ପ୍ରକାଶନର ଶୁଦ୍ଧତା ପାଇଁ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ପୁସ୍ତକ ପ୍ରକାଶନରେ ଶୁଦ୍ଧତା ଓ ଗୁଣବତ୍ତା ବଜାୟ ରଖିବା ସହ ପ୍ରୁଫ୍-ସଂଶୋଧନର ଗୁରୁତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଡିସେମ୍ବର ୧୪ ତାରିଖକୁ ଜାତୀୟ ପ୍ରୁଫ୍-ସଂଶୋଧନ ଦିବସ ଭାବେ ପାଳନ କରାଯିବ। ଅଧ୍ୟାପିକା ନୀହାରିକା ଦାସ ସ୍ମୃତି ନ୍ୟାସ ପକ୍ଷରୁ ଏହି ଘୋଷଣା କରାଯାଇଛି। ଗତ ଦୁଇବର୍ଷ ଧରି ନ୍ୟାସ ପକ୍ଷରୁ ଓଡ଼ିଆ ଭାଷାର ଶ୍ରେଷ୍ଠ ପ୍ରୁଫ୍-ସଂଶୋଧକଙ୍କୁ ସମ୍ବର୍ଦ୍ଧିତ କରାଯାଇ ଆସୁଛି। ସୋମବାର ଭୁବନେଶ୍ୱରସ୍ଥିତ ରେଡ୍କ୍ରସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନ୍ୟାସର ଆବାହକ ଦୀପକ କୁମାର ମହାନ୍ତ ଏହି ସୂଚନା ଦେଇ କହିଥିଲେ ଯେ, ବିକଶିତ ଦେଶଗୁଡ଼ିକରେ ପ୍ରୁଫ୍-ସଂଶୋଧନକୁ ପ୍ରକାଶନ ପ୍ରକ୍ରିୟାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ବିବେଚନା କରାଯାଏ। କିନ୍ତୁ ଭାରତରେ, ବିଶେଷକରି ଓଡ଼ିଶାରେ, ଏହାକୁ ଯଥୋଚିତ ଗୁରୁତ୍ୱ ଦିଆଯାଉନାହିଁ। ଫଳରେ ପ୍ରକାଶନ କ୍ଷେତ୍ରରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି। ରାଜ୍ୟରେ ପ୍ରକାଶିତ ପାଠ୍ୟପୁସ୍ତକ ସମେତ ବିଭିନ୍ନ ପ୍ରକାର ପୁସ୍ତକରେ ବହୁ ଭାଷାଗତ ଓ ବର୍ଣ୍ଣାଶୁଦ୍ଧିଜନିତ ତ୍ରୁଟି ଦେଖିବାକୁ ମିଳୁଥିବା ଉଲ୍ଲେଖ କରି ସେ ଏହାର ମୁଖ୍ୟ କାରଣ ଭାବେ ଉପଯୁକ୍ତ ପ୍ରୁଫ୍-ସଂଶୋଧନର ଅଭାବକୁ ଦାୟୀ କରିଥିଲେ। ଲେଖାର ଶୁଦ୍ଧତା ଓ ପ୍ରକାଶନର ବିଶ୍ୱସନୀୟତା ରକ୍ଷା କରିବା ପାଇଁ ପ୍ରୁଫ୍-ସଂଶୋଧନକୁ ଅଗ୍ରାଧିକାର ଦେବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଗୋପାଳକୃଷ୍ଣ ଗୋଖଲେଙ୍କ ଶିକ୍ଷା ସମ୍ବନ୍ଧୀୟ ଲେଖାର ଗୁଜରାଟୀ ଅନୁବାଦ ପ୍ରକାଶନ ସମ୍ପର୍କିତ ଏକ ଐତିହାସିକ ଉଦାହରଣ ଦେଇ ମହାନ୍ତ କହିଥିଲେ ଯେ, ମୁଖବନ୍ଧ ଲେଖିବା ପାଇଁ ମୁଦ୍ରିତ ପୁସ୍ତକର ନକଲ ମହାତ୍ମା ଗାନ୍ଧୀଙ୍କ ନିକଟକୁ ପଠାଯାଇଥିଲା। ମାତ୍ର ଯଥାବିଧି ପ୍ରୁଫ୍-ସଂଶୋଧନ ହୋଇନଥିବାରୁ ସେଥିରେ ଅନେକ ତ୍ରୁଟି ରହିଥିଲା। ଏହା ଗାନ୍ଧିଜୀଙ୍କୁ ବ୍ୟଥିତ କରିଥିଲା ଏବଂ ସେ ତ୍ରୁଟିପୂର୍ଣ୍ଣ ମୁଦ୍ରିତ ପୃଷ୍ଠାଗୁଡ଼ିକୁ ଜାଳିଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ଆହୁରି କହିଥିଲେ ଯେ, ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଜାତୀୟ ପ୍ରୁଫ୍-ସଂଶୋଧନ ଦିବସ ଭାବେ ପାଳନ କରାଯାଇ ଏହାର ଆବଶ୍ୟକତା ସମ୍ପର୍କରେ ସଚେତନତା ବଢ଼ାଯାଏ। କିନ୍ତୁ ଭାରତୀୟ ଭାଷାରେ ପ୍ରକାଶିତ ପୁସ୍ତକଗୁଡ଼ିକରେ ବର୍ଣ୍ଣାଶୁଦ୍ଧି ଓ ଅନ୍ୟାନ୍ୟ ତ୍ରୁଟି ଦେଖାଯିବା ଚିନ୍ତାର ବିଷୟ। ପ୍ରୁଫ୍-ସଂଶୋଧନକୁ ଗୁରୁତ୍ୱ ଦିଆଗଲେ ଲେଖାର ଶୁଦ୍ଧତା ବୃଦ୍ଧି ପାଇବା ସହ ଭାଷା ଓ ସାହିତ୍ୟର ଗୁଣାତ୍ମକ ବିକାଶ ସମ୍ଭବ ହେବ। ଏହି ଉଦ୍ଦେଶ୍ୟରେ ନ୍ୟାସ ପକ୍ଷରୁ ଲେଖକ, ପ୍ରକାଶକ, ସାମ୍ବାଦିକ ଓ ପୁସ୍ତକପ୍ରେମୀମାନଙ୍କୁ ଡିସେମ୍ବର ୧୪ ତାରିଖକୁ ଜାତୀୟ ପ୍ରୁଫ୍-ସଂଶୋଧନ ଦିବସ ଭାବେ ପାଳନ କରିବା ସହ ଏହାର ଗୁରୁତ୍ୱ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦିଆଯାଇଛି।ସାମ୍ବାଦିକ ସମ୍ମିଳନୀରେ ପୂର୍ବାଞ୍ଚଳ ଭାଷା କେନ୍ଦ୍ରର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଅରବିନ୍ଦ ପଟ୍ଟନାୟକ, ବରିଷ୍ଠ ଦର୍ଶନଶାସ୍ତ୍ରବିତ୍ ଡକ୍ଟର ନାରାୟଣ ମହାନ୍ତି, ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ପବିତ୍ର କୁମାର ରଥ ଏବଂ ବିଶିଷ୍ଟ ବ୍ୟଙ୍ଗଲେଖକ ତଥା ସ୍ତମ୍ଭକାର ରାଧାଶ୍ୟାମ ରାଉଳ ଉପସ୍ଥିତ ଥିଲେ।





