ରାସ୍ତା ନଥିବା ଗାଁ : ସାନ ସାନ୍ଧୁବାଡି ଜାନି ସାହି ତା’ର ନାଁ 

ବିକାଶର ଯାତ୍ରା ପଥ ଦେଇ ଆରମ୍ଭ ହୋଇଥାଏ ବୋଲି କୁହାଯାଏ । ଯେଉଁଠି ରାସ୍ତା ନାହିଁ ସେଠାରେ ବିକାଶର କଥା ନକହିବା ଭଲ । ଏଥର ଗ୍ରାଉଣ୍ଡ ଜିରୋ ରିପୋର୍ଟରେ ଆମେ କହିବୁ ଏମିତି ଏକ ଗାଁର କଥା ଯେଉଁଠିକି ଯିବା ପାଇଁ ସବୁଦିନିଆ ରାସ୍ତା ସାତ ସପନ । ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇଛି ସେହି ଅଖ୍ୟାତ ପଲ୍ଲୀ, ସେସବୁ ବିଷୟରେ ପରେ ଆଲୋକପାତ କରିବା । ଏବେ କେବଳ ରାସ୍ତାକୁ ନେଇ ଆମର କଥା, ଆପଣ ମାନଙ୍କ କଥା, ସାନ ସାନ୍ଧୁବାଡି ଜାନି ସାହିର କଥା । 

ରାୟଗଡ,୨୨/୧୦ : ଆଦିବାସୀ ଅଧ୍ୟୁଷିତ ରାୟଗଡ ଜିଲ୍ଳାର ବହୁ ଦୁର୍ଗମ ଅଂଚଳକୁ ସ୍ୱାଧୀନତା ୭୨ବର୍ଷ ଏବଂ ସ୍ୱତନ୍ତ୍ର ଜିଲ୍ଳା ଗଠନର ୨୭ବର୍ଷ ପରେ ମଧ୍ୟ ପକ୍କା ରାସ୍ତାଗୁଡିକ ନ ଥିବାରୁ ବହୁ ଗ୍ରାମକୁ ବିକାଶର ଛାଇ ଏବେ ବି ପଡିନାହିଁ । ଫଳରେ ସାଧାରଣ ରାସ୍ତାଟିଏ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ରାୟଗଡ ଜିଲ୍ଳାର ସଦର ବ୍ଳକର ମିିରବାଲି ପଂଚାୟତ ଅନ୍ତର୍ଗତ ସାନ ସାନ୍ଧୁବାଡି ଗ୍ରାମର ଜାନି ସାହିକୁ ପୂର୍ତ ବିଭାଗ ମୁଖ୍ୟ ରାସ୍ତା ଠାରୁ ସାହି ପର୍ଯ୍ୟନ୍ତ ଅଧିକିଲୋମିଟର ରାସ୍ତା ଅତି ଶୋଚନୀୟ ହୋଇ ପଡିରହିଛି । ଫଳରେ ବର୍ଷ ତମାମ ଏହି ରାସ୍ତା ଦେଇ ଯାତାୟାତ ପାଇଁ ହଇରାଣ ହରକତ ହେଉଛନ୍ତି । ବିଶେଷ କରି ବର୍ଷା ଦିନ ସାହି ବାସିନ୍ଦାମାନେ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ପ୍ରକାଶ କରିଛନ୍ତି । ଏହି ଜାନି ସାହିରେ ୪୫ଟି ଘର ପରିବାରର ପାଖାପାଖି ୨୦୦ରୁ ଉର୍ଦ୍ଧ ଲୋକେ ବସବାସ କରୁଛନ୍ତି । ବ୍ଳକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଳା ପ୍ରଶାସନ ପାଖେ ବାରମ୍ବାର ଗୁହାରୀ କରିଥିଲେ ସୁଦ୍ଧା କୈାଣସି ସୁଫଳ ନ ମିଳିବାରୁ ଗତ ୧ମାସ ତଳେ ଗ୍ରାମବାସୀ ନିଜ ଭିତରେ ଚାନ୍ଦା ଆଦାୟ ଓ ଶ୍ରମଦାନ କରି ମୁରମ ମାଟି ପକାଇ ଖାଲଢେପ ଭରା ରାସ୍ତାକୁ ପରିପୂର୍ଣ୍ଣ କରି ବ୍ୟବହାର କରିଥିଲେ ।

ତେବେ ତାହା ମଧ୍ୟ କିଛି ଦିନ ଭିତରେ ପୂର୍ବବସ୍ଥାକୁ ଫେରି ଆସିଲାଣି । ମାତ୍ର ଅଧକିଲୋମିଟର ରାସ୍ତାର ଅବସ୍ଥା ଏତେ ଶୋଚନୀୟ ହୋଇପଡିଛି ଯେ, ଏଥିରେ ଚାଲି ଚାଲି ଯିବା ମଧ୍ୟ ବହୁତ କଷ୍ଟ ହେଉଥିବା ବେଳେ ଦୁଇ ଚକିଆ, ତିନି ଚକିଆରୁ ଆରମ୍ଭ କରି ଆଉ କୈାଣସି ଗାଡି ଯିବା ଆସିବା କରିବା ବି କଷ୍ଟକର ହୋଇପଡୁଛି ।

ଏ ନେଇ ଗତ ଶୁକ୍ରବାର ଦିନ ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେହିପରି ଗ୍ରାମରେ ପାନୀୟ ଜଳ ପାଇଁ ମଧ୍ୟ ଗ୍ରାମବାସୀ ଡହକବିକଳ ହେଉଥିବା ଅଭିଯୋଗ କରିଛନ୍ତି । ଗ୍ରାମରେ ନଳକୂପ ନ ଥିବାରୁ ଗ୍ରାମ ନିକଟରେ ଥିବା ଏକ ନାଳ ଉପରେ ନିର୍ଭର କରି ଚଳୁଛନ୍ତି । ବିକାଶ ପାଇଁ ସବୁବେଳେ ରାସ୍ତାଟିଏ ମୁଖ୍ୟ ହେଉଥିବା ବେଳେ ପ୍ରଶାସନର ଉଦାସୀନତା ଏମାନଙ୍କ ଉନ୍ନତୀରେ ବାଧକ ସାଜିଛି ।

ରିପୋର୍ଟ ଓ ଉପସ୍ଥାପନା :  ଶିବ ନାରାୟଣ ଗୌଡ

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.