ତପିମଣି ଜାନୀଙ୍କୁ ‘ଦେବଗିରି ପ୍ରଜ୍ଞା ସମ୍ମାନ’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦରଠାରେ ଆସନ୍ତା ନଭେମ୍ବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୪ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ‘ଗୋସିଂହ ଦୈତ୍ୟ ଦରବାର’ରେ ବିଶିଷ୍ଟ ଶିକ୍ଷା ପ୍ରଶାସକ ତପିମଣି ଜାନୀଙ୍କୁ ସମ୍ମାନସୂଚକ ‘ଦେବଗିରି ପ୍ରଜ୍ଞା ସମ୍ମାନ’ ପ୍ରଦାନ କରାଯିବ। ସଦର ବ୍ଲକ ଅନ୍ତର୍ଗତ ପୁଜିଗୁଡ଼ା ଗ୍ରାମରେ ଜନ୍ମିତ ଶ୍ରୀ ଜାନୀ ୨୦୦୪ ମସିହାରୁ ଜବାହର ନବୋଦୟ ବିଦ୍ୟାଳୟ ବୌଦ୍ଧରୁ ଶିକ୍ଷାଦାନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଜବାହର ନବୋଦୟ ବିଦ୍ୟାଳୟ ବେଲପଡ଼ାରେ ଶିକ୍ଷକ, ଜୁନାଗଡ଼ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଏବଂ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ କାର୍ଯ୍ୟ କରିବା ପରେ ସଂପ୍ରତି କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାବରେ ଅବସ୍ଥାପିତ ଅଛନ୍ତି। ନିଜ ପ୍ରଶାସନିକ ଦକ୍ଷତା ବଳରେ ସେ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବିଭାଗୀୟ କର୍ମଚାରୀମାନଙ୍କୁ ସଠିକ୍ ଦିଗଦର୍ଶନ ପ୍ରଦାନ କରି ଶିକ୍ଷା ବ୍ୟବସ୍ଥାର ଅଭିବୃଦ୍ଧି ଦିଗରେ ବିଶେଷ ଅବଦାନ ରଖିଛନ୍ତି। ଏଥିପାଇଁ ସେ ୨୦୨୩-୨୪ ବର୍ଷରେ ରାଜ୍ୟର ଶ୍ରେଷ୍ଠ ୧୦ ଜଣ ବିଇଓଙ୍କ ମଧ୍ୟରେ ରହି ଏବଂ ୨୦୨୪-୨୫ ମସିହା ପାଇଁ ରାଜ୍ୟର ଶ୍ରେଷ୍ଠ ବିଇଓ ଭାବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ହାସଲ କରିଛନ୍ତି। ଏଥିସହ ଜଣେ ପ୍ରେରଣାଦାୟକ ବକ୍ତା ଓ କଳାପ୍ରେମୀ ଭାବେ ସେ ସହଶୈକ୍ଷିକ କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କୁ ଉତ୍ସାହିତ କରିଥାନ୍ତି। ତାଙ୍କର ଏହି ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ସ୍ୱରୂପ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.