ଅନୁସୃଜନ : ଭାରତ ମାଝୀ
■ ୧ ■
ରାଜା- ଆମ୍ଭେ ଚିନ୍ତିତ ରାଜଗୁରୁ।
ରାଜଗୁରୁ- କାହିଁକି ରାଜନ୍?
ରାଜା- ରାଜ୍ୟରେ ବହୁତ ହତ୍ୟାକାଣ୍ଡ ଘଟୁଛି।
ରାଜଗୁରୁ- ରାଜନ୍, ଆପଣ କଣ ଚାହାନ୍ତି ଯେ, ହତ୍ୟାକାଣ୍ଡ ନହେଉ?
ରାଜା- ନା।
ରାଜଗୁରୁ- ତାହେଲେ ଆପଣ କଣ ଚାହାନ୍ତି ମହାରାଜ?
ରାଜା- ହତ୍ୟାକାଣ୍ଡଗୁଡ଼ିକର ଚର୍ଚ୍ଚା ନହେଉ।
■ ୨ ■
ରାଜା- ଆମ୍ଭେ ଚିନ୍ତିତ ରାଜଗୁରୁ।
ରାଜଗୁରୁ- କାହିଁକି ରାଜନ୍ ? କାରଣ କଣ?
ରାଜା- ଆମ୍ଭ ରାଜ୍ୟରେ ବେକାରୀ ସଂଖ୍ୟା ବଢ଼ିଯାଇଚି।
ରାଜଗୁରୁ- ତାହେଲେ ଆପଣ କଣ ଚାହାନ୍ତି ଯେ, ଏ ରାଜ୍ୟରେ ବେକାରୀ ନରହୁ ?
ରାଜା- ନା, ଆମ୍ଭେ ତାହା ଚାହୁଁନା।
ରାଜଗୁରୁ- ତାହେଲେ ମହାରାଜ କଣ ଚାହାନ୍ତି ?
ରାଜା- ବେକାରୀ ସମସ୍ୟାର ଚର୍ଚ୍ଚା ନହେଉ।
■ ୩ ■
ରାଜା- ଆମ୍ଭେ ବହୁତ ଚିନ୍ତିତ ରାଜଗୁରୁ।
ରାଜଗୁରୁ- କାହିଁକି ମହାରାଜ। କଣ ହେଲା?
ରାଜା- ରାଜ୍ୟରେ ଦରବୃଦ୍ଧି ଆକାଶ ଛୁଇଁଲା ବେଳକୁ ସାହୁକାରମାନେ ବେଶ୍ ଲାଭ ମାରି ନେଉଛନ୍ତି।
ରାଜଗୁରୁ- ତାହେଲେ ମହାରାଜ କଣ ଚାହାନ୍ତି ସାହୁକାରମାନେ ଲାଭ ନକମାନ୍ତୁ?
ରାଜା- ନା ରାଜଗୁରୁ, ଆମ୍ଭ ତ ଚାହୁଁ ସେମାନେ ଆହୁରି ଆହୁରି ଲାଭ ପାଆନ୍ତୁ।
ରାଜଗୁରୁ- ତାହେଲେ ସମସ୍ୟା କଣ?
ରାଜା- ସମସ୍ୟା ହେଉଚି, ଲୋକେ ଏ ଗଣିତକୁ ବୁଝିଯାଉଚନ୍ତି।
■ ୪ ■
ରାଜା- ରାଜଗୁରୁ, ଆମ୍ଭେ ଇତିହାସରେ ଅମର ହେବାକୁ ଚାହୁଁ।
ରାଜଗୁରୁ- ଆପଣ ତ ଅମର ହେଇସାରିଚନ୍ତି ରାଜନ୍।
ରାଜା- ହେଲେ ଲାଗୁଚି ଏଯାଏ ଆମ୍ଭଙ୍କୁ ଇତିହାସରେ ସ୍ଥାନ ମିଳିନାହିଁ।
ରାଜଗୁରୁ- କାହିଁକି ରାଜନ୍, ଏଭଳି ଲାଗୁଚି କାହିଁକି?
ରାଜା- ଇତିହାସରେ ଅନେକ ଭିଡ଼। ସବୁ ଜାଗା ଭର୍ତ୍ତି। କୌଣସି ବି ସିଟ୍ ଖାଲି ନାହିଁ।
ରାଜଗୁରୁ- ଗୋଟେ ରାସ୍ତା ଅଛି ରାଜନ୍।
ରାଜା- କଣ?
