ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଖଣିଜ ସମ୍ପଦ ପରିପୂର୍ଣ୍ଣ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ରାସ୍ତାଘାଟ ସୁବିଧା ନ ଥିବା ଘାଟି ପାହାଡ଼ ଅଞ୍ଚଳରେ ଜନନୀ ଯନ୍ତ୍ରଣା ବଢ଼ିବାରେ ଲାଗିଛି । ଗତକାଲି ସିଜିମାଳି ଅଞ୍ଚଳରେ ଥିବା ମାଳିପଦର ଗ୍ରାମର ଜଣେ ଗର୍ଭବତୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ଭାରରେ ପାଞ୍ଚ କିଲୋମିଟର ବାଟବୋହି ନେବାର କରୁଣ ଦୃଶ୍ୟ ପଦାକୁ ଆସିଛି । ଡାକ୍ତରଖାନାକୁ ନେବା ପରେ ମହିଳା ଜଣକ ମୃତ ସନ୍ତାନ କୁ ଜନ୍ମ ଦେଇଛନ୍ତି । ସ୍ଥାନୀୟ ସୁଙ୍ଗେର ପଞ୍ଚାୟତ ଅନ୍ତର୍ଗତ ମାଳି ପଦର ଗ୍ରାମର ଅର୍ଜ୍ଜୁନ ମାଝୀଙ୍କ ପତ୍ନୀ ସୁକୁ ମାଝୀ ବୟସ ୩୫ ଗତକାଲି ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ।ଖବର ପାଇ ଆଶାକର୍ମୀ ଆମ୍ବୁଲାନ୍ସ କୁ ଫୋନ କରିଥିଲେ କିନ୍ତୁ ମାଳି ପଦର ଗାଁ କୁ ରାସ୍ତା ନ ଥିବାରୁ ଆଲିଗୁନା ଗ୍ରାମ ନିକଟରେ ଆମ୍ବୁଲାନ୍ସ ଅଟକି ରହିଥିଲା । ଆମ୍ବୁଲାନ୍ସ ଡ୍ରାଇଭର ଦୀପକ ଗୋପାଳ ଙ୍କ ସହ ପରିବାର ଲୋକେ ପାହାଡ଼ ଅଞ୍ଚଳରେ ଥିବା ଗ୍ରାମରୁ ଗର୍ଭବତୀକୁ ଚାଦରରେ ବାନ୍ଧି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ନେଇଥିଲେ । ନିକଟସ୍ଥ ସୁଙ୍ଗେର ପିଏଚସିରେ ଡାକ୍ତର ନ ଥିବାରୁ କାଶୀପୁର ସିଏଚସିକୁ ନିଆ ଯାଇଥିଲା ହେଲେ ଗର୍ଭବତୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନ ଥିବାରୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ରାୟଗଡା ଡାକ୍ତର ଖାନାରେ ମହିଳା ଜଣକ ମୃତ ସନ୍ତାନକୁ ଜନ୍ମ ଦେଇଥିବାର ଜଣାଯାଇଛି ।





