● ଘୋଷଣା କଲେ ନବୀନ ପଟ୍ଟନାୟକ
● ପୁରସ୍କାର ରାଶି ୧୦ ଲକ୍ଷ ଟଙ୍କା
ଭୁବନେଶ୍ବର: ଦିବଂଗତ ପ୍ରଖ୍ୟାତ ଲେଖକ ପ୍ରଫେସର ମନୋଜ ଦାସଙ୍କର ସ୍ମୃତିରେ ଓଡିଶା ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ‘ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡିଆ ଲେଖକମାନଙ୍କୁ ଏହି ପୁରସ୍କାର ଦିଆଯିବ। ପୁରସ୍କାର ରାଶି ବାବଦକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ପ୍ରତିବର୍ଷ ହାଇସ୍କୁଲ ସ୍ତରରେ ଇଂରାଜୀ ଓ ଓଡ଼ିଆରେ ମୌଳିକ ରଚନା ପାଇଁ ଦୁଇ ପୃଥଜ ‘ମନୋଜ-କିଶୋର ସାହିତ୍ୟ ପ୍ରତିଭା ସମ୍ମାନ’ ସହ ଏକ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ସେହିପରି ମନୋଜ ଦାସଙ୍କ ଜନ୍ମସ୍ଥାନ ବାଲେଶ୍ବର ଜିଲ୍ଲା ଶଙ୍ଖାରୀ ସ୍ଥିତ ପୈତୃକ ଗୃହକୁ ପ୍ରଥିତଯଶା ଭାତୃଦ୍ବୟ ପ୍ରଫେସର ମନ୍ମଥନାଥ ଦାସ ଓ ମନୋଜ ଦାସଙ୍କ ନାମରେ ‘ମନ୍ମଥ-ମନୋଜ ସ୍ମାରକୀ’ ଭାବରେ ଘୋଷଣା କରାଯିବ। ସେଠାରେ ଦୁଇ ଭାଇଙ୍କ ରଚିତ ସମସ୍ତ ପୁସ୍ତକକୁ ରଖାଯାଇ ଏକ ଲାଇବ୍ରେରୀ ମଧ୍ୟ ସ୍ଥାପନ କରାଯିବ। ବାସଭାବନ ପରିସରରେ ଥିବା ମନ୍ଦିରର ସଂରକ୍ଷଣ କରାଯିବ। ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁ ଏବଂ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶିତ ‘କୋଣାର୍କ’ ପତ୍ରିକାର ସ୍ବତନ୍ତ୍ର ସଂଖ୍ୟା ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି।