ରାଜଗୁରୁ- ଯେଉଁମାନେ ଇତିହାସ ମାଡ଼ି ବସିଚନ୍ତି, ସେମାନଙ୍କୁ ସେଠାରୁ ହଟାଇଦିଆଯାଉ।
ରାଜା- କେମିତି ?
ରାଜଗୁରୁ- ଆମକୁ କିଛି ଚୋର ଦରକାର ହେବେ ରାଜନ୍।
ରାଜା- ଚୋର ଦରକାର। ସେମାନେ ବା କଣ କରିବେ?
ରାଜଗୁରୁ- ଚୋରମାନେ ହିଁ ତ ସବୁକିଛି କରିବେ ରାଜନ୍।
ରାଜା- ମାନେ?
ରାଜଗୁରୁ- ଇତିହାସକୁ ମାଡ଼ି ବସିଥିବା ଲୋକଙ୍କର କୌଣସି ପ୍ରିୟ ଜିନିଷ ଧରି ଚୋର ଚମ୍ପଟ୍ ମାରିବେ।
ରାଜା- କଣ ସେ ଜିନିଷ?
ରାଜଗୁରୁ- ଯେମିତି ଚଷମା, ଚରଖା କି ଚୁଡ଼ିଦାର ପାଇଜାମା… ଚୋର ତାକୁ ନେଇ ଚମ୍ପଟ୍ ମାରିବେ।
ରାଜା- ସେଇଠୁ କଣ ହେବ?
ରାଜଗୁରୁ- ନିଶ୍ଚିତ ସେ ଲୋକଟା ଚୋରର ପିଛା କରିବ।
ରାଜା- ତାପରେ?
ରାଜଗୁରୁ- ତା ସିଟ୍ ଖାଲି ହେଇଯିବ ଆଉ ଆପଣ ସେଇଠି ବସିପଡ଼ିବେ।
■ ୫ ■
ରାଜା- ଆମ୍ଭଙ୍କୁ କିଛି ଶବ୍ଦ ବିରକ୍ତ କରୁଚି ରାଜଗୁରୁ।
ରାଜଗୁରୁ- କୋଉ କୋଉ ଶବ୍ଦ ରାଜନ୍?
ରାଜା- ଗରିବି, ବେକାରୀ, ଅନାହାର, ବିରୋଧ, ଶିକ୍ଷା… ଏମିତି ଶବ୍ଦସବୁ ଆମ୍ଭର ଆଦୌ ପସନ୍ଦ ନୁହଁ। କଣ କରାଯାଇପାରେ?
ରାଜଗୁରୁ- ମୋ ବିଚାରରେ ଏଗୁଡ଼ାକୁ ହତ୍ୟା କରିଦିଆଯାଉ।
ରାଜା- ଏକଦମ୍ ଠିକ୍ କହୁଚନ୍ତି ରାଜଗୁରୁ। ହେଲେ କେମିତି?
ରାଜଗୁରୁ- ମୁଁ ଗୋଟେ ଗୋଟେ ଶବ୍ଦଙ୍କୁ ଧରି ଆସୁଚି , ଆଉ ଆପଣ ସେଗୁଡ଼ାଙ୍କୁ ଗୁଳି କରିଦିଅନ୍ତୁ।
ରାଜା- ଠିକ୍ ଅଛି।
ରାଜଗୁରୁ ପ୍ରଥମେ ଗରିବିକୁ ନେଇଆସିଲେ ଓ ତାକୁ ଗୁଳି କରିଦିଆଗଲା। ବେକାରୀକୁ ଗୁଳି କରାଗଲା। ବିରୋଧକୁ ବି ରାଜା ଗୁଳି କରିଦେଲେ। ଗୁଳି କରୁ କରୁ ରାଜା ଲକ୍ଷ୍ୟଭ୍ରଷ୍ଟ ହେଲେ ଓ ଗୁଳି ରାଜଗୁରୁଙ୍କୁ ବାଜିଲା। ରାଜଗୁରୁ ମରିଗଲେ ଆଉ ଯେଉଁସବୁ ଶବ୍ଦଙ୍କୁ ଗୁଳି କରାଯାଇଥିଲା, ସେମାନେ ପୁଣି ବଂଚିଉଠିଲେ।