ଜ୍ଞାନେଶ କୁମାର ଇସ୍ତଫା ନଦେବା ଯାଏଁ ଆନ୍ଦୋଳନ ଜାରି ରହିବ: ରୋହତାସ ବଶୋୟା
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଭାରତର ମୁଖ୍ୟ ନିର୍ବାଚନ କମିଶନର ପଦରୁ ଜ୍ଞାନେଶ କୁମାର ଇସ୍ତଫା ନଦେବା ପର୍ଯ୍ୟନ୍ତ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟର ଆନ୍ଦୋଳନ ଜାରି ରହିବ ବୋଲି ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ପର୍ଯ୍ୟବେକ୍ଷକ ରୋହତାସ ବଶୋୟା କହିଛନ୍ତି। ସୋମବାର ବାଲେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ‘ଭୋଟ୍ ବଞ୍ଚାଅ, ଦେଶ ବଞ୍ଚାଅ’ ଅଭିଯାନକୁ ଆହୁରି ଜୋରଦାର କରିବାକୁ ଆହ୍ୱାନ ଦେଇଥିଲେ। ସ୍ୱତନ୍ତ୍ର ଗଭୀର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାକୁ ନେଇ ଉଦ୍ବେଗ ପ୍ରକାଶ କରି ଶ୍ରୀ ବଶୋୟା କହିଥିଲେ ଯେ, ଏହି ପ୍ରକ୍ରିୟା ଜରିଆରେ ଦେଶର ୧୩ କୋଟି ମତଦାତାଙ୍କଠାରୁ ମତଦାନ ଭଳି ମୌଳିକ ଅଧିକାର ଛଡ଼ାଇ ନିଆଯାଇଛି। ଏହା ବିରୋଧରେ ସମଗ୍ର ଦେଶବାସୀ ସ୍ୱର ଉତ୍ତୋଳନ କରିବାର ସମୟ ଆସିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟଶିବ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଉପସଭାପତି ତଥା ବାସୁଦେବପୁର ବିଧାୟକ ଅଶୋକ ଦାସ, ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ବାଙ୍କନିଧି ବେହେରା ଓ ମାନସ ଆଚାର୍ଯ୍ୟ, ବାଲେଶ୍ୱର ସହପ୍ରଭାରୀ ଅଧିର ଜେନା, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଉର୍ମିଳା ମାଝୀ ଓ ପିସିସି ସମ୍ପାଦକ ଦେବାଶିଷ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସଭା ଶେଷରେ ଜିଲ୍ଲା କଂଗ୍ରେସ ଓବିସି ସେଲ୍ର ଅଧ୍ୟକ୍ଷ ନିଶିଥ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ବିଜୟ ମହାନ୍ତି, ଆଶିଷ ପଟ୍ଟନାୟକ ଓ ଦେବଦତ୍ତ ଦାସଙ୍କ ସମେତ ସମ୍ପାଦକ ପଶୁପତି ଉପାଧ୍ୟାୟ ଓ ଶେଖ୍ ଭୋଲା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।





