ବାଲେଶ୍ୱରରେ ସମ୍ବର୍ଦ୍ଧିତ ହେଲେ ଓଡ଼ିଶାର ଦୁଇ ସଂସ୍କୃତ-ରତ୍ନ କୁଳପତି

  • ‘କିସ୍’ କୁଳପତି ଡକ୍ଟର ହରେକୃଷ୍ଣ ଶତପଥୀ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର କୁଳପତି ଡକ୍ଟର ହରିହର ହୋତା ଗ୍ରହଣ କଲେ ସମ୍ବର୍ଦ୍ଧନା

  • କହିଲେ ସଂସ୍କୃତ ଓ ସଂସ୍କୃତି ପାଇଁ ସାରା ଜୀବନ କରିବେ କାର୍ଯ୍ୟ

ବାଲେଶ୍ୱର,୨୨/୧୦(କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ଜାଇକା ଇଣ୍ଟରନ୍ୟାସନାଲ ହୋଟେଲର ସମ୍ମିଳନୀ କକ୍ଷରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ର ପରିଷଦ ଆନୁକୂଲ୍ୟରେ ଏକସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଏବଂ ତିରୁପତି କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ଅଧୁନା କିସ୍ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ପ୍ରଫେସର ଡକ୍ଟର ହରେକୃଷ୍ଣ ଶତପଥୀ ଏବଂ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନବନିଯୁକ୍ତ କୁଳପତି, ବାଲେଶ୍ୱରର ବରପୁତ୍ର ପ୍ରଫେସର୍ ଡକ୍ଟର ହରିହର ହୋତାଙ୍କୁ ଏହି ମନୋଜ୍ଞ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବାଲେଶ୍ୱରର ଜନନେତା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଯୋଗ ଦେଇ ଦୁଇଜଣ ଶିକ୍ଷାନବୀଶଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ସଂସ୍କୃତ ଆଜି ସମଗ୍ର ବିଶ୍ୱରେ ବିକଶିତ ଦେଶମାନଙ୍କର ପାଠ୍ୟକ୍ରମ ଭାବେ ସ୍ଥାନ ପାଇ ବେଶ୍ ଆଦୃତ ହୋଇପାରିଛି ବୋଲି ଶ୍ରୀ ଜେନା ତାଙ୍କ ବକ୍ତବ୍ୟରେ କହିଥିଲେ। ଆଦିଭାଷା ସଂସ୍କୃତ ଶିକ୍ଷାର ଉନ୍ନତି ପାଇଁ ଯଥାସମ୍ଭବ ସେ ସହଯୋଗ କରିବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ମୁଖ୍ୟବକ୍ତା ଭାବରେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା ଯୋଗ ଦେଇ କେତୋଟି ସଂସ୍କୃତ ଶ୍ଳୋକ ଆବୃତ୍ତି କରିବା ସହିତ ଆୟୋଜକମାନଙ୍କୁ ଧନ୍ୟବାଦ ଦେଇଥିଲେ। ସମ୍ବର୍ଦ୍ଧନାର ଉପରାନ୍ତେ ଡଃ ଶତପଥୀ ବାଲେଶ୍ୱର ମାଟିର ଗୌରବ ଏବଂ ସଂସ୍କୃତ ସାହିତ୍ୟକୁ ବାଲେଶ୍ୱରର ଅବଦାନ ସମ୍ପର୍କରେ ସୂଚନା ଦେଇ ବ୍ୟାସକବି ଫକୀରମୋହନ ସେନାପତି, କବିବର ରାଧାନାଥ ରାୟ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ପ୍ରମୁଖଙ୍କ ଉଦାହରଣ ଦେଇଥିଲେ ଓଡ଼ଇା ଭାଷା ସଂସ୍କୃତରୁ ହିଁ ସୃଷ୍ଟି ହୋଇଛି ଏବଂ ଓଡ଼ଇା ଭାଷା ଆନ୍ଦୋଳନକୁ ବାଲେଶ୍ୱରର ଦାନ ସବୁଠାରୁ ଅଧିକ ବୋଲି ସେ ପ୍ରକାଶ କରିଥିଲେ। କୁଳପତି ପ୍ରଫେସର ହୋତା ନିଜକୁ ଜଗନ୍ନାଥଙ୍କର ତଥା ସଂସ୍କୃତ ଭାଷାର ସେବକ ବୋଲି କହି ସଂସ୍କୃତ ଓ ସଂସ୍କୃତିର ରକ୍ଷା ଏବଂ ଉନ୍ନତିକଳ୍ପେ ଯାବଜ୍ଜୀବନ କାର୍ଯ୍ୟ କରିବେ ବୋଲି କହିଥିଲେ। ପରିଷଦର ସଭାପତି ଭାସ୍କର ପଣ୍ଡା ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର, ଉପଦେଷ୍ଟା କୃଷ୍ଣ ଗୋପାଳ ପଣ୍ଡା ମଞ୍ଚାସୀନ ଥିଲେ ଡଃ ଗିରିଜା ଶଙ୍କର ପତି, ଅରୁଣ ମହାପାତ୍ର, ଅଧର ମହାନ୍ତି, ସଞ୍ଜୟ ମହାପାତ୍ର, ସୌଭାଗିନୀ ମହାପାତ୍ର, ସୁକାନ୍ତ ପାଣି, ବାସୁଦେବ ମିଶ୍ର, ନୃସିଂହ ମହାପାତ୍ର, ସନାତନ ଚୌଧୁରୀ, ସଞ୍ଜୀବ ପତି, ବଂଶୀଧର ଦାସ, ଦିଲ୍ଲୀପ ଜେନା, କେଦାର ସାହୁ, ଜୟନ୍ତ ଦାସ, ଅର୍ଜୁନ କମିଳା, ଗଦାଧର ନାୟକ, ପଦ୍ମଲୋଚନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। ସର୍ବଶେଷରେ ପରିଷଦର ସମ୍ପାଦକ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।


ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.