୍ରାରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସର୍ଗିଗୁଡ଼ାର ଶତାଧିକ ଜନ ସାଧାରଣ ଯୋଗ ଦେଇଥିଲେ। ତାଙ୍କ ଦେହାନ୍ତରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ନୀରଜ ଶର୍ମା (ସାନୁ), ଯୁବନେତା ପ୍ରଦୀପ ନାଏକ, ଯୁବନେତା ସମୀର ଚାନ୍ଦ(ବିଟୁ) ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.