ସପ୍ତାହନ୍ତ ସଟ୍ ଡାଉନ୍: ଗୁଣୁପୁର ଉପଖଣ୍ଡରେ ପ୍ରଥମ ଦିନର ପ୍ରଭାବ

ରାମନାଗୁଡା/ଗୁଣୁପୁର: ଆଜିଠାରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହୋଇଛି ସପ୍ତାହନ୍ତ ସଟ୍ ଡାଉନ୍‌। କରୋନା ସଂକ୍ରମଣରେ ରୋକ ଲଗାଇବାକୁ ରାଜ୍ୟ ସରକାର ଘୋଷଣା କରିଥିବା ସପ୍ତାହନ୍ତ ସଟ୍ ଡାଉନ୍ ପାଳନ ପାଇଁ ଆଜି ସକାଳୁ ଗୁଣପୁର ଉପଖଣ୍ଡର ସବୁଠି ଚେକିଂ ଓ ବ୍ଲକିଂକୁ କଡ଼ାକଡ଼ି କରାଯାଇଛି। ସଟଡାଉନ୍ ଅବଧି ଆଜି ସକାଳୁ ଆରମ୍ଭ ହୋଇ ସୋମବାର ସକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ପରିପ୍ରେକ୍ଷୀରେ ଗୁଣପୁର ଉପଜିଲ୍ଲାପାଳ ସୋନାଲ ଜେନା ଭିଡିଓ ସନ୍ଦେଶ ମାଧ୍ୟମରେ ଉପଖଣ୍ଡ ଅଧିବାସୀଙ୍କୁ ସଟଡାଉନ୍ ପାଳନ କରିବା ନିମନ୍ତେ ବାର୍ତ୍ତା ଦେଇ ଏଥିରେ ପ୍ରଶାସନକୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ।


ଏହାକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲା ର ଗୁଣୁପୁର ଉପଖଣ୍ଡରେ ଦ୍ଵିତୀୟ ପର୍ଯ୍ୟାୟ ସପ୍ତାହନ୍ତ ସଟ୍ ଡାଉନ୍ କଡ଼ାକଡ଼ି ଭାବେ ପାଳନ ହୋଇଥିବା ଦେଖିବାକୁ ମିଳିଛି। ଗୁଣୁପୁର ଉପଖଣ୍ଡ ଅନ୍ତର୍ଗତ ଗୁଣୁପୁର, ଗୁଡାରି, ପଦ୍ମପୁର, ରାମନାଗୁଡ଼ା, ମୁନିଗୁଡା, ବିଷମ କଟକ ପ୍ରଭୃତି ସହରାଞ୍ଚଳରେ ସଟ୍ ଡାଉନ ଘୋଷଣା କରାଯାଇଛି। ଫଳରେ ଦୋକାନ ବଜାର ଓ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦିଆଯାଇଥିବା ବେଳେ ସହରର ବିଭିନ୍ନ ଛକ ଗୁଡିକରେ ପୋଲିସ ପେଟ୍ରୋଲିଂ କଡାକଡି କରାଯାଇଛି। ଗୁଣୁପୁର ଭାରପ୍ରାପ୍ତ ତହସିଲଦାର ଫର୍ଡିଲାଣ୍ଡ ଏକ୍କା ଓ ଗୁଣୁପୁର ଭାରପ୍ରାପ୍ତ ଥାନାଅଧିକାରୀ ମୋନଜ କୁମାର ବେହେରା, ଅତିରିକ୍ତ ତହସିଲଦାର କପିଳେଶ୍ଵର ତାଣ୍ଡି ଙ୍କ ନେତୃତ୍ୱରେ ଗୁଣପୁର ଠାରେ ଚେକିଂ କଡାକଡି କରାଯାଇଛି।


ସେହିପରି ରାମନାଗୁଡା ବ୍ଲକରେ ମଧ୍ୟ ଭାରପ୍ରାପ୍ତ ତହସିଲଦାର ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଣୁଧର ଶବର ବ୍ଲକର ଗୁମୁଡ଼ା, ଉକାମ୍ବା, କୁଜେନ୍ଦ୍ରୀ ଗୁଳୁମୁଣ୍ଡା, ରାମନାଗୁଡା ଆଦି ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କ ରେ ପହଞ୍ଚି ତଦାରଖ କରି ବୁଲିଥିଲେ ଏବଂ ଗୁମୁଡ଼ା ଫାଣ୍ଡି ଅଧିକାରୀ ପ୍ରଦୀପ ରଥ ଓ ରାମନାଗୁଡା ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ ପୋଲିଡ଼ କର୍ମଚାରୀଙ୍କୁ ନେଇ ବିଭିନ୍ନ ସ୍ଥାନ, ଛକ ମାନଙ୍କରେ ପେଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଥିଲା। କେବଳ ଅତି ଆବଶ୍ୟକୀୟ ସେବାକୁ ବାଦ ଦେଲେ ସମସ୍ତ ପ୍ରକାର ବ୍ୟବସାୟୀ ଅନୁଷ୍ଠାନ ବନ୍ଦ ରହିଥିଲା।

ରାମନାଗୁଡା ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.