କୋଟିଆରେ ପୁଲିସ କ୍ୟାମ୍ପ ଓ ଚେକ୍ପୋଷ୍ଟ ସ୍ଥାପନ, ସୀମାନ୍ତ ସୁରକ୍ଷା ଉପରେ ଓଡ଼ିଶାର ଗୁରୁତ୍ୱ
ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): କୋଟିଆ କେବଳ ଏକ ଭୂଖଣ୍ଡ ନୁହେଁ, ଏହା ଓଡ଼ିଶାର ଗର୍ବ, ସ୍ୱାଭିମାନ ଓ ଜନସାଧାରଣଙ୍କ ଆସ୍ଥାର ପ୍ରତୀକ। ଏହି ଅଞ୍ଚଳର ସୁରକ୍ଷା, ଶାନ୍ତି ଓ ଆଇନଶୃଙ୍ଖଳା ରକ୍ଷା ସହ ଅନଧିକୃତ ହସ୍ତକ୍ଷେପ ରୋକିବା ଦିଗରେ ଓଡ଼ିଶା ପୁଲିସର କ୍ୟାମ୍ପ ଓ ଚେକ୍ପୋଷ୍ଟ ସ୍ଥାପନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ବିବାଦୀୟ କୋଟିଆ ଗ୍ରାମପୁଞ୍ଜର ତଳସେମ୍ବି, ହରମାଣ୍ଡିଙ୍ଗି ଓ ନେରେଡିବାଲସାରେ ଚେକ୍ପୋଷ୍ଟ ସ୍ଥାପନ ହୋଇଥିବା ସୂଚନା ସୀମାନ୍ତ ସୁରକ୍ଷାକୁ ନେଇ ନୂଆ ଗୁରୁତ୍ୱ ସୃଷ୍ଟି କରିଛି। ଆନ୍ଧ୍ରର ନିର୍ବାଚନୀ ପ୍ରସ୍ତୁତି ମଧ୍ୟରେ ଓଡ଼ିଶାର ପ୍ରଶାସନିକ ଉପସ୍ଥିତି କେତେ ଦୃଢ଼ ରହିବ, ତାହା ଏବେ ଗୁରୁତ୍ୱପୂର୍ଣ୍ଣ।
ଗତ ୨୫ ବର୍ଷର ଶାସନ କାଳରେ କୋଟିଆ ପ୍ରସଙ୍ଗରେ ଆହୁରି ପ୍ରଭାବଶାଳୀ ଓ ଦୀର୍ଘସ୍ଥାୟୀ ପଦକ୍ଷେପ ନିଆଯାଇଥିଲେ, ହୁଏତ ଆଜିର ପରିସ୍ଥିତି ଭିନ୍ନ ହୋଇପାରିଥାନ୍ତା। ତେବେ ଏବେ ଆବଶ୍ୟକ କେବଳ ରାଜନୈତିକ ଆରୋପ-ପ୍ରତ୍ୟାରୋପ ନୁହେଁ; ବରଂ ଠୋସ୍ କାର୍ଯ୍ୟଯୋଜନା, ନିରନ୍ତର ପ୍ରଶାସନିକ ତଦାରଖ ଓ ଜନସାଧାରଣଙ୍କ ଆସ୍ଥା ଜିତିବା ଭଳି ପଦକ୍ଷେପ।
କୋଟିଆରେ ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଜୀବିକାର ସୁଯୋଗକୁ ସୁଦୃଢ଼ କରିବା ସହ ଲୋକଙ୍କ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ହିଁ ହେଉ ରାଜ୍ୟର ପ୍ରାଥମିକତା।
କୋଟିଆର ସୁରକ୍ଷା କେବଳ ସୀମାନ୍ତରେ ପହରା ନୁହେଁ; ଲୋକଙ୍କ ମନରେ ଆସ୍ଥା, ଜୀବନରେ ବିକାଶ ଓ ପ୍ରଶାସନରେ ଦୃଢ଼ତା ହିଁ ପ୍ରକୃତ ସୁରକ୍ଷାର ଆଧାର।





