ଗୁଜୁରାଟରେ ସଡ଼କ ଦୁର୍ଘଟଣାରେ ଗୁଡାରି ବ୍ଲକର ଦାଦନ ଶ୍ରମିକଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ପରିବାରର ଆକୁଳ ନିବେଦନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ଗୁଡାରି ବ୍ଲକ ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୌଡ଼ ଢେପାଗୁଡା ଗ୍ରାମର ଏକ ଗରିବ ପରିବାର ଉପରେ ପଡିଛି ଦୁଃଖର ପାହାଡ଼ । ସୁଦୂର ଗୁଜୁରାଟ ରାଜ୍ୟର ବଦଦରା ସହରକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କର ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ହୋଇଛି । ମୃତ ଶ୍ରମିକ ଜଣକ ହେଉଛନ୍ତି ଟିଟିମିରି ନିମାଲ ଓ ଧର୍ମପତ୍ନୀ ଗୋଲାପୀ ନିମାଲଙ୍କ ୨୩ ବର୍ଷୀୟ ପୁତ୍ର ହେମାନନ୍ଦ ନିମାଲ । ମିଳିଥିବା ସୂଚନା ଅନୁଯାୟୀ ହେମାନନ୍ଦ ବଦଦରା ସହରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଗତକାଲି କୌଣସି କାମରେ ସେ ଏକ ସ୍କୁଟି ଯୋଗେ ରାଜ୍ୟ ରାଜପଥରେ ଯାଉଥିବା ସମୟରେ ପଛପଟୁ ଏକ ଦ୍ରୁତଗାମୀ ହାଇବା ଗାଡ଼ି ତାଙ୍କୁ ଜୋରରେ ଧକ୍କା ଦେଇଥିଲା । ଉକ୍ତ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସେଠାରେ ରହୁଥିବା ତାଙ୍କ ସମ୍ପର୍କୀୟମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ସ୍ଥାନୀୟ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଗୁଜୁରାଟ ପୋଲିସ ଶବ ବ୍ୟବଛେଦ କରି ମୃତ ଶରୀରକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଥିଲା । ସୁଦୂର ଗୁଜୁରାଟରୁ ନିଜ ଗ୍ରାମ ଢେପାଗୁଡାକୁ ମରଶରୀର ଆଣିବା ଆର୍ଥିକ ଅଭାବ କାରଣରୁ ପରିବାର ଓ ସମ୍ପର୍କୀୟଙ୍କ ପକ୍ଷେ ଅସମ୍ଭବ ହୋଇପଡିଥିଲା । ଫଳରେ ବାଧ୍ୟ ହୋଇ ଗୁଜୁରାଟ ମାଟିରେ ପ୍ରଭାସି ଓଡ଼ିଆ ଙ୍କ ସହାୟତା ରେ ଅତି ଦୁଃଖର ସହ ହେମାନନ୍ଦଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ସେପଟେ ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ବୃଦ୍ଧ ବାପା-ମାଆ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଗ୍ରାମବାସୀ ବନ୍ଧୁ ବାନ୍ଧବ ଓ ସାଙ୍ଗସାଥୀଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି ।ଏଠାରେ ଉଲ୍ଲେଖ ଯୋଗ୍ୟ କି ଗୁଡାରି ବ୍ଲକର ସ୍ଥାନୀୟ ସ୍ତରରେ କାମଧନ୍ଦା ଓ ରୋଜଗାରର କୌଣସି ସୁବିଧା ନଥିବାରୁ ବାଧ୍ୟ ହୋଇ ପ୍ରତିବର୍ଷ ଶହ ଶହ ଭେଣ୍ଡିଆ ପୁଅ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ପୂର୍ବରୁ ମଧ୍ୟ ଗୁଡାରି ଅଞ୍ଚଳର ଅନେକ ଶ୍ରମିକଙ୍କର ବାହାର ରାଜ୍ୟରେ ଏଭଳି ଅକାଳରେ ମୃତ୍ୟୁ ଘଟିଥିବା ନଜିର ରହିଛି । ପରିବାରର ଏକମାତ୍ର ସାହାରା ଚାଲିଯିବା ପରେ ଏବେ ଏହି ଅସହାୟ ପିତାମାତା ସମ୍ପୂର୍ଣ୍ଣ ନିରାଶ୍ରୟ ହୋଇ ଯାଇଛନ୍ତି ଏବଂ ସରକାରୀ ସହାୟତା ପାଇଁ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.