ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ କଳାହାଣ୍ଡିର ଯୁବ ସଂଗଠକ ହେମନ୍ତ ସାହୁ ଚଳିତ ବର୍ଷର ‘ଦେବଗିରି ସଂଗଠନ ସମ୍ମାନ-୨୦୨୬’ ପାଇବେ। ଶ୍ରୀ ସାହୁ ଦୀର୍ଘ ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ‘ଯୁଗଯାତ୍ରୀ ସାହିତ୍ୟ ସଂସଦ’ ସହ ଜଡ଼ିତ ରହି ସମ୍ପାଦକ ଦାୟିତ୍ୱ ନିର୍ବାହ କରୁଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସଂସଦ ପକ୍ଷରୁ ରାଜ୍ୟସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ପାଳନ କରାଯାଇଥିଲା। ଏହାଛଡ଼ା ସେ ‘ଚନ୍ଦ୍ରମଣି ନାଟ୍ୟ ସଂଘ’ର ସମ୍ପାଦକ ଭାବରେ ମଧ୍ୟ ରହି ଏହି ଶତାବ୍ଦୀ ପୁରୁଣା ସଂଘର ଶତବର୍ଷିକୀ ମହୋତ୍ସବକୁ ସଫଳତାର ସହ ସମ୍ପାଦନ କରିଛନ୍ତି। ଶ୍ରୀ ସାହୁ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନର ସମ୍ପାଦକ ତଥା ମ.ରାମପୁର ପ୍ରେସ କ୍ଲବର ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟରତ। ଗତ ଫେବୃଆରୀ ୧୬, ୨୦୨୬ ତାରିଖରୁ ଏକ ମାସ ଧରି ସେ ବାଇକ ଯୋଗେ ‘ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ: ଏକକ ସଂପର୍କ ଅଭିଯାନ’ ନାମରେ ବାହାରି ତିରିଶ ଦିନରେ ତିରିଶଟି ଜିଲ୍ଲା ଭ୍ରମଣ କରି ଏହି ଅଭିଯାନକୁ ସଫଳ କରାଇଥିଲେ। ବିଭିନ୍ନ ସଂଗଠନର ସମ୍ପାଦକ ଦାୟିତ୍ୱ ନିର୍ବାହ କରିବା ସହିତ ସେ କବିତା ରଚନା ଓ ମଞ୍ଚ ପରିଚାଳନାରେ ମଧ୍ୟ ବିଶେଷ ରୁଚି ରଖନ୍ତି। ତାଙ୍କୁ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୪ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ‘ଗୋସିଂହ ଦୈତ୍ୟ ଦରବାର’ରେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି।





